କୋରାପୁଟ ଜିଲ୍ଲାରେ ଲକ୍ଷେ ଟପିଲା କରୋନା ଟେଷ୍ଟିଂ, ଆରୋଗ୍ୟ ହାର ୯୫ ପ୍ରତିଶତ

ସଂକ୍ରମିତ ସଂଖ୍ୟା ୭,୧୦୮, ଆରୋଗ୍ୟ ୬,୭୨୪, ଅକ୍ଟୋବରରୁ ତଳମୁହାଁ

କୋରାପୁଟ : କୋରାପୁଟ ଜିଲ୍ଲାରେ ଲକ୍ଷେ ଟପିଛି କରୋନା ଟେଷ୍ଟିଂ। ଆଜି ସୁଦ୍ଧା ଜିଲ୍ଲାରୁ ୧ ଲକ୍ଷ ୯୯୫ ଜଣଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଏଥିରୁ ୧ ଲକ୍ଷ ୬୦୭ ଜଣଙ୍କର ପରୀକ୍ଷା ରିପୋର୍ଟ ଆସି ସାରିଛି। ଜିଲ୍ଳାରେ ସମୁଦାୟ ୭,୧୦୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଜିଲ୍ଲାରେ ଆରୋଗ୍ୟ ହାର ୯୫ ପ୍ରତିଶତ ରହିଛି । ସଂକ୍ରମିତଙ୍କ ମଧ୍ୟରୁ ୬,୭୨୪ ଜଣ ଆରୋଗ୍ୟ ଲାଭ କରି ସା‌ରିଲେଣି। ଜିଲ୍ଲାରେ ମାତ୍ର ୧୩ ଜଣଙ୍କର କୋଭିଡଜନିତ ମୃତ୍ୟୁ ହୋଇଥିବା ସରକାରୀ ଭା‌ବେ କୁହାଯାଇଛି। ଜିଲ୍ଲାରେ ଏବେ ଦୈନିକ ପାଖାପାଖି ହଜାରେ ନମୁନା ପରୀକ୍ଷା କରାଯାଉଛି। ଚଳିତମାସ ଆରମ୍ଭ ବେଳକୁ ଜିଲ୍ଲାରେ ୭୬,୯୮୬ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିଲା। ଅର୍ଥାତ ଏହି ମାସରେ ୨୪ ହଜାରରୁ ଅଧିକ ନମୁନାର ପରୀକ୍ଷା କରାଯାଇଛି। ଏହି ଅନୁପାତରେ ଜିଲ୍ଲାରେ ପଜିଟିଭ ମାମଲା ହ୍ରାସ ପାଇଛି। ମାସ ଆରମ୍ଭ ବେଳକୁ ଜିଲ୍ଲାରେ ୬,୧୧୫ ଜଣ କରୋନା ସଂକ୍ରମିତ ହୋଇଥିଲେ। ସେତେବେଳେ ୫ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ରହିଥିଲେ। ଏବେ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ସାଢେ ୩ ଶହ ରହିଛି। ଅକ୍ଟୋବର ମାସରେ ଜିଲ୍ଲାରେ ସଂକ୍ରମଣ କମିବା ସହ ଆରୋଗ୍ୟ ହାର ବଢିଛି। ପ୍ରତିଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମି କମି ଚାଲିଛି।

କରୋନା ଦେଶକୁ ଛୁଇଁଲା ପରେ ପରେ ମାର୍ଚ୍ଚ ମା‌ସରୁ କୋରାପୁଟରୁ ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା ପାଇଁ ପଠାଯାଉଥିଲା। ଆଗରୁ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଉଥିବାବେଳେ ପରବର୍ତ୍ତୀ ସମୟରେ କୋରାପୁଟ ଓ ଜୟପୁରରେ ପରୀକ୍ଷା ସୁବିଧା ଉପଲବ୍ଧ ହୋଇଥିଲା। ବର୍ତ୍ତମାନ କ‌ୋରାପୁଟ ମେଡିକାଲ କଲେଜ‌ରେ ଆରଟିପିସିଆର ପରୀକ୍ଷା ସହ ବିଭିନ୍ନ ବ୍ଳକରେ ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଛି। ସେପ୍ଟେମ୍ବର ପହିଲା ବେଳକୁ ଜିଲ୍ଳାରେ ପ୍ରାୟ ୫୦ ହଜାର ନମୁନା ପରୀକ୍ଷା କରାଯାଇଥିଲା। ସେପ୍ଟେମ୍ବର ଓ ଅକ୍ଟୋବରରେ ଏହା ୨ ଗୁଣ ହୋଇଛି। ସେପ୍ଟେମ୍ବର ମାସରେ ହିଁ ଜିଲ୍ଲାରେ କରୋନା ସଂକ୍ରମଣ ଶୀର୍ଷରେ ରହିଥିଲା। ଅକ୍ଟୋବର ପହିଲାରୁ ଏହା ତଳମୁହାଁ ହୋଇଛି। କୋରାପୁଟ ଜିଲ୍ଲାର ବିଭିନ୍ନ ଭାଗରୁ ଆଜି ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଜିଲ୍ଲା ବାହାରୁ ଫେରିଥିବାବେଳେ ୧୫ ଜଣ ପୂର୍ବ ଆକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ୨୯ ଜଣ ସ୍ଥାନୀୟ ସଂକ୍ରମିତ। ଆଜି ବୋରିଗୁମ୍ମାରୁ ସର୍ବାଧିକ ୯ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। କୋରାପୁଟ ଓ ସୁନାବେଡା ସହରରୁ ୭ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୟପୁର ସହରରୁ ୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଛି।

ସେହିପରି ଆଜି ବୈପାରିଗୁଡା ବ୍ଲକରୁ ୩ ଜ‌ଣ, ଜୟପୁର ବ୍ଲକରୁ ଜଣେ, କୋରାପୁଟ ବ୍ଲକରୁ ୫ ଜଣ, କୋଟପାଡ ବ୍ଲକରୁ ୩ ଜଣ, କୁନ୍ଦୁରା ବ୍ଲକରୁ ୬ ଜଣ ଓ ଲକ୍ଷ୍ମୀପୁର ବ୍ଲକରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ଭିତରେ ୩୧ ଜଣ ପୁରୁଷ ଓ ୧୪ ଜଣ ମହିଳା ରହିଛନ୍ତି। ଆଜି ବନ୍ଧୁଁଗା, ନାରାୟଣପାଟଣା, ଦଶମନ୍ତପୁର, ଲମତାପୁଟ, ନନ୍ଦପୁର, ସେମିଳିଗୁଡା, ପଟାଙ୍ଗୀ ବ୍ଲକ ଅଂଚଳରେ ସଂକ୍ରମଣ ଶୂନ ରହିଛି। କୋଟପାଡ ସହରରୁ ମଧ୍ୟ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। କୋରାପୁଟ ‌ପୌରାଞ୍ଚଳରୁ ଚିହ୍ନଟ ୭ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ପୂଜାରୀପୁଟରୁ। କହ୍ନେଇପୁଟ, ଢେପ ସାହି, ମେଡିକାଲ କଲେଜ, ରିଜର୍ଭ ପୁଲିସ ଲାଇନ ଓ ସରସ୍ବତୀ ନଗରରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ଜଣାପଡିଛି। କୋରାପୁଟ ବ୍ଲକର ଡୁମୁରୀପୁଟରୁ ୪ ଜଣ ଓ ଗୋପାଳପୁଟରୁ ଜଣେ ସଂକ୍ରମିତ ହୋଇଛନ୍ତି। ସୁନାବେଡା ସହରରୁ ଚିହ୍ନଟ ୭ ସଂକ୍ରମିତଙ୍କ ଭିତରୁ ୫ ଜଣ ହାଲ ଟାଉନ୍‌ସିପରୁ। ସେମିଳିଗୁଡା ଇନ୍ଦିରା ନଗରରୁ ୨ ଜଣ ସଂକ୍ରମିତ ହୋଇଥିଲାବେଳେ ଓସିସି ନଗର ଓ ସରସ୍ବତୀ ନଗରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଜିଲ୍ଲାର କୌଣସି ସହର କିମ୍ବା ବ୍ଲକରେ ସଂକ୍ରମଣ ଦୁଇ ଅଙ୍କ ଛୁଇଁନଥିବା ଖବର ଜିଲ୍ଲାବାସୀଙ୍କୁ ଆଶ୍ବସ୍ତ କରିଛି।

ସମ୍ବନ୍ଧିତ ଖବର