ଭୁବନେଶ୍ବର : ଆପଣ ଆର୍‌ଟିପିସିଆର୍ କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ନମୁନା ଦେଇଛନ୍ତି କି? ଏବେ ଆଉ ରିପୋର୍ଟ ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ। ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଆଜି ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ୍‌ ଆଇଡି ଦାଖଲ କରି ନିଜର ନମୁନା ପରୀକ୍ଷା ଫଳାଫଳ ଜାଣିପାରିବେ। ଆବଶ୍ୟକସ୍ଥଳେ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ। ଏହି ଡିଜିଟାଲ୍ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ।

Advertisment

ଏହି କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ମହାମାରୀ ବିରୋଧରେ ଲଢ଼େଇରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ଏହି ଅଭିନବ ବ୍ୟବସ୍ଥା ରିପୋର୍ଟ ସଂଗ୍ରହ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ଲୋକଙ୍କୁ ସୁବିଧାରେ କୋଭିଡ ରିପୋର୍ଟ ମିଳିବା ସହ ଏହି କଠିନ ସମୟରେ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେବ। ରାଜ୍ୟବାସୀଙ୍କ ମୂଲ୍ୟବାନ ଜୀବନ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର କୋଭିଡ ପରୀକ୍ଷାଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ସେବା ମାଗଣାରେ ଯୋଗାଇ ଦେଉଛନ୍ତି। କେବଳ ସେତିକି ନୁହେଁ, ଆମେ କୋଭିଡ ପରୀକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଆରଟି ପିସିଆର ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରୁଛୁ।"

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, '୫ଟି' ଅଧୀନରେ ଏହି ଆରଟିପିସିଆର ରିପୋର୍ଟ ୱେବସାଇଟ୍ ଆରମ୍ଭ କରାଯାଇଛି। ବ୍ୟବହାରକାରୀଙ୍କ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଓଟିପି ଦ୍ୱାରା ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବରକୁ ରିପୋର୍ଟ ପଠାଯିବ। ଲୋକଙ୍କ ସୁବିଧା ପାଇଁ https://covid19regd.odisha.gov.inamplCollectionDetails.aspx ୱେବସାଇଟକୁ https:/tatedashboard.odisha.gov.in ସହିତ ସଂଯୋଗ କରାଯାଇଛି।

ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ମନୋଜ କୁମାର ମିଶ୍ର କହିଥିଲେ, "ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ସିଧାସଳଖ ଲୋକଙ୍କୁ ନମୁନା ପରୀକ୍ଷା ରିପୋର୍ଟ ପ୍ରଦାନର ବ୍ୟବସ୍ଥା କରିଛୁ। ଏହି ସୁବିଧା ଗ୍ରାମପଞ୍ଚାୟତସ୍ତରରେ 'ମୋ ସେବା କେନ୍ଦ୍ର'ରେ ମଧ୍ୟ ଉପଲବ୍ଧ କରାଯାଇଛି।"