ସଂଗିନ ହେଉଛି ଓଡ଼ିଶା ସ୍ଥିତି, ୫ ଦିନରେ ସଂକ୍ରମଣ ଦୁଇଗୁଣା

ଦିନକରେ ୪୮୫୧ ପଜିଟିଭ୍, ୫ ମୃତ

ଭୁବନେଶ୍ବର : ଓଡ଼ିଶାରେ କରୋନା ସ୍ଥିତି ଦିନକୁ ଦିନ ଚିନ୍ତାଜନକ ହେବାରେ ଲାଗିଛି। ପ୍ରତି ୫ଦିନରେ କରୋନା ସଂକ୍ରମଣ ଦ୍ବିଗୁଣିତ(ଡବଲିଂ ଟାଇମ୍‌) ହେଉଛି। କେରଳ, ରାଜସ୍ଥାନ, ପଶ୍ଚିମବଙ୍ଗ ଭଳି ରାଜ୍ୟଠାରୁ ମଧ୍ୟ ଓଡ଼ିଶାର ଡବଲିଂ ଟାଇମ୍ କମ୍ ରହିଛି। ବହୁ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିବେ ବୋଲି ଅନୁମାନ କରାଯାଉଥିବାରୁ ଆଗକୁ ଡବଲିଂ ଟାଇମ୍‌ ଆହୁରି ଖସିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଫଳରେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଆହୁରି ସଂଗିନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

କେବଳ ସଂକ୍ରମଣର ଡବଲିଂ ଟାଇମ୍ ନୁହେଁ, ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ମଧ୍ୟ ୬ଦିନରେ ଦୁଇଗଣ ହେଉଛି। ଅର୍ଥାତ୍ ୬ଦିନ ପରେ ଶହେ ନମୁନାରୁ ଯେତିକି ପଜିଟିଭ୍ ଚିହ୍ନଟ ହେଉଥିଲେ ତାହା ଦୁଇଗୁଣକୁ ବୃଦ୍ଧି ପାଇଛି। ଆନ୍ଧ୍ର, ରାଜସ୍ଥାନ, କର୍ଣ୍ଣାଟକ ଭଳି ରାଜ୍ୟରେ ୮ଦିନରେ ଟିପିଆର୍‌ ଦୁଇଗୁଣକୁ ବୃଦ୍ଧି ପାଉଛି। ଏବେ ରାଜ୍ୟରେ ଯେଉଁଭଳି ଭାବେ ସଂକ୍ରମଣ ବଢ଼ି ଚାଲିଛି, ଏଭଳି ପରିସ୍ଥିତିରେ ଟିପିଆର୍‌ ଡବଲିଂ ଟାଇମ୍ ମଧ୍ୟ ୬ ଦିନରୁ ଆହୁରି ହ୍ରାସ ପାଇବ ବୋଲି କୁହାଯାଉଛି। କୋଭିଡ୧୯ଇଣ୍ଡିଆ ୱେବସାଇଟ୍‌ ଓ ଲଣ୍ଡନସ୍ଥିତ ଫାଇନାନ୍ସିଆଲ ଟାଇମ୍‌ସ ସୂତ୍ରରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ତେଣୁ ବର୍ତମାନର ସ୍ଥିତିରେ ଦୈନିକ ସଂକ୍ରମଣ ଓ ଟିପିଆରର ଡବଲିଂ ଟାଇମ୍‌ ରାଜ୍ୟରେ କରୋନାର ଦ୍ବିତୀୟ ଲହରର ଏକ ବିସ୍ଫୋରକ ସ୍ଥିତି ବୟାନ କରୁଛି।

ଆଇସିଏମ୍‌ଆର୍‌ର ପୂର୍ବତନ ଉପଦେଷ୍ଟା ତଥା ବରିଷ୍ଠ ଚିକିତ୍ସକ ଡା.ତ୍ରିଭୁବନ ମହାପାତ୍ର କହିଛନ୍ତି, ଆଗକୁ ରାଜ୍ୟକୁ ପ୍ରବାସୀ ଫେରିବେ। ତେଣୁ ସଂକ୍ରମଣର ଡବଲିଂ ଟାଇମ୍‌ ଆହୁରି ଖସିପାରେ। ଏପରିକି ଏହା ୨.୫ଦିନ ହେବା ନେଇ କୌଣସି ଦ୍ବିମତ ନାହିଁ। ପ୍ରତି ସପ୍ତାହରେ ସଂକ୍ରମଣକୁ ବିଚାରକୁ ନେଇ ଡବଲିଂ ଟାଇମ୍‌ ହିସାବ କରାଯାଉଛି। ବର୍ତମାନର ଡବଲିଂ ଟାଇମ୍‌କୁ ନଜରରେ ରଖି ରାଜ୍ୟ ସରକାରଙ୍କୁ ସଜାଗ ହେବାକୁ ହେବ। ସପ୍ତାହାନ୍ତ ସଟ୍‌ଡାଉନ୍‌ ସଂକ୍ରମଣ ରୋକିବାରେ ବିଶେଷ ଭାବେ ଫଳପ୍ରଦ ହୋଇପାରିବ ନାହିଁ। କାରଣ ସଟ୍‌ଡାଉନ୍ ପୂର୍ବଦିନ ଲୋକମାନେ ପୂର୍ବଭଳି ବିଭିନ୍ନ ସ୍ଥାନରେ ଗହଳି କରିବେ। ଏସବୁ ପାଇଁ ପ୍ରତି ଜିଲ୍ଲାରେ ଅତିକମ୍‌ରେ ହଜାର ଲେଖାଏଁ ଦିନକୁ ୩୦ହଜାର ଆର୍‌ଟି-ପିସିଆର୍‌ ଓ ଟ୍ରୁନାଟ୍‌ରେ କୋଭିଡ ନମୁନା ପରୀକ୍ଷା ହୋଇପାରିବ ସେଥିପାଇଁ କ୍ଷମତା ବୃଦ୍ଧି କରିବା ଆବଶ୍ୟକ। ଏହାସହ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷାକୁ ମିଶାଇଲେ ରାଜ୍ୟରେ ସଂକ୍ରମଣର ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରିବ।

ଅପରପକ୍ଷରେ ରାଜ୍ୟରେ ପ୍ରତିଦିନ ସଂକ୍ରମଣର ନୂଆ ନୂଆ ରେକର୍ଡ ହେଉଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮୫୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ୧୯ତାରିଖ ତୁଳନାରେ ଅଧିକ। ଗତ ୪ଦିନ ଧରି ରାଜ୍ୟରେ କମ୍ ସଂଖ୍ୟକ କୋଭିଡ ନମୁନା ପରୀକ୍ଷା ହେବା ପରେ ମଧ୍ୟ ଗତ ୨୪ଘଣ୍ଟାରେ ଏହି ସଂଖ୍ୟା ୩୮,୫୪୮କୁ ବୃଦ୍ଧି ପାଇଛି। ଏଥିରେ ରାଜ୍ୟର ଟିପିଆର ୧୨.୫ ପ୍ରତିଶତ ରହିଛି। ଲଗାତାର ଭାବେ ଖୋର୍ଧା ଜିଲ୍ଲା ସଂକ୍ରମଣ ତାଲିକାରେ ଆଗରେ ରହିଛି। ଆଜି ଜିଲ୍ଲାରୁ ୭୦୩ଜଣ ଆକ୍ରାନ୍ତ ବାହାରିଛନ୍ତି। ଏହା ପଛକୁ ରହିଛି ସୁନ୍ଦରଗଡ଼। ଏଠାରୁ ୫୧୬ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାସହ ନୂଆପଡ଼ା ୪୮୬, ବରଗଡ଼ ୩୧୮, କଟକ ୩୦୪, ଝାରସୁଗୁଡ଼ା ୨୯୦, ବଲାଙ୍ଗୀର ୨୨୭, ପୁରୀ ୨୨୩, ନବରଙ୍ଗପୁର ୧୯୪, ସମ୍ବଲପୁର ୧୭୧, କେନ୍ଦୁଝର ୧୬୬, ଗଞ୍ଜାମ ୧୫୧ ଓ ଅନୁଗୁଳରୁ ୧୧୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୮୨ହଜାର ୩୧୫କୁ ବୃଦ୍ଧି ପାଇଛି।

ଏହାସହ ଲଗାତାର ଦ୍ବିତୀୟ ଦିନ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ୫ଜଣ ସଂକ୍ରମିତ ପ୍ରାଣ ହରାଇଥିବା ନେଇ ସୂଚନା ଦିଆଯାଇଛି। ଏଥିରେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏ ଓ ନୂଆପଡ଼ାରେ ୨ଜଣ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୯୫୮ରେ ପହଞ୍ଚିଯାଇଛି। ରାଜ୍ୟରେ ଆଜି ୨୦୦୯ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୫୧ହଜାର ୩୮୬ଜଣ ସୁସ୍ଥ ହେବା ସହିତ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୮,୯୧୮ରେ ପହଞ୍ଚିଛି। ଯାହାକି ସମୁଦାୟ ସଂକ୍ରମିତର ସାଢ଼େ ୭ ପ୍ରତିଶତରୁ ଅଧିକ।

ସମ୍ବନ୍ଧିତ ଖବର