କଟକ : କରୋନା ପରୀକ୍ଷା ପାଇଁ ରାଜ୍ୟରେ ନାହିଁ ପର୍ଯ୍ୟାପ୍ତ କିଟ୍। ଫଳରେ ସ୍ବାବ ପରୀକ୍ଷା ଅଟକି ରହିଥିବାବେଳେ କଟକ ବଡ଼ ଡାକ୍ତରଖାନାରେ କିଛିଦିନ ପୂର୍ବରୁ ଆରମ୍ଭ ହୋଇଥିବା ପରୀକ୍ଷା ବ୍ୟବସ୍ଥା ବି ବାଧାପ୍ରାପ୍ତ ହୋଇଛି। କିଛି ପରିମାଣର କିଟ୍ ପହଞ୍ଚିବା ପରେ ଆଜି ଏସ୍ସିବିର ୩ଟି ଲାବ୍ରୁ ମାତ୍ର ଗୋଟିଏ ଲାବ୍ (ମାଇକ୍ରୋବାୟୋଲୋଜି)ରେ ପରୀକ୍ଷା ଆରମ୍ଭ ହୋଇଛି। ୩ଶହରୁ ଅଧିକ ସଂଗୃହୀତ ପୁରୁଣା ସ୍ବାବ୍ ସବୁକୁ ପରୀକ୍ଷା କରାଯାଇଛି। ଦୁଇ ଦିନ ଭିତରେ କିଟ୍ ପହଞ୍ଚିବାକୁ ଥିବାବେଳେ ଅନ୍ୟ ଦୁଇଟି ଲାବ୍(ଭିଆରଡିଏଲ୍ ଓ ମଲିକୁଲାର) ଲାବ୍ରେ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।
ଆରଏନ୍ଏ ବାହାର କରିବା ପାଇଁ ଆବଶ୍ୟକ ଥିବା କିଟ୍ ଅଭାବ୍ ରହିଥିବାରୁ ଯେଉଁ ପରିମାଣରେ ସ୍ବାବ୍ ପରୀକ୍ଷା କରାଯିବା କଥା ତାହା ହୋଇପାରୁନି। ସେଥିପାଇଁ ଆରଏମ୍ଆରସି ଗାଇଡ୍ ଲାଇନ୍ ଅନୁସାରେ 'ପୁଲ୍ ଟେଷ୍ଟିଂ' କରାଯାଉଛି। ଅର୍ଥାତ୍ ଏକାଥରକେ ୧୦ରୁ ଅଧିକ ସ୍ବାବ୍ ଏକାଠି ପରୀକ୍ଷା କରାଯାଉଛି। ଯଦି ସେଥିରୁ ଗୋଟିଏ ନମୁନା ପଜିଟିଭ୍ ଆସିଲା, ତା'ହେଲେ ପୁଣି ଆଉଥରେ ସମସ୍ତ ସ୍ବାବ୍କୁ ପରୀକ୍ଷା କରାଯିବ ବୋଲି ଏସ୍ସିବିର ବରିଷ୍ଠ ବିଶେଷଜ୍ଞ ସୂଚନା ଦେଇଛନ୍ତି। କିଟ୍ ଖର୍ଚ୍ଚ କମାଇବା ପାଇଁ ଏଭଳି ଯୋଜନା କରାଯାଇଥିବା ଜଣାପଡ଼ିଛି। କାରଣ ଦିନକୁ ଦିନ ନମୁନା ସଂଗ୍ରହ ପରିମାଣ ବୃଦ୍ଧି ପାଉଥିବାରୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସ୍ସିବିରେ ଏବେ ପାଖାପାଖି ୪୦୦ ସ୍ବାବ୍ ପରୀକ୍ଷା ଅପେକ୍ଷାରେ ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ତେବେ, କିଟ୍ ସମସ୍ୟା ଯଦି ଏଭଳି ଲାଗି ରହେ, ଆଗକୁ ରାଜ୍ୟ ବାହାରେ, ବିଦେଶରେ ଅଟକି ରହିଥିବା ଲୋକଙ୍କ ଫେରିବା ପରେ ସେମାନଙ୍କ ସ୍ବାବ୍ ପରୀକ୍ଷା କରିବା ସରକାରଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିବ।
ପ୍ରକାଶଥାଉକି, କଟକ ବଡ଼ ଡାକ୍ତରଖାନାରେ କିଟ୍ ସମସ୍ୟା ଯୋଗୁଁ ସ୍ୱାବ ପରୀକ୍ଷାରେ ଅଚଳାବସ୍ଥା ଦେଖାଦେଇଥିଲା। ଗତକାଲି ପରୀକ୍ଷା ଏକପ୍ରକାର ବନ୍ଦ ଥିବାବେଳେ ଆଜି ଦିନ ଗୋଟାଏରେ କିଟ୍ ପହଂଚିବା ପରେ ପରୀକ୍ଷା ଆରମ୍ଭ ହୋଇଥିବା ସୂଚନା ମିଳିଛି। କିନ୍ତୁ ଏସ୍ସିବିରେ କିଟ୍ ଅଭାବ ପାଇଁ ପରୀକ୍ଷା ବନ୍ଦ ରହିବା କଥାକୁ କର୍ତ୍ତୃପକ୍ଷ ଅସ୍ବୀକାର କରିବା ସହ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ମଧ୍ୟ ପରୀକ୍ଷା ଠିକ୍ ଭାବରେ ଚାଲିଥିବା ସୂଚନା ଦେଇଛନ୍ତି। କିନ୍ତୁ ପରୀକ୍ଷା କିଟସ୍ ଯୋଗାଣ ପାଇଁ କୋଲକାତା ଲାବ୍ରୋଟୋରି ସହିତ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି।
ଅନ୍ୟପଟେ ଏସସିବିର ସ୍ବତନ୍ତ୍ର କରୋନା ଆଉଟ୍ଡୋରକୁ ୩୦ ରୋଗୀ ପରାମର୍ଶ ପାଇଁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଭର୍ତ୍ତି କରାଯାଇଛି। ୯ଜଣଙ୍କୁ ଆଇସୋଲେସନ୍ରେ ରଖାଯାଇଛି। ୱାର୍ଡରେ ୨ ଜଣ ୧୪ ବର୍ଷରୁ କମ୍ ଶିଶୁ ରୋଗୀ ଥିବା ବେଳେ ଜଗତ୍ସିଂହପୁରର ଏକ ଶିଶୁର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। କିନ୍ତୁ ଶିଶୁର ରିପୋର୍ଟ ଏଯାଏ ଆସି ନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/scb-medical.jpg)