ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ନମୁନା ପରୀକ୍ଷା ୬୫ ଲକ୍ଷ ଟପି ଯାଇଛି। ଗତ ୨୪ ଘଣ୍ଟାରେ ୩୩,୪୯୪ ନମୁନା ପରୀକ୍ଷା କରାଯିବା ଫଳରେ ସମୁଦାୟ ପରୀକ୍ଷା ସଂଖ୍ୟା ୬୫ ଲକ୍ଷ ୨ହଜାର ୪୫୧କୁ ବୃଦ୍ଧି ପାଇଛି। ତେବେ ପୂର୍ବ ତୁଳନାରେ ରାଜ୍ୟରେ ଏବେ ନମୁନା ପରୀକ୍ଷା ସଂଖ୍ୟା କମିଛି। ଗତ ସେପ୍ଟେମ୍ବର ମାସ ବେଳକୁ ଦୈନିକ ୫୦ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଥିବା ବେଳେ ଏବେ ତାହା ୩୦ ହଜାରକୁ ଖସି ଆସିଛି। ରାଜ୍ୟର କୋଭିଡ୍ ନମୁନା ପରୀକ୍ଷାର ସିଂହଭାଗ ପରୀକ୍ଷା ରାପିଡ୍ ଆଣ୍ଟିଜେନ୍ କିଟ୍ରେ କରାଯାଉଛି। ତେବେ ରାପିଡ୍ କିଟ୍ରେ ଅଧିକ ମାତ୍ରାରେ ରିପୋର୍ଟ ଭୁଲ୍ ଆସୁଥିବାରୁ ୩/୪ ଦିନ ତଳେ କେନ୍ଦ୍ର ସରକାର ଏହି କିଟ୍ରେ ଅଧିକ ପରୀକ୍ଷା ନ କରିବା ଲାଗି ରାଜ୍ୟ ସରକାରମାନଙ୍କୁ କହିଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ରାପିଡ୍ ଆଣ୍ଟିଜେନ୍ କିଟ୍ ଅପେକ୍ଷା ଆରଟି-ପିସିଆର୍ ପରୀକ୍ଷାକୁ ବୃଦ୍ଧି କରିବା ଲାଗି କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ସ୍ପଷ୍ଟ ହୋଇପାରିନାହିଁ।
ଅପରପକ୍ଷରେ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲଗାତାର ୪ଶହ ତଳେ ରହୁଛି। ଫଳସ୍ବରୂପ ରାଜ୍ୟର ସାମଗ୍ରିକ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୫ପ୍ରତିଶତକୁ ଖସି ଆସିଛି। ଗତ ସେପ୍ଟେମ୍ବର ମାସ ବେଳକୁ ଏହା ପ୍ରାୟ ୭ ପ୍ରତିଶତ ରହିଥିଲା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫୧ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକାଂଶ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୫ ହଜାର ୧୪୭କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୫୨,୨୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆହୁରି ୫ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮୨୫କୁ ବୃଦ୍ଧି ପାଇଛି। କରୋନା ମୃତ୍ୟୁ କ୍ଷେତ୍ରରେ ଖୋର୍ଧା ଜିଲ୍ଲା ସବୁଠାରୁ ଆଗରେ ରହିଛି। ଜିଲ୍ଲାରେ ୩୧୧ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମରେ ୨୪୬, ସୁନ୍ଦରଗଡ଼ ୧୫୮, କଟକ ୧୩୮ ଓ ପୁରୀରେ ୧୧ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ଜିଲ୍ଲାରେ ସବୁଠାରୁ କମ୍ ୫ଜଣ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଆଜି ୩୭୬ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୨୦ ହଜାର ୫୮୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୬୮୫କୁ ଖସି ଆସିଛି। ସୋନପୁର ଜିଲ୍ଲାରେ ସବୁଠାରୁ କମ୍ ଜଣେ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Coronavirus-testing-reuters.jpg)