ଚିନ୍ତା ବଢ଼ାଇଲାଣି କୋଭିଡ୍ ପରୀକ୍ଷା

ରାଉରକେଲାରେ ପଜିଟିଭ୍, ଆର୍‌ଏମ୍‌ଆର୍‌ସିରେ ନେଗେଟିଭ୍

ମୂଳ ପରୀକ୍ଷା ବି ତ୍ରୁଟିପୂର୍ଣ୍ଣ ଥିବା ପ୍ରମାଣିତ ହେଲା
କରୋନା ଯୋଦ୍ଧାଙ୍କୁ ନେଇ ସାଂଘାତିକ ଖେଳ
ଟିକା ନେବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା
ଭିସୁଟ୍‌ ପରେ ରାଉରକେଲାରେ ଦ୍ବିତୀୟ ଘଟଣା
କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବାସ୍ଥ୍ୟ ବିଭାଗ କୁନ୍ଥକୁନ୍ଥ କାହିଁକି?

ଭୁବନେଶ୍ବର/ରାଉରକେଲା : କରୋନାକୁ ନେଇ ଆତଙ୍କିତ ଓଡ଼ିଶାବାସୀଙ୍କୁ କୋଭି଼ଡ୍ ଟିକା ଆଶ୍ବସ୍ତି ଦେଇଛି। କିନ୍ତୁ କୋଭିଡ୍ ଟିକା ନେବା ପରେ ପୁଣି କରୋନା ପଜିଟିଭ୍? ରାଉରକେଲାର ଜଣେ ଆଗ ଧାଡ଼ିର କରୋନା ଯୋଦ୍ଧା ଡାକ୍ତର ଏସ୍ ସୁଲେମାନ୍‌ (ଦୁଇ ଡୋଜ୍ ଟିକା ନେଇସାରିଛନ୍ତି)ଙ୍କର ରିପୋର୍ଟ ସାମ୍ନାକୁ ଆସିବା ପରେ ସମଗ୍ର ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲା।

ସ୍ବାସ୍ଥ୍ୟ ବିଭାଗ ତନାଘନା କରି ଆଜି ସ୍ପଷ୍ଟ କରିଛି ଯେ ୭୧ ବର୍ଷ ବୟସର ଏହି ବରିଷ୍ଠ ଡାକ୍ତର ଯିଏ ଆଇଜିଏଚ୍‌ରେ ଆର୍‌ଟି-ପିସିଆର୍‌ ପରୀକ୍ଷା ପରେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡ଼ିଥିଲେ, ତାହା ଠିକ୍ ରିପୋର୍ଟ ନୁହେଁ। ବରଂ ଆର୍‌ଏମ୍‌ଆର୍‌ସି ତାଙ୍କୁ କୋଭିଡ୍ ନେଗେଟିଭ୍ ବୋଲି ଘୋଷଣା କରିଛି। ଆର୍‌ଏମ୍‌ଆର୍‌ସିରେ ହୋଇଥିବା ପରୀକ୍ଷାରୁ ଆହୁରି ଜଣାପଡ଼ିଛି ଯେ ତାଙ୍କ ଦେହରେ ଆଣ୍ଟିବଡିର ମାତ୍ରା ବହୁତ ଅଧିକ ରହିଛି।

ଆହୁରି ସାଂଘାତିକ କଥା ହେଲା, ଆଇଜିଏଚ୍‌ରେ ଟେଷ୍ଟ୍‌ ହୋଇଥିବା ମୂଳ ନମୁନା ଆର୍‌ଏମ୍‌ଆର୍‌ସିରେ ଆଉ ଥରେ ଟେଷ୍ଟିଂ କରାଯାଇଥିଲା। ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରିବା ପରେ ଆଜି ଅପରାହ୍ନରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ମହାପାତ୍ର ଗଣମାଧ୍ୟମକୁ ଜଣାଇଛନ୍ତି ଯେ ଏ ରିପୋର୍ଟ ବି ନେଗେଟିଭ୍। ଅତଏବ ଡ. ସୁଲେମାନ୍‌ଙ୍କୁ କୋଭିଡ୍ ହୋଇଥିବା କଥା ଯାହା ମୂଳରୁ କୁହାଯାଉଥିଲା ତାହା ମିଛ। ମୂଳ ନମୁନା ପରୀକ୍ଷା ବେଳେ ପ୍ରଦୂଷିତ ହୋଇଥାଇପାରେ ବୋଲି ସନ୍ଦେହ କରାଯାଇଛି।

ସମୁଦାୟ ଘଟଣାଟି ଉପରୁ ପରଦା ହଟିବା ପରେ ସାରା ରାଜ୍ୟରେ କିନ୍ତୁ ନୂଆ ଦ୍ବନ୍ଦ୍ବ ସୃଷ୍ଟି ହେଲାଣି। ଏଇଥିପାଇଁ ଯେ କିଛି ଦିନ ତଳେ ଭିସୁଟ୍‌ରେ ଅନୁରୂପ ଘଟଣା ଘଟିଥିଲା। ୨୫ ଜଣ ଛାତ୍ରଙ୍କ କୋଭିଡ୍ ରିପୋର୍ଟ ପ୍ରଥମ ପଜିଟିଭ୍ ବୋଲି କୁହାଗଲା। ପରେ ତାହା ନେଗେଟିଭ୍ ବୋଲି ଜଣାପଡ଼ିଲା। ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ଦେଇ କହିଥିଲା ଯେ ଟେଷ୍ଟିଂ କିଟ୍ ଭୁଲ୍ ଅଛି, ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

The Verge

ସମଗ୍ର ଦେଶରେ କୋଭିଡ୍‌କୁ ନେଇ ପୁଣି ଥରେ ଆଲୋଡ଼ନ ସୃଷ୍ଟି ହେଲାଣି। ଓଡ଼ିଶାର ୧୦ ଜିଲ୍ଲା ପାଇଁ କେନ୍ଦ୍ର ସରକାର ସତର୍କତା ଜାରି କରିଛନ୍ତି। ଠିକ୍ ଏମିତି ସମୟରେ ଥରେ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା, ପରେ ପୁଣି ନେଗେଟିଭ୍ ହେବା ଘଟଣା ସମୁଦାୟ ପ୍ରକ୍ରିୟା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କଲାଣି।

ଭିସୁଟ୍ ପରେ ରାଉରକେଲାରେ ସାମ୍ନାକୁ ଆସିଥିବା ଅଭାବନୀୟ ଘଟଣା ପରେ ଯେଉଁ ମୌଳିକ ପ୍ରଶ୍ନଟି ଉଠୁଛି, ତାହା ହେଲା, ପ୍ରତିଦିନ ରାଜ୍ୟରେ ଯେତେ ନମୁନା ପରୀକ୍ଷା ହେଉଛି, ସେ ମଧ୍ୟରୁ କେଉଁ ପରୀକ୍ଷା ଠିକ୍ ତା’ର ବିଶ୍ବସନୀୟତା ସଂପର୍କରେ ସାଧାରଣ ଲୋକଟିଏ କେମିତି ଜାଣିପାରିବ? ପଜିଟିଭ୍ ରିପୋର୍ଟ ନେଗେଟିଭ୍ ଟିକିଏ କମ୍ ବିପଦଗ୍ରସ୍ତ। କିନ୍ତୁ ଯଦି କିଏ ଆକ୍ରାନ୍ତ ହୋଇଥିବ, ଅଥଚ ରିପୋର୍ଟ ନେଗେଟିଭ୍ ଆସୁଥିବ, ତେବେ?

ଗୋଟିଏ ମହଲର ମତ ହେଉଛି, ଭିସୁଟ୍‌ରେ କିଟ୍ ଖରାପ ଥିଲା ବୋଲି କୁହାଗଲା। ସେବେ ସେହି ବ୍ୟାଚ୍‌ରେ ତିଆରି ହୋଇଥିବା ବା ସଂପୃକ୍ତ କଂପାନି ଯୋଗାଇଥିବା ଅନ୍ୟ କିଟ୍‌ ଯେ ଠିକ୍ ଅଛି, ସେ ଗ୍ୟାରେଣ୍ଟି କିଏ ଦେଲା? ସେ ସଂସ୍ଥା ଯୋଗାଇଥିବା ସବୁ ଅଞ୍ଚଳରୁ କିଟ୍ ପ୍ରତ୍ୟାହାର ସଂପର୍କରେ ସ୍ବାସ୍ଥ୍ୟ ବିଭାଗ କାହିଁକି ଘୋଷଣା କଲେନି? ସରକାର ସେ କଂପାନି ବିରୋଧରେ ଫୌଜଦାରି ମକଦ୍ଦମା ରୁଜୁ କରିବା ପାଇଁ କୁନ୍ଥକୁନ୍ଥ କାହିଁକି? ଏତେ ସମ୍ବେଦନଶୀଳ ପ୍ରସଙ୍ଗରେ ସଂପୃକ୍ତ ସଂସ୍ଥା ଏଭଳି ଦାୟିତ୍ବହୀନ କାମ କିଭଳି କରିପାରିଲା?

ସର୍ବୋପରି ରାଉରକେଲାରେ ଏହି ନମୁନାଟି ପ୍ରଦୂଷିତ ହେଲା, ତେବେ ବାକି ନମୁନା ଯେ ଠିକ୍ ଅଛି ଏ ନେଇ ଜଣେ କେମିତି ନିଶ୍ଚିତ ହେବ? ବ୍ୟବସ୍ଥାକୁ ସନ୍ଦେହ ଭିତରେ ଗୁନ୍ଥି ଦେଉଥିବା ବ୍ୟକ୍ତି ବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି? କେଉଁ ପରିସ୍ଥିତିରେ ଏମିତି ହେଲା, ସେ କଥା ସରକାର ଯାଞ୍ଚ କରିବେନି? ଏମିତି ଅନେକ ପ୍ରଶ୍ନର ଉତ୍ତର ଏଯାଏ ମିଳିନାହିଁ।

ଆମ ରାଉରକେଲା ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆର୍‌ଜିଏଚ୍‌ରେ ଆସିଷ୍ଟାଣ୍ଟ୍‌ ସର୍ଜନଭାବେ କାର୍ଯ୍ୟରତ ବୟୋଜ୍ୟେଷ୍ଠ ଡାକ୍ତର(୭୧) ଏସ୍ ସୁଲେମାନ୍‌ ଗତ ଜାନୁଆରି ୧୬ ଓ ଫେବ୍ରୁଆରି ୧୫ ତାରିଖରେ କୋଭିଡ୍ ଟିକା ନେଇଥିଲେ। ତେବେ ମାର୍ଚ୍ଚ ପହିଲାରେ ସଂପୃକ୍ତ ଡାକ୍ତରଙ୍କ ପାଖରେ କୋଭିଡ୍‌ ଲକ୍ଷଣ ଦେଖିବାକୁ ମିଳିଥିଲା। ଏଣୁ ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯିବାରୁ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ମାତ୍ର ଲକ୍ଷଣ ଦୂର ନ ହେବାରୁ ଗତ ୪ ତାରିଖରେ ଆର୍‌ଟିପିସିଆର୍‌ ଟେଷ୍ଟ୍‌ କରାଯାଇଥିଲା। ଏଥିରେ ରିପୋର୍ଟ ପଜିଟିଭ୍‌ ଆସିଥିଲା; ଯାହାକି ସନ୍ଦେହ ସୃଷ୍ଟି କରିଥିଲା। ଏଣୁ ପୁନର୍ବାର ଆର୍‌ଏମ୍‌ଆର୍‌ସିକୁ ସ୍ବାବ୍‌ ପଠାଯାଇଥିଲା। ଏବେ ଆର୍‌ଏମ୍‌ଆର୍‌ସି ରିପୋର୍ଟ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ କିଟ୍‌ର ମାନକୁ ନେଇ ପ୍ରଶ୍ନ ଉଠିଲାଣି। ଏଠାରେ ମଧ୍ୟ ନିମ୍ନମାନର କିଟ୍ ଯୋଗାଣ ହୋଇଥାଇପାରେ ବୋଲି ଅଭିଯୋଗ ହୋଇଛି।

ସରକାର ଏହା ଉପରେ ତୁରନ୍ତ ପଦକ୍ଷେପ ନ ନେଲେ, ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ତୁଟିଯାଇପାରେ। ପୂର୍ବରୁ କୋଭିଡ୍ ଦୁର୍ନୀତିକୁ ନେଇ ସ୍ବାସ୍ଥ୍ୟ ବିଭାଗ ଅକଳରେ ପଡ଼ିଥିଲା। ମାମଲା ଲୋକାୟୁକ୍ତରେ ରହିଛି। ଏବେ ଟେଷ୍ଟିଂ ସମସ୍ୟା କୋଭିଡ୍ ପ୍ରସଙ୍ଗରେ ସରକାରଙ୍କ ଏତେ ବଡ଼ ସଫଳତା ପ୍ରତି ବିପଦ ସୃଷ୍ଟି କଲାଣି। ଲୋକଙ୍କ ଜୀବନ ମରଣ ସହିତ ସହିତ ଯୋ଼ଡି ହୋଇଥିବା ଏହି ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ବିଶେଷଜ୍ଞ ମାନେ ମଧ୍ୟ ମତ ରଖିଲେଣି।

ସମ୍ବନ୍ଧିତ ଖବର