ଦୈନିକ ୭୧,୮୦୦ ନମୁନା ପରୀକ୍ଷା, ଜାରି ହେଲା ନୂତନ ନମୁନା ପରୀକ୍ଷା ଲକ୍ଷ୍ୟ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ସଂଶୋଧିତ ନୂତନ ପରୀକ୍ଷା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ କରୋନାର ଦ୍ବିତୀୟ ଲହର ଜାରି ରହିବା ଓ ମୌସୁମୀକୁ ନଜରରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି। ତେବେ ନୂତନ ସଂ‌ଶୋଧିତ ନମୁନାରେ ୭୦ ପ୍ରତିଶତ ରାପିଡ୍‌ ଆଣ୍ଟିଜେନ କିଟ୍‌ରେ ପରୀକ୍ଷା କରାଯିବ। ବଳକା ପରୀକ୍ଷା ଆର୍‌ଟି-ପିସିଆର ହେବ। ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ବିଶେଷଜ୍ଞମାନେ ଏହା ଅଗଷ୍ଟ ମାସରୁ ଆରମ୍ଭ ହେବ ବୋଲି ଅନୁମାନ କରୁଛନ୍ତି।

ଯଦିଓ ରାଜ୍ୟରେ ତୃତୀୟ ଲହର ଆରମ୍ଭ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ ହେଲେ ଏହାର ମୁକାବିଲା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତୃତୀୟ ଲହରରେ ଅଧିକ ସଂଖ୍ୟାରେ ଶିଶୁମାନେ ପ୍ରଭାବିତ ହେବାରେ ଆଶଙ୍କା ଥିବାରୁ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାରେ ଜନସଂଖ୍ୟା ଅନୁସାରେ ପରୀକ୍ଷା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସୁନ୍ଦରଗଡ଼ରେ ସର୍ବାଧିକ ୬୫୦୦, ଖୋର୍ଧା-ଭୁବନେଶ୍ବରରେ ୫୦୦୦, କଟକରେ ୪୮୦୦, ଅନୁଗୁଳ ୪୭୦୦, ବାଲେଶ୍ବରରେ ୩୮୦୦, ସମ୍ବଲପୁର ୩୦୦୦ ଓ ଅନ୍ୟାନ୍ୟ ଜିଲ୍ଲାକୁ ମିଶାଇ ଦୈନିକ ୭୧,୮୦୦ ନମୁନା ପରୀକ୍ଷା ହେବ। ତହିଁରୁ ୨୧୮୦୦ ଆର୍‌ଟି-ପିସିଆର ଓ ବଳକା ୫୦,୦୦୦ ରାପିଡ୍‌ ଆଣ୍ଟିଜେନ ପରୀକ୍ଷା ହେବ। ଭୁବନେଶ୍ବରରେ ଉଭୟ ଆର୍‌ଟି-ପିସିଆର ଓ ରାପିଡ୍‌ ଆଣ୍ଟିଜେନକୁ ମିଶାଇ ଦୈନିକ ୩୨୦୦ ନମୁନା ପରୀକ୍ଷା ହେବ। କିଛି ଜିଲ୍ଲାର ଆର୍‌ଟି-ପିସିଆର ନମୁନର ପରୀକ୍ଷା ଭୁବନେଶ୍ବର କିମ୍ବା ଅନ୍ୟ ବଡ଼ ପରୀକ୍ଷା ଲ୍ୟାବ୍‌ରେ କରାଯିବ।

ସମ୍ବନ୍ଧିତ ଖବର