ଅଗଷ୍ଟ ୨୦ ଯାଏ ଦ୍ରୁତ ସଂକ୍ରମଣ: ବିଶେଷଜ୍ଞ

୩ ଦିନରେ ପ୍ରାୟ ୪ ହଜାର ପଜିଟିଭ୍

ଦିନକରେ ୧୫୯୪ ଚିହ୍ନଟ, ୮୦୮ ସୁସ୍ଥ
ଆଉ ୬ କରୋନା ମୃତ୍ୟୁ, ସଂଖ୍ୟା ୧୨୦
ପୋଲସରା ବିଧାୟକ ଓ ପତ୍ନୀଙ୍କୁ କରୋନା

ଭୁବନେଶ୍ୱର : ଚଳିତ ମାସ ୨୦ ତାରିଖରୁ ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷ ଆଡ଼କୁ ମୁହାଁଉଛି। ଏବେଠାରୁ ପ୍ରତ୍ୟେକ ଦିନ ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିବ। ଆସନ୍ତା ମାସ ୨୦ ତାରିଖ ପର୍ଯ୍ୟନ୍ତ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଜାରି ରହିବ। ତେବେ ସଂକ୍ରମଣ‌ ଶୀର୍ଷରେ କେତେଦିନ ପର୍ଯ୍ୟନ୍ତ ରହିବ, ତାହା ସଂକ୍ରମିତ ଲୋକଙ୍କ ସଂଖ୍ୟା, ମୃତ୍ୟୁ ଓ ସକ୍ରିୟ ରୋଗୀଙ୍କ ଉପରେ ନିର୍ଭର କରୁଛି। ତେଣୁ ଏବେଠାରୁ ତାହା କହିହେବ ନାହିଁ ବୋଲି ‘ସମ୍ବାଦ’କୁ କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ନିର୍ଦେଶକ ତଥା ବରିଷ୍ଠ ଚିକିତ୍ସକ ଡା. ଚିତ୍ତରଂଜନ ଦାସ।

ରାଜ୍ୟରେ କରୋନା ସଂକ୍ରମଣ ବିପଜ୍ଜନକ ସ୍ଥିତିରେ ପହଞ୍ଚି ଗଲାଣି। ପ୍ରତ୍ୟେକ ଦିନ ରାଜ୍ୟରେ ନୂଆ ନୂଆ ରେକର୍ଡ ହେବାରେ ଲାଗିଛି। ଗତ ୩ ଦିନରେ ରାଜ୍ୟରେ ପ୍ରାୟ ୪ ହଜାର ପଜିଟିଭ୍ ଚିହ୍ନଟ ହେଲେଣି। ତେଣୁ ଚଳିତମାସ ଶେଷ ଆଡ଼କୁ ରାଜ୍ୟରେ ସଂକ୍ରମଣ ୩୦ ହଜାରକୁ ଛୁଇଁପାରେ ଭଳି ଆଶଙ୍କା ସୃଷ୍ଟି ହେଲାଣି। ପୂର୍ବରୁ ଏହା ୨୫ ହଜାରକୁ ଛୁଇଁପାରେ ବୋଲି ଆଶଙ୍କା କରାଯାଉଥିଲା। ମାତ୍ର କିଛି ଦିନର ଦ୍ରୁତ ସଂକ୍ରମଣ ଧାରା ସବୁ କିଛି ବିଗାଡ଼ି ଦେଇଛି।

fct.unl.pt

ଡା. ଦାସଙ୍କ ଆକଳନ କହୁଛି ଯେ ଦେଶବ୍ୟାପୀ କରୋନା ସଂକ୍ରମଣର ଯେଉଁ ଧାରା ଦେଖିବାକୁ ମିଳିଛି, ସେହି ଅନୁଯାୟୀ ଦେଖିଲେ ଓଡ଼ିଶାରେ ମଧ୍ୟ ସଂକ୍ରମଣ ଏବେ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଓଡ଼ିଶାରେ ସୁସ୍ଥ ହାର ବେଶ୍ ଭଲ ରହିଛି। ମୃତ୍ୟୁ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍। ରାଜ୍ୟ ସରକାର ଏବେ କୋଭିଡ୍‌ ପରୀକ୍ଷାକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ଫଳରେ ଲକ୍ଷଣବିହୀନ ଲୋକମାନେ ଚିହ୍ନଟ ହୋଇପାରୁଛନ୍ତି। କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂରେ ଓଡ଼ିଶା ବେଶ୍ ଭଲ ପ୍ରଦର୍ଶନ କରିଥିଲା। ମାତ୍ର ଗତ ୧୦ ଦିନ ହେବ ଯେଉଁଭଳି ଭାବେ ସଂକ୍ରମଣ ବୃଦ୍ଧି ପାଇଛି, କଣ୍ଟାକ୍ଟ‌ ଟ୍ରେସିଂରେ କିଛିଟା ସମସ୍ୟା ଉପୁଜିଥିବା ନେଇ ଲକ୍ଷ୍ୟ କରାଯାଉଛି। ତେବେ ଅଗଷ୍ଟ ମାସ ପରେ ହିଁ ସଂକ୍ରମଣ ହ୍ରାସ ନେଇ ଆଲୋଚନା କରାଯାଇପାରେ ବୋଲି ଡା. ଦାସ କହିଛନ୍ତି।

ଇତିମଧ୍ୟରେ ଗତ ୨୪ ଘଣ୍ଟାରେ ୨୮ଟି ଜିଲ୍ଲାରୁ ୧୫୯୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଗଞ୍ଜାମରୁ ୭୩୨ ଆକ୍ରାନ୍ତଙ୍କ ମଧ୍ୟରେ ୬୬ଜଣ କରୋନା ଯୋଦ୍ଧା ରହିଛନ୍ତି। ଏହାବାଦ୍ ଖୋର୍ଧା ୩୨୦, କଟକ ୧୩୬, ଭଦ୍ରକ ୬୦, ସୁନ୍ଦରଗଡ଼ ୫୬, ବୌଦ୍ଧ ୪୧, କୋରାପୁଟ ୩୩, ମୟୂରଭଞ୍ଜ ୩୨, ପୁରୀ ୩୦, ବାଲେଶ୍ବର ୨୨, କେନ୍ଦୁଝର ୨୦, କନ୍ଧମାଳ ୧୭, ସମ୍ବଲପୁର ୧୩, ଅନୁଗୁଳ ୧୦, କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୯ଜଣ ଲେଖାଏଁ, ଝାରସୁଗୁଡ଼ା ଓ ବରଗଡ଼ ୮ଜଣ ଲେଖାଏଁ, ବଲାଙ୍ଗୀର ୬, ଯାଜପୁର ୫, ସୋନପୁର ୪, ଗଜପତି, ଜଗତ୍‌ସିଂହପୁର, ନବରଙ୍ଗପୁର ୩ଜଣ ଲେଖାଏଁ, ଢେଙ୍କାନାଳ ୨, ନୂଆପଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦୬୭ ଆକ୍ରାନ୍ତ ସଙ୍ଗରୋଧରୁ ଓ ୫୨୭ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ସମୁଦାୟ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି।

Personnel Today

ରାଜ୍ୟରେ ଆଉ ଜଣେ ଏମ୍‌ଏଲଏ କରୋନା ସଂକ୍ରମିତ ହୋଇଛନ୍ତି। ପୋଲସରା ବିଧାୟକ ଓ ତାଙ୍କ ପତ୍ନୀ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ବିଧାୟକ କହିଛନ୍ତି ଯେ ମଝିରେ ମଝିରେ ତାଙ୍କୁ ଜ୍ୱର ହେଉଥିଲା। ଏହାପରେ ରାଜଧାନୀରେ ଗତ ମଙ୍ଗଳବାର ସ୍ୱାବ୍‌ ପରୀକ୍ଷା କରିଥିଲେ। ଗତ ବୁଧବାର ରିପୋର୍ଟ ପଜିଟିଭ୍‌ ବାହାରିଥିବା ହସ୍‌ପିଟାଲ କର୍ତ୍ତୃପକ୍ଷ ଜଣାଇଥିଲେ। ଗଞ୍ଜାମରେ ଥିବା ବେଳେ ମୋର ଜ୍ୱର ଆ‌ରମ୍ଭ ହୋଇଥିଲା। ବିଧାୟକ ଏବେ ଘରେ ସଙ୍ଗରୋଧରେ ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। ଏହା ପୂର୍ବରୁ ବାଲେଶ୍ୱର ଜିଲ୍ଲାର ନୀଳଗିରି ଓ ରେମୁଣା ବିଧାୟକ ଓ କଟକ ଜିଲ୍ଲା ସାଲେପୁର ବିଧାୟକ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଏହି ୩ଜଣ ଏବେ ସୁସ୍ଥ ହୋଇ ସାରିଛନ୍ତି।

ରାଜ୍ୟରେ ଆଜି ୮ଜଣଙ୍କ ମୃତ୍ୟୁ ସଂପର୍କରେ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିରେ ୬ଜଣଙ୍କ କରୋନା ମୃତ୍ୟୁ ଥିବା ବେଳେ ୨ଜଣ ଅଣ କୋଭିଡ୍‌ ମୃତ୍ୟୁ ରହିଛି। କରୋନାରେ ପ୍ରାଣ ହରାଇଥିବା ଗଞ୍ଜାମର ୪୪ବର୍ଷର ପୁରୁଷ ମଧୁମେହରେ ପୀଡ଼ିତ ଥିବା ବ‌େଳେ ୫୯ବର୍ଷ ଓ ୫୦ବର୍ଷର ମହିଳାଙ୍କ ଭୂତାଣୁ ଯୋଗୁଁ ଜୀବନ ଯାଇଛି। ଏହାବାଦ୍ ରାୟଗଡ଼ା ଜିଲ୍ଲାର ୭୧ବର୍ଷର ପୁରୁଷ ଉଭୟ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡ୍‌ନିରେ ଆକ୍ରାନ୍ତ ଥିବା ବେଳେ ଗଜପତିର ୫୩ବର୍ଷର ପୁରୁଷ କରୋନାର ଶିକାର ହୋଇଛନ୍ତି। ଭଦ୍ରକ ଜିଲ୍ଲାର ୬୦ବର୍ଷର ପୁରୁଷ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଏହା ୧୨୦ ଛୁଇଁଛି। ଅଣ କୋଭିଡ୍‌ ମୃତ୍ୟୁ ୩୩ରେ ପହଞ୍ଚିଛି। ରାଜ୍ୟର ୧୫ଟି ଜିଲ୍ଲାରେ କରୋନା ମୃତକ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଆଜି ୮୦୮ଜଣ କରୋନା ରୋଗୀ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଞ୍ଜାମ ୫୩୦, ରାୟଗଡ଼ା ୬୧, କଟକ ୩୫, ମାଲକାନଗିରି ୩୦, ଗଜପତି ୨୨, ବାଲେଶ୍ବର ଓ ଖୋର୍ଧା ୧୯ ଲେଖାଏଁ, ବରଗଡ଼ ଓ ଭଦ୍ରକ ୧୮ଜଣ ଲେଖାଏଁ, ବୌଦ୍ଧ ୮, ଝାରସୁଗୁଡ଼ା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ୭ଜଣ ଲେଖାଏଁ, ସମ୍ବଲପୁର ୫, ନବରଙ୍ଗପୁର ୪, ସୁନ୍ଦରଗଡ଼ ୩, ଅନୁଗୁଳ, ଯାଜପୁର ଓ ପୁରୀରୁ ୨ଜଣ ଲେଖାଏଁ, କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୫୨୦୦ରେ ପହଞ୍ଚିଛି। ୭୩୩୯ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର