ସାପ୍ତାହିକ ଟେଷ୍ଟିଂରେ ୩.୧ % ହ୍ରାସ
ଆରଟି-ପିସିଆର ପରୀକ୍ଷାରେ ୩୬% ହ୍ରାସ‌
ଖୋର୍ଧା ଜିଲ୍ଲା‌ରୁ ସର୍ବାଧିକ ସଂକ୍ରମଣ
ଭିନ୍ନ କଥା କହୁଛି ରାଜ୍ୟର ତଥ୍ୟ

Advertisment

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କ୍ରମାଗତ ଭାବେ ୨ଶହ ଉପରେ ରହୁଛି। ଗତ କିଛିଦିନ ହେବ ଏକାଧିକ ଜିଲ୍ଲାରେ କରୋନା ସଂକ୍ରମଣରେ ହଠାତ୍ ବୃଦ୍ଧି ନଜରକୁ ଆସିଛି। ହେଲେ ରାଜ୍ୟ ସରକାର କରୋନା ଟେଷ୍ଟିଂକୁ କମାଇ ସାରିଲେଣି। ଗତମାସ ୨୬ ନଭେମ୍ବରରୁ ଚଳିତମାସ ୩ତାରିଖ ଭିତରେ ରାଜ୍ୟରେ ନମୁନା ପରୀକ୍ଷା ୩.୧ ପ୍ରତିଶତ ହ୍ରାସ ପାଇଛି। ଚିନ୍ତାର ବିଷୟ ହେଉଛି କରୋନା ଚିହ୍ନଟ ପାଇଁ ଉନ୍ନତ ମାନର ପରୀକ୍ଷା କୁହାଯାଉଥିବା ଆରଟି-ପିସିଆର ପରୀକ୍ଷାରେ ୩୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଯାହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆରକେ ଶର୍ମାଙ୍କୁ ଏଥିପାଇଁ ଚିଠି ଲେଖିଛନ୍ତି।

ରାଜ୍ୟରେ ଦୈନିକ ୭୦ହଜାର ନମୁନା ପରୀକ୍ଷା ପୂର୍ବଭଳି ଜାରି ରଖିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହାସହ ସବୁ ଜିଲ୍ଲାରେ ଆରଟି-ପିସିଆର ମେସିନ୍ କାର୍ଯ୍ୟକ୍ଷମ ‌କରାଯାଇଛି। ମାତ୍ର ଦୈନିକ ନମୁନା ପରୀକ୍ଷା ଏବେ ୭୦ହଜାରରୁ ୫୦ହଜାରକୁ ଖସି ଆସିଛି। ଜିଲ୍ଲାସ୍ତରରେ ଆରଟି-ପିସିଆର ମେସିନ୍ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆରଟି-ପିସିଆର ନମୁନା ପରୀକ୍ଷାରେ କିଭଳି ହ୍ରାସ ଘଟିଲା ତାହା ମଧ୍ୟ ଆଶ୍ଚର୍ଯ୍ୟ କରିଛି। କେନ୍ଦ୍ର ସରକାର ଚିଠିରେ ଦର୍ଶାଇଛନ୍ତି ଯେ କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ପାଇଁ ସବୁ ରାଜ୍ୟମାନଙ୍କୁ ବିଦେଶ ଫେରନ୍ତାଙ୍କ ସମେତ ହଟସ୍ପଟ୍‌ ଓ ନିରୀକ୍ଷଣ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ହେଲେ ଓଡ଼ିଶାରେ ନମୁନା ପରୀକ୍ଷା ୪,୦୧,୧୬୪ରୁ ହ୍ରାସ ପାଇ ୩,୮୮,୭୮୮ରେ ପହଞ୍ଚିଛି। ସେହିପରି ୬ଟି ଜିଲ୍ଲାରେ ସଂକ୍ରମଣରେ ଅହେତୁକ ବୃଦ୍ଧି ହୋଇଛି। ଢେଙ୍କାନାଳ ଜିଲ୍ଲାରେ ୨୦-୨୬ ନଭେମ୍ବର ଭିତରେ ୯ଟି ମାମଲା ଥିବା ବେଳେ ଚଳିତମାସ ୩ତାରିଖ ବେଳକୁ ସଂକ୍ରମିତଙ୍କ ସଂଖ୍ୟା ୬୯କୁ ବୃଦ୍ଧି ପାଇଛି। ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା ୬୬୬ ପ୍ରତିଶତ ବୃଦ୍ଧି ପାଇଛି।

କନ୍ଧମାଳରେ ସଂକ୍ରମିତଙ୍କ ସଂଖ୍ୟା ୨ରୁ ବୃଦ୍ଧି ୭, ନବରଙ୍ଗପୁରରୁ ୨ରୁ ୫, କେନ୍ଦୁଝରରେ ୧୧ରୁ ବୃଦ୍ଧି ପାଇ ୨୩, ଅନୁଗୁଳରେ ୨୦ରୁ ବୃଦ୍ଧି ପାଇ ୩୯ ଓ ବଲାଙ୍ଗୀରରେ ୮ରୁ ବୃଦ୍ଧି ପାଇ ୧୪ରେ ପହଞ୍ଚିଛି। ଏସବୁ ଜିଲ୍ଲାରେ ସଂକ୍ରମିତଙ୍କ ବୃଦ୍ଧି ହାର ୭୫-୨୫୦ ପ୍ରତିଶତ ରହିଛି। ଏସବୁ ଜିଲ୍ଲା ବାଦ୍ ଖୋର୍ଧା ଜିଲ୍ଲାରେ ସ୍ଥିତି ବେଶ୍ ଚିନ୍ତାଜନକ ରହିଛି। ଗତ ସପ୍ତାହରେ ଜିଲ୍ଲାରୁ ୯ଶହ କରୋନା ଆକ୍ରାନ୍ତ ବାହାରିଛନ୍ତି। ଚଳିତମାସ ୪ତାରିଖ ସୁଦ୍ଧା ଗୋଟିଏ ମାସରେ ରାଜ୍ୟରେ ୭୪୪୫ କୋଭିଡ ଆକ୍ରାନ୍ତ ବାହାରିଛନ୍ତି। ଯାହାକି ଦେଶର ଏହି ସମୟ ଭିତରେ ବାହାରିଥିବା ଆକ୍ରାନ୍ତଙ୍କ ସଂଖ୍ୟାର ୨.୫ ପ୍ରତିଶତ। ଏ ଦୃଷ୍ଟିରୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହିତ ମୃତ୍ୟୁହାରକୁ ରୋକିବା ପାଇଁ ଟେଷ୍ଟ-ଟ୍ରାକ୍-ଟ୍ରିଟ୍‌-ଟିକାକରଣ-କୋଭିଡ ନିୟମାବଳୀକୁ ପାଳନ କରିବା ଉପରେ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ଭୂଷଣ ଚିଠିରେ ଉଲ୍ଲେଖ କରିଛନ୍ତି।

ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କରୋନା ଟେଷ୍ଟିଂ ସମ୍ପର୍କିତ ତଥ୍ୟ ଅଲଗା ଚିତ୍ର ବୟାନ କରୁଛି। ବିଭାଗରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ନଭେମ୍ବର ମାସରେ ସଂକ୍ରମଣ ହାର ୦.୪ ପ୍ରତିଶତ ଥିବା ବେଳେ ଦେଶରେ ଏହା ୧.୧ ପ୍ରତିଶତ ରହିଛି। ସେହିପରି ଦେଶରେ ପ୍ରତି ୧ଲକ୍ଷ ଜନସଂଖ୍ୟାରେ ଯେତିକି ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି ତା’ଠାରୁ ରାଜ୍ୟରେ ନମୁନା ସଂଖ୍ୟା ଅଧିକ ରହିଛି। ଦେଶରେ ୧ଲକ୍ଷ ଜନସଂଖ୍ୟାରେ ୨୬୮୫ଜଣଙ୍କ ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ୪୫୪୨ ରହିଛି। ସେହିପରି ୧୦ଲକ୍ଷ ଜନସଂଖ୍ୟାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ୧୦ଲକ୍ଷ ଜନସଂଖ୍ୟାରେ ଦେଶରେ ୨୬,୮୫୫ଜଣଙ୍କ ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ୪୫,୪୨୦ଜଣଙ୍କ ପରୀକ୍ଷା ହେଉଛି।