ଆଜିଠାରୁ କୋରାପୁଟରେ କରୋନା ପରୀକ୍ଷା, ମେଡିକାଲ କଲେଜରେ ପ୍ରସ୍ତୁତି ଚୂଡାନ୍ତ

କୋରାପୁଟ: ଆଜିଠାରୁ କୋରାପୁଟରେ କରୋନା ପରୀକ୍ଷା ହେବ। ଏଥିପାଇଁ କୋରାପୁଟସ୍ଥିତ ଏସଏଲଏନ ମେଡିକାଲ କଲେଜରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏଠାରେ ଆବଶ୍ୟକ ଯନ୍ତ୍ରପାତି ସ୍ଥାପନ କରାଯାଇଥିଲାବେଳେ ପ୍ରାଥମିକ ପର୍ଯ୍ୟାୟରେ ଅଳ୍ପ ସଂଖ୍ୟକ ପରୀକ୍ଷା କରାଯିବ। ପରବର୍ତ୍ତୀ ସମୟରେ ଏଠାରେ କରୋନା ପରୀକ୍ଷାକୁ ଅଧିକ ବଢାଇବା ପାଇଁ ଯୋଜନା ରହିଛି।

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଏକ ସ୍ବତନ୍ତ୍ର କକ୍ଷରେ କରୋନା ପରୀକ୍ଷା କେନ୍ଦ୍ର କରାଯାଇଛି। ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ଏହି କକ୍ଷରେ ପରୀକ୍ଷା ପାଇଁ ଯନ୍ତ୍ରପାତି ଲାଗିଛି। ଏଥିପାଇଁ ଏହି କକ୍ଷକୁ ପ୍ରସ୍ତୁତ କରାଯିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଶେଷ ହୋଇଛି। ଚେନ୍ନାଇରୁ ଏକ ବିଶେଷଜ୍ଞ ଦଳ ଆସି କରୋନା ପରୀକ୍ଷ‌ା ପାଇଁ ଆବଶ୍ୟକ ଯନ୍ତ୍ରପାତି ସ୍ଥାପନ କରିଥିଲେ। ଏ ଭିତରେ କରୋନା ପରୀକ୍ଷା ସଂପର୍କିତ ତାଲିମ ନେବାକୁ ଏକ ଟିମ ବାହାରକୁ ଯାଇ ଫେରିଛି। କରୋନା ପରୀକ୍ଷା କେନ୍ଦ୍ର ପାଇଁ ରାଜ୍ୟ ସରକାର ସହଯୋଗ କରିବା ସହ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ମଧ୍ୟ ଟଙ୍କା ବରାଦ କରାଯାଇଥିଲା। ଆଉ ଶେଷରେ ଏହା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ଅଧିକ କରୋନା ପରୀକ୍ଷା କରାଯାଇ ପାରିବ ନାହିଁ। ଅଳ୍ପ ସଂଖ୍ୟକ ସନ୍ଧିଗ୍ଧଙ୍କ ନମୁନା ପରୀକ୍ଷା ହେବ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସଂଖ୍ୟା ବଢିବ। ଏଥିନେଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ମାଇକ୍ରୋ ବାଇଓଲୋଜି ବିଭାଗର ପ୍ରଫେସର ଡଃ ସୁଶାନ୍ତ ସାହୁ କହିଛନ୍ତି ଯେ, ଶନିବାରଠାରୁ ଏଠାରେ ବିଧିବଦ୍ଧ ଭାବେ କରୋନା ପରୀକ୍ଷା କରାଯିବ। ଏହି ପରୀକ୍ଷା କେନ୍ଦ୍ର ଆସନ୍ତାକାଲି ଉଦ୍ଘାଟନ ହେବା ପରେ ପ୍ର‌ାଥମିକ ପର୍ଯ୍ୟାୟରେ ଦିନକୁ ୬ଟି ପରୀକ୍ଷା କରାଯିବ। ପରେ ଏହି ସଂଖ୍ୟା ବଢିବ। କରୋନା ପରୀକ୍ଷା ପାଇଁ ଆଉ କିଛି ଆଧୁନିକ ଯନ୍ତ୍ରପାତି ଏଠାକୁ ଆସିବାର ରହିଛି ବୋଲି ସେ କହିଛନ୍ତି।

କୋରାପୁଟ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାକୁ କୋଲକତାରୁ ଫେରିଥିବା ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିଲେ। ଏ ଭିତରେ ସେ ସୁସ୍ଥ ହୋଇ ଫେରିଛନ୍ତି। ଏହା ପରେ ଜିଲ୍ଲାରେ ଆଉ କୌଣସି ନୂତନ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଅପରପକ୍ଷରେ ପଡୋଶୀ ରାୟଗଡା ଓ ନବରଙ୍ଗପୁରରୁ ମଧ୍ୟ କେହି ସଂକ୍ରମିତ ହୋଇ ନାହାନ୍ତି। ଅବିଭକ୍ତ କୋରାପୁଟରୁ କେବଳ ମାଲକାନ୍ଗିରି ଜିଲ୍ଳାରେ ଏବେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ କିଛି ଦିନ ହେଲା ବହୁ ପ୍ରବାସୀ ଓଡ଼ିଆ ଫେରୁଥିବାରୁ ଏହା ଚିନ୍ତା ବଢାଇ ଦେଇଛି। ବାହାରୁ ଲୋକମାନେ ଫେରିବା ପରେ ମାଲକାନଗିରିକୁ କରୋନା ଛୁଇଁଥିଲା। ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। କୋରାପୁଟ ଜିଲ୍ଲାର ସ୍ଥିତି ଭଲ ଥିଲେ ମଧ୍ୟ ଭବିଷ୍ୟତ ନେଇ ଆଶଙ୍କା ରହିଛି। ଏଭଳି ସ୍ଥିତିରେ କରୋନା ପରୀକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି। ବାହାରୁ ଆସୁଥିବା ଲୋକଙ୍କର ଠିକ ସମୟରେ କରୋନା ପରୀକ୍ଷା କରାଗଲେ ଏହି ମହାମାରୀକୁ ରୋକି ହେବ। ଏଠାରୁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବର ପରୀକ୍ଷା ପାଇଁ ପଠାଯାଉଥିବାରୁ ରିପୋର୍ଟ ମିଳିବାରେ ବିଳମ୍ବ ହେଉଥିଲା। ତେଣୁ କୋରାପୁଟରେ କରୋନା ମୁକାବିଲା ଦୁର୍ବଳ ହୋଇ ଯିବ ବୋଲି ଆଶଙ୍କା ପ୍ରକାଶ ପାଉଥିଲା। କୋରାପୁଟରେ କରୋନା ପରୀକ୍ଷା ପାଇଁ ବିଭିନ୍ନ ମହଲରେ ଦାବି ହେବା ପରେ କୋରାପୁଟ ଏସଏସଏଲନ ମେଡିକାଲ କଲେଜରେ ଏହି କରୋନା ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର