ବିଧାନସଭା ପୂର୍ବରୁ ସବୁ ବିଧାୟକଙ୍କ କୋଭିଡ୍ ପରୀକ୍ଷା

ବିଧାୟକଙ୍କ ସହ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କର ବି ହେବ ପରୀକ୍ଷା

ଚିଠି ଲେଖିଲେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ
ବିଏମ୍‌ସି କମିସନର, ଔଷଧ ନିଗମ ଏମ୍‌ଡି ଓ କ୍ୟାପିଟାଲ୍‌ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର :୨୯ ତାରିଖରୁ ବିଧାନସଭା ମୋସୁମୀ ଅଧିବେଶନ ଆରମ୍ଭ ହେବ। ଏହାର ୩ ଦିନ ପୂର୍ବରୁ ସବୁ ବିଧାୟକମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ। ଏ ନେଇ ତ୍ବରିତ୍‌ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବିଏମ୍‌ସି କମିସନର, ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶିକା ଓ କ୍ୟାପିଟାଲ ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଏହାସହିତ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭା ଆରମ୍ଭ ହେବାର ପଞ୍ଚମ ଦିନ ବି ସମସ୍ତ ବିଧାୟକମାନଙ୍କର ପୁଣି ଥରେ କୋଭିଡ୍‌ ପରୀକ୍ଷା କରାଯିବ। ବିଧାୟକମାନଙ୍କ ସହିତ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ବିଧାନସଭା କର୍ମଚାରୀ ଓ ଅଧିକାରୀମାନଙ୍କର ବି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇ କହିଛନ୍ତି, ପ୍ରତ୍ୟେକ ବିଧାୟକମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ଏଥିପାଇଁ ଆସନ୍ତା ୨୭ ଓ ୨୮ ତାରିଖରେ ବିଧାନସଭା ପରିସରରେ ସକାଳ ୭ଟା ୩୦ରୁ ସକାଳ ୯ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ନମୁନା ସଂଗ୍ରହ କରାଯିବ। ପୁଣିଥରେ ଅକ୍ଟୋବର ୪ ତାରିଖରେ ବି ସବୁ ବିଧାୟକଙ୍କ ସମେତ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀମାନଙ୍କର ନମୁନା ସଂଗ୍ରହ କରି ଆର୍‌ଟିପିସିଆର୍‌ ପରୀକ୍ଷା ପାଇଁ ପଠାଯିବ। ଯଦି କୌଣସି ବିଧାୟକ ଅଧିବେଶନ ସମୟରେ ଅସୁସ୍ଥ ଅନୁଭବ କରନ୍ତି ତାହେଲେ ସେ କ୍ଷେତ୍ରରେ ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ ବି ବିଧାନସଭା ପରିସରରେ କରିବା ପାଇଁ ବ୍ୟବସ୍ଥା କରାଯିବ।

ସେହିପରି ଆସନ୍ତା ୨୬ ତାରିଖରୁ ୨୮ ତାରିଖ ଭିତରେ ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ବିରୋଧୀ ଦଳ ନେତା, ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସମେତ ବିଧାନସଭା ସଚିବାଳୟର ଅଧିକାରୀ ଓ କର୍ମଚାରୀମାନଙ୍କର ନମୁନା ସଂଗ୍ରହ କରି ଆର୍‌ଟିପିସିଆର୍‌ ଟେଷ୍ଟ ପାଇଁ ପଠାଯିବ। ଏଥିପାଇଁ ବିଧାନସଭା ପରିସରରେ ସକାଳ ୭ଟା ୩୦ରୁ ସକାଳ ୯ଟା ୩୦ ପର୍ଯ୍ୟନ୍ତ ନମୁନା ସଂଗ୍ରହଣ କରାଯିବ। ଅଧିବେଶନ ସମୟରେ ସମସ୍ତ ବିଧାୟକ, ଅଧିକାରୀ, ରିପୋର୍ଟର, ପ୍ରଶ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ, ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ଯେଉଁମାନେ ବିଧାନସଭା ହଲ ଭିତରକୁ ଦୈନିକ ଯିବେ, ସେମାନଙ୍କୁ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ହ୍ୟାଣ୍ଡ୍‌ ଗ୍ଲୋଭ୍‌ସ୍‌, ମାସ୍କ, ଓ ସାନିଟାଇଜର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ଏଥିପାଇଁ ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟକ, ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ସମ୍ପର୍କିତ ତାଲିକା ଯଥେଷ୍ଟ ପୂର୍ବରୁ ବିଏମ୍‌ସିକୁ ଯୋଗାଇଦିଆଯିବ।

ସ୍ବାବ୍‌ ସଂଗ୍ରହ ଓ ପରୀକ୍ଷା ପାଇଁ ବିଧାନସଭା ସଚିବଙ୍କ ସହିତ ଆଲୋଚନା କରି ବିଏମ୍‌ସି କମିସନର ଆବଶ୍ୟକ ବ୍ୟବସ୍ଥା କରିବେ। ସେହିପରି ରାଜ୍ୟ ଔଷଧ ନିଗମ ପକ୍ଷରୁ ଫେସ୍‌ ସିଲ୍‌ଡ, ମାସ୍କ, ହ୍ୟାଣ୍ଡ ଗ୍ଲୋଭସ୍‌ ଓ ସାନିଟାଇଜର୍‌ ଆଦି ଯୋଗାଇ ଦିଆଯିବ। ବିଧାୟକ ଓ ଅଧିକାରୀମାନଙ୍କର ନମୁନା ସଂଗ୍ରହ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ନିର୍ଦ୍ଦେଶକ ଏହିସବୁ ଦିନମାନଙ୍କରେ ଆବଶ୍ୟକ ଡାକ୍ତରୀ ଦଳ ମୁତୟନ କରିବେ। ଏହାସହିତ ଅଧିବେଶନ ଚାଲୁଥିବା ସମୟରେ ଗୋଟିଏ ଡାକ୍ତରୀ ଟିମ୍‌ ବିଧାନସଭା ପରିସରରେ ଉପସ୍ଥିତ ରହିବେ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଗତ ୭ ତାରିଖରେ ବିଧାନସଭା ବାଚସ୍ପତି ବୈଠକ କରି ବିଧାୟକମାନଙ୍କର ସୁରକ୍ଷା ଦୃଷ୍ଟିରୁ କରୋନା ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପରେ ବିଧାନସଭା ସଚିବ ଏ ସମ୍ପର୍କରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି କରିଥିଲେ।

ସମ୍ବନ୍ଧିତ ଖବର