କୋଭିଡ ପରୀକ୍ଷା ପାଇଁ ହସ୍ପିଟାଲ ଆସିଥିବା ଲୋକେ ନିରାଶ

ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ବି କରୋନା ସଂକ୍ରମଣ ବଢ଼ିଚାଲିଛି। ଏଭଳି ସମୟରେ ବିଭିନ୍ନ ରାଜ୍ୟରୁ ଫେରୁଥିବା ଲୋକଙ୍କୁ ଛୋଟ ଛୋଟ ଗାଁଗୁଡ଼ିକରେ କୋଭିଡ ପରୀକ୍ଷା ରିପୋର୍ଟ ଦେଖାଇବା ପରେ ପ୍ରବେଶ ଅନୁମତି ମିଳୁଛି। ତେଣୁ ପ୍ରତିଦିନ ଭୋର୍‌ ୪ଟାରୁ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୋଭିଡ ପରୀକ୍ଷା କେନ୍ଦ୍ର ଆଗରେ ଲୋକେ ଧାଡ଼ିରେ ଲାଗୁଛନ୍ତି। ପର୍ଯ୍ୟାପ୍ତ ପରୀକ୍ଷା ସୁବିଧା ନଥିବାରୁ ବହୁ ଲୋକ ଚାରି ପାଞ୍ଚଦିନ ଧରି ଅପେକ୍ଷା ପରେ ପରୀକ୍ଷା କରାଇ ପାରୁଥିବା ପ୍ରକାଶ କରିଛନ୍ତି।

ଏ ବିଷୟରେ ବିପିଏମ ସୁଶାନ୍ତ ଭୋଇଙ୍କୁ ପଚାରିବାରୁ ଜିଲ୍ଲାରୁ ମିଳିଥିବା ଟାର୍ଗେଟ ମୁତାବକ ହିଁ ପରୀକ୍ଷା କରାଯାଉଛି, ସିଏଚ୍‌ସି ସହିତ ପ୍ରତିଦିନ ବିଭିନ୍ନ ଗାଁରେ ମଧ୍ୟ ପରୀକ୍ଷା କରାଯାଉଛି ବୋଲି ସେ କହିଥିଲେ। ଶୁକ୍ରବାର ସିଏଚ୍‌ସିରେ ୩୦ଟି ନମୁନା ପରୀକ୍ଷା ପାଇଁ ଟାର୍ଗେଟ ଥିଲା। ଫଳରେ ବହୁ ଲୋକ ନିରାଶ ହୋଇ ଫେରି ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ପରିବାର ସଦସ୍ୟ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ପରୀକ୍ଷା କରାଇବାକୁ ଆସି ଫେରି ଯାଉଥିବା ଅଭିଯୋଗ କରିଛନ୍ତି। ତେଣୁ ଏଣ୍ଟିଜେନ ଟେଷ୍ଟ ସଂଖ୍ୟା ବଢ଼ାଇବା ଓ ସିନ୍ଧେକେଲାରେ ଆର୍‌ଟିପିସିଆର୍‌ ଟେଷ୍ଟ ମଧ୍ୟ ଉପଲବ୍ଧ କରାଇବାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଲୋକେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର