ଏମ୍‌କେସିଜିରେ ୧୩ ନମୁନା ପରୀକ୍ଷା, ବ୍ରହ୍ମପୁରର ଜଣେ ସନ୍ଦିଗ୍ଧ ଭର୍ତ୍ତି, ସିଟି ହସ୍‌ପିଟାଲ, ଆର୍ମି ଏଡି କଲେଜରୁ ଆସିଲା ନମୁନା

ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଗତକାଲିଠାରୁ ଆରମ୍ଭ ହୋଇଛି କରୋନା ପରୀକ୍ଷା। ପ୍ରଥମ ଦିନରେ ୪ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଆଜି ୯ଟି ନମୁନା ପରୀକ୍ଷା କରାଯାଇଛି ବୋଲି ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ୫ଟି ନମୁନା ବଡ଼ ଡାକ୍ତରଖାନାରୁ ସଂଗ୍ରହ କରାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ବାରା ସିଟି ହସ୍‌ପିଟାଲ୍‌ରୁ ଏବଂ ଆର୍ମି ଏଡି କଲେଜ ହସ୍‌ପିଟାଲରୁ ୪ଟି ନମୁନା ଆସିଥିବା ସୂଚନା ଦିଆଯାଇଛି। ସେହିପରି ବଡ଼ ଡାକ୍ତରଖାନାରେ ଆଜି ବ୍ରହ୍ମପୁର ସହରର ଜଣେ ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି।

ବ୍ରହ୍ମପୁରରେ କରୋନା ପରୀକ୍ଷା ଆରମ୍ଭ ହେବା ପରେ ଏବେ ଗୋଟିଏ ଦିନରେ ରିପୋର୍ଟ ମିଳିଯାଉଛି। ଏହି ରିପୋର୍ଟକୁ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଆର୍‌ଏମ୍‌ଆର୍‌ସି ଭୁବନେଶ୍ବର ପଠାଉଛନ୍ତି। ପରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟ ଉପରେ ବିସ୍ତୃତ ସୂଚନା ପ୍ରଦାନ କରୁଛନ୍ତି।

ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସି) ତରଫରୁ ପ୍ରାୟ ୨୨ଲକ୍ଷ ଟଙ୍କାର ଏକ ସ୍ବତନ୍ତ୍ର ପିସିଆର୍‌ ମେସିନ୍‌ ବଡ଼ ଡାକ୍ତରଖାନାରେ ଗତ ୫ତାରିଖରେ ସ୍ଥାପିତ ହୋଇଥିଲା। ଏହାପରେ ମେସିନ୍‌ ଯୋଗାଇଥିବା କମ୍ପାନିର ଇଂଜିନିୟର୍‌ ଆସି ତାହା କାର୍ଯ୍ୟକ୍ଷମ କରିଥିଲେ। ପ୍ରଥମେ ପରୀକ୍ଷାମୂଳକ ଭାବେ ଟେଷ୍ଟିଂ କରାଯାଇଥିଲା। ସବୁ କିଛି ଠିକ୍‌ ରହିବା ପରେ ଆଇସିଏମ୍‌ଆର୍‌ ନିକଟକୁ ରିପୋର୍ଟ ପଠାଯାଇଥିଲା। ଆଇସିଏମ୍‌ଆର୍‌ର ଅନୁମତି କ୍ରମେ ଗତକାଲିଠାରୁ ପରୀକ୍ଷା ଆରମ୍ଭ ହୋଇଛି। ବର୍ତ୍ତମାନ ଆସିଥିବା କିଟ୍‌ରେ ଏକାଥରରେ ୯ଟି ନମୁନା ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି। ଅନ୍ୟ ଏକ କିଟ୍‌ରେ ସର୍ବାଧିକ ୧୭ଟି ନମୁନା ପରୀକ୍ଷା କରାଯାଇ ପାରିବ ବୋଲି ସୂଚନା ଦିଆଯାଇଛି। ଆଜି ୯ଟି ନମୁନା ପରୀକ୍ଷା କରାଯାଇଛି। ଅପରାହ୍ଣରେ ନମୁନାଗୁଡ଼ିକ ପରୀକ୍ଷା ମେସିନ୍‌ରେ ସ୍ଥାପନ କରାଯାଇଥିଲା। ପ୍ରାୟ ୫ଘଣ୍ଟା ପରେ ରିପୋର୍ଟ ଆସିବ। ରିପୋର୍ଟ ଆସିବା ପରେ ତାହା ଆର୍‌ଏମ୍‌ଆର୍‌ସିକୁ ପଠାଯିବ।

ମାଇକ୍ରୋବାୟୋଲୋଜି ବିଭାଗ ଅଧୀନରେ ଏହି ମେସିନ୍‌ କାର୍ଯ୍ୟକ୍ରମ ରହିଛି। ବିଭାଗର ପ୍ରଫେସରଙ୍କ ନେତୃତ୍ବରେ ୪ଜଣ ଡାକ୍ତରଙ୍କ ତତ୍ବାବଧାନ ପରୀକ୍ଷା ହେଉଛି। ବଡ଼ ଡାକ୍ତରଖାନାରେ ଆଜି ପର୍ଯ୍ୟନ୍ତ ମୋଟ ୩୮ଜଣ ସନ୍ଦିଗ୍ଧ ଭର୍ତ୍ତି ହୋଇ ସାରିଲେଣି। ଅଦ୍ୟାବଧି କାହାରି ନମୁନା ପଜିଟିଭ୍‌ ଆସିନାହିଁ। କିନ୍ତୁ ପୂର୍ବରୁ ଭୁବନେଶ୍ବର ପଠାଯାଇଥିବା ନମୁନା ମଧ୍ୟରୁ ୪ଟି ନମୁନା ପରୀକ୍ଷା ହୋଇ ନଥିଲା। ତେଣୁ ଆଜି ବଡ଼ ଡାକ୍ତରଖାନାରୁ ସଂଗ୍ରହ ହୋଇଥିବା ୫ଟି ନମୁନା ମଧ୍ୟରେ ପୂର୍ବରୁ ସଂଗ୍ରହ ହୋଇଥିବା ୪ଟି ପୁରୁଣା ନମୁନା ରହିଛି।

ସମ୍ବନ୍ଧିତ ଖବର