ବଲାଙ୍ଗୀରରେ କୋଭିଡ ଟେନସନ : ନିୟମକୁ ଫୁଃ, ଅବ୍ୟବସ୍ଥାକୁ ନେଇ ବଢ଼ୁଛି ଅସନ୍ତୋଷ

ବଲାଙ୍ଗୀର : ଦେଶର କିଛି ରାଜ୍ୟରେ କାରୋନା ନୂଆ ଷ୍ଟ୍ରେନ ଚିହ୍ନଟ ହେଲା ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ। ରେଳ ଷ୍ଟେସନରେ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରିନ ଓ ଚେକିଂ କରାଯାଉଛି। କୋଭିଡ ବୁଲେଟିନ ମାଧ୍ୟମରେ ଜିଲ୍ଲାପାଳ ନିଲ୍ଲାବାସୀଙ୍କୁ କାରୋନା କଟକଣା ମାନିବାକୁ ଅନୁରୋଧ କରିଛନ୍ତି। ଏସବୁ ସତ୍ତ୍ବେ ବଲାଙ୍ଗୀର ଜିଲ୍ଲାରେ ଲୋକେ ମାନୁନାହାନ୍ତି କଟକଣା। ଅଧିକାଂଶ ଲୋକ ମାସ୍କ, ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ରଖୁନାହାନ୍ତି। ଏସବୁ ଭିତରେ କିନ୍ତୁ ପ୍ରଶାସନର ମୁଣ୍ଡବଥାର କାରଣ ହୋଇଛି। ଅନ୍ୟପକ୍ଷରେ କୋଭିଡ ଟିକାକରଣ କେନ୍ଦ୍ର ଅବ୍ୟବସ୍ଥା ଯୋଗୁଁ ହଇରାଣ ହରକତ ହେବା ନଜିର ରହିଛି। ଟିକାକରଣ କେନ୍ଦ୍ରରେ ଜୋରଦାର ହୋହଲ୍ଲା, ପାଟିତୁଣ୍ଡ। କିଏ କାଗଜ ପତ୍ର ଚିରିଦେଇ କହୁଛି, ତ ପୁଣି କିଏ ଜିଲ୍ଲାପାଳ, ଏସ୍‌ପିଙ୍କୁ ଡାକିବା ପାଇଁ କହୁଛି। ବୟସର ଅପରାହ୍ନରେ ଶୃଙ୍ଖଳିତ ରହୁଥିବା ଲୋକେ ବାଧ୍ୟ ହୋଇଛନ୍ତି ବିଶୃଙ୍ଖଳ ହେବା ପାଇଁ।

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ କୋଭିଡ ଟିକାକରଣ କେନ୍ଦ୍ରରେ ମାର୍ଚ୍ଚ ୧ ତାରିଖରୁ ଟିକାକରଣ ଆରମ୍ଭ ହୋଇଛି। ଗତ ଦୁଇଦିନ ହେଲା ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଦେଖାଦେଇଛି। ଯେଉଁମାନେ ଆଗରୁ ଆସି ଘଣ୍ଟା ଘଣ୍ଟା ଧରି ଲାଇନରେ ରହୁଛନ୍ତି ସେମାନଙ୍କୁ ପ୍ରଥମେ ଟିକା ନଦେଇ ବିଳମ୍ବରେ ଆସୁଥିବା ଲୋକଙ୍କୁ ଟିକା ଦିଆଯାଇଛି। ଏପିରିକି ସ୍ଥାନୀୟ ନେତା ତଥା ମେଡିକାଲ କର୍ମଚାରୀଙ୍କ ପରିଚିତ, ସଂପର୍କୀୟମାନଙ୍କୁ ଆଗୁଆ ଟିକା ଦିଆଯାଉଥିବା ଅଭିଯୋଗ କରିଛନ୍ତି ଲୋକେ। ଯାହାକୁ ନେଇ ଟିଟାକରଣ କେନ୍ଦ୍ରରେ ଜୋରଦାର ଉତ୍ତେଜନା ଦେଖାଦେଇଥିଲା। ବଲାଙ୍ଗୀର ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ସୁଧାରିବା ପାଇଁ ଚେଷ୍ଟା କରି ନାକେଦମ ହୋଇଥିଲା। ପରେ ଟୋକନ ବ୍ୟବସ୍ଥା ଠିକ କଲା ପରେ ପରିସ୍ଥିତି ଟିକିଏ ଶାନ୍ତ ପଡ଼ିଲା। କିନ୍ତୁ, କାରୋନା ଟିକାକରଣ ସମୟରେ ପ୍ରାୟାପ୍ରୀତି ନୀତି କରାଯାଇଥିବାରୁ, ଅସନ୍ତୋଷ ପ୍ରକାଶ କରିଛନ୍ତି ବିଶ୍ୱସ୍ତ ଲୋକେ। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ହସପିଟାଲ ମ୍ୟାନେଜର।

ବଲାଙ୍ଗୀର ଜିଲ୍ଲାରେ ଏବେ ବି ପ୍ରତ୍ୟେକ ଦିନ ୩ ଅଧିକ ଲୋକ କାରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୮ ହଜାର ୮ ଶହ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ସୁସ୍ଥ ହୋଇଛନ୍ତି ୮ହଜାର ୨ ଶହ ୮୧ ଜଣ। ଏବେ ବି ୨୭ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି। ଏ ପର୍ଯ୍ୟନ୍ତ ସରକାରୀ ତଥ୍ୟ ଅନୁସାରେ ଜିଲ୍ଲାର ୪୨ ଜଣକଙ୍କ ଜୀବନ ନେଇ ସାରିଲାଣି କରୋନା ମହାମାରୀ। ବାହାର ରାଜ୍ୟରୁ ଲୋକେ ଫେରୁଥିବାରୁ ଏବେ କରୋନାର ନୂଆ ଷ୍ଟ୍ରେନ ବଢ଼ିବା ଆଶଙ୍କା ଦେଖାଦେଇଛି। ତେଣୁ ବଲାଙ୍ଗୀର ରେଳ ଷ୍ଟେସନରେ ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରିନିଂ ଓ ଚେକିଂ କରାଯାଉଛି। ଏପାଇଁ ରେଳ ଷ୍ଟେସନରେ ପୁଲିସ ଓ ମେଡିକାଲ କର୍ମଚାରୀ ସଜାଗ ରହିଛନ୍ତି। ବଲାଙ୍ଗୀର ବାସିନ୍ଦା କିନ୍ତୁ କାରୋନା କଟକଣାକୁ ଫୁଃ କରୁଛନ୍ତି। ଏହି ଟିକା ନେବା ସମୟରେ କିଛି ଲୋକ ମାସ୍କ ପିନ୍ଧିଥିବା ବେଳେ ଅଧିକାଂଶ ଲୋକ ମାସ୍କ ବ୍ୟବହାର କରି ନଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଜିଲ୍ଲାପାଳ ବୁଲେଟିନ ଜାରି କରି କଟକଣାକୁ ମାନିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର