ଭୁବନେଶ୍ୱର : ଦିଲ୍ଲୀ, ମୁମ୍ବାଇ, କୋଲକାତାରେ ମାଡ଼ିଲାଣି ଓମିକ୍ରନ୍। ଗୋଟିଏ ପରେ ଗୋଟିଏ ମେଟ୍ରୋ ସହର ଏବଂ ଅନ୍ତର୍ଜାତିକ ବିମାନ ଚଳାଚଳ କରୁଥିବା ରାଜ୍ୟରେ କରୋନା କାୟା ମେଲାଉଛି। ରାଜ୍ୟ ସରକାରୀ ଅଧିକାରୀମାନେ ହୃଦବୋଧ କଲେଣି ଯେ ଓଡ଼ିଶା ମଧ୍ୟ ତୃତୀୟ ଲହର ଆଡ଼କୁ ମୁହାଁଇଲାଣି। ଏଇଥିପାଇଁ ଯେ ରାଜ୍ୟରେ ମାତ୍ର ୫ ଦିନ ଭିତରେ ସଂକ୍ରମଣ ହାର ଦୁଇ ଗୁଣ ବଢ଼ିଯାଇଛି। ଡିସେମ୍ବର ୩୦ ତାରିଖ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ୦.୩୬% ଥିବା ବେଳେ ଡିସେମ୍ବର ୩ରେ ବୃଦ୍ଧି ପାଇ ୦.୭୭%ରେ ପହଞ୍ଚିଛି। ୨୫ଟି ଜିଲ୍ଲାକୁ ଛୁଇଁସାରିଲାଣି କରୋନା। ୧୧ଟି ଜିଲ୍ଲାରେ ପଶିସାରିଲେଣି ଓମିକ୍ରନ୍ ଭୂତାଣୁ। ସବୁଠାରୁ ବଡ଼ କଥା ହେଲା, ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ମାତ୍ର ୭୦ଟି ନମୁନାର ଜିନୋମ ସିକ୍ୱେନ୍ସିଂ ହୋଇଥିଲା; ଯେଉଁଥିରୁ ୩୭ଟି ଓମିକ୍ରନ ମାମଲା ଆସିଛି। ହେଲେ ଅତିବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଏବେ ସ୍ବାସ୍ଥ୍ୟ ବିଭାଗ ପାଖାପାଖି ୩୦୦ରୁ ଅଧିକ ନମୁନା ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଦେଇଛନ୍ତି, ଯାହାର ଜିନୋମ ସିକ୍ବେନ୍ସିଂ କରାଯାଉଛି। ଏହି ରିପୋର୍ଟ ଯେେବ ଆସିବ, ସେବେ କରୋନାର ଏହି ନୂଆ ପ୍ରଜାତି ଓମିକ୍ରନ ଆଉ କିଛି ଅଞ୍ଚଳକୁ ଭେଦିଯାଇଥିବ ବା ଏହାର କାୟା ରାଜ୍ୟର ଅନ୍ୟ କିଛି ଅଞ୍ଚଳକୁ ବି ଛୁଇଁଯାଇଥାଇପାରେ। ହେଲେ ସରକାରୀସ୍ତରରେ ଯେଭଳି ତନାଘନା ହେବା କଥା, ତାହା ଏଯାଏଦେଖିବାକୁ ମିଳିନି। ଲାଗୁଛି ଯେମିତି ପ୍ରଶାସନ ବଡ ଧରଣର କରୋନା ବିସ୍ଫୋରଣକୁ ଅପେକ୍ଷା କରିଛି।
/sambad/media/post_attachments/wp-content/uploads/2021/01/Covid-19-test-scaled-e1591854650355-696x392-1.jpg)
କରୋନା କ୍ଷେତ୍ରରେ ଓଡ଼ିଶାପୁଣି ସମ୍ବେଦନଶୀଳ ସ୍ଥିତିକୁ ଗତି କରିବା ଆରମ୍ଭ କରିଛି। ଖୋର୍ଧା ଜିଲ୍ଲା ସ୍ଥିତି ସବୁଠାରୁ ଖରାପ। ଏହି ସ୍ଥିତି ଜାରି ରହିଲେ ଓଡ଼ିଶାରେ କୋଭିଡ୍ ଖୁବ୍ ଶୀଘ୍ର ଅଣାୟତ୍ତ ହୋଇଯିବ, ଏଥିରେ ସନ୍ଦେହ ନାହିଁ। ଶେଷ ସପ୍ତାହ ସୁଦ୍ଧା ଓଡ଼ିଶାରେ ତାଲା ଠୁଙ୍କିବାକୁ ପଡ଼ିବ ବୋଲି ବିେଶଷଜ୍ଞମାନେ ପୂର୍ବାନୁମାନ କଲେଣି। ସେମାନେ ୟୁକ୍ତି ଦର୍ଶାଇଛନ୍ତି ଯେ ଆଜି ଦିନରେ ଓମିକ୍ରନ ଯେଉଁ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ ହୋଇଛି, ସେ ତାଲିକାରେ ଓଡ଼ିଶାର ସ୍ଥାନ ଦଶମ। ଦେଶର ବିଭିନ୍ନ ସ୍ଥାନରେ କଟକଣା ଫେରିଛି। ଆଜି କେନ୍ଦ୍ର ସରକାର ଆଉ ପାଦେ ଆଗକୁ ଯାଇ ସରକାରୀ କର୍ମଚାରୀଙ୍କ ପାଇଁ ବାୟୋ ମେଟ୍ରିକ୍ସ ଉପସ୍ଥାନ ରୋକ୍ ଲଗାଇଛନ୍ତି। ଏସବୁକୁ ଏବେ ଓଡ଼ିଶା ଅନୁଶୀଳନ କରିବା ଆବଶ୍ୟକ। ଚିନ୍ତାଜନକ କଥାଟି ହେଲା; ପଡ଼ୋଶୀ ପଶ୍ଚିମବଙ୍ଗକୁ କରୋନା ଗଭୀର ପ୍ରଭାବିତ କରୁଛି, ଯେଉଁଥିପାଇଁ ସେମାନେ କଟକଣା ଭିତରକୁ ଚାଲିଗଲେଣି। ଓଡ଼ିଶା-କୋଲକାତା ମଧ୍ୟରେ ହଜାର ହଜାର ଲୋକ ନୀତିଦିନ ଯାତାୟତ କରୁଥିବା ପରିପ୍ରେକ୍ଷୀରେ ଏଥର ରାଜ୍ୟ ଶୀଘ୍ର ସଂକ୍ରମିତ ହେବା ସମ୍ଭାବନାକୁ ଏଡ଼ାଇ ହେବନାହିଁ।
ବିଶେଷଜ୍ଞ କହୁଛନ୍ତି ଯେ ସରକାର ଦୈନିକ ୭୦ହଜାର ନମୁନା ପରୀକ୍ଷା କ୍ଷେତ୍ରରେ କଠୋର ହେବା ଉଚିତ୍। ମନ୍ଦିରଠାରୁ ଆରମ୍ଭ କରି ବଜାର ଆଦି ସ୍ଥାନରେ ଯେଉଁଭଳି ଭିଡ଼ ପରିଲକ୍ଷିତ ହେଉଛି, ତାଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ଜରୁରୀ। ପଶ୍ଚିମବଙ୍ଗ ସମେତ ଓଡ଼ିଶାର ସବୁ ସୀମା ଏବେଠାରୁ ସିଲ୍ କରିଦେବା ଦରକାର ଓ କୋଲକାତାକୁ ପରିବହନ ସେବା ବି ବନ୍ଦ କରାଯିବା ଆବଶ୍ୟକ। ସଂପ୍ରତି ରାଜ୍ୟରେ କୋଭିଡ୍ ପ୍ରୋଟୋକଲ୍ ପାଳନରେ ସରକାରଙ୍କ ସହନଶୀଳ ମାନସିକତା ବିପଦ ଆଣୁଛି। ମନ୍ଦିର, ପାର୍କ ବନ୍ଦ କରାଯାଉଛି; ଅଥଚ ଖୋଲା ବଜାରରେ ଏକାଠି ହଜାର ହଜାର ଲୋକଙ୍କର ମେଳି ହେଉଛି।
/sambad/media/post_attachments/wp-content/uploads/2020/09/covid-test-ad.jpg)
ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ବି ଚିନ୍ତାବ୍ୟକ୍ତ କରାଯାଇଛି। ଏହାର ସଭାପତି ପଦ୍ମନାଭ ମିଶ୍ର କହିଛନ୍ତି, ସରକାର ଆଗୁଆ ପଦକ୍ଷେପ ନନେଲେ ଅର୍ଥନୀତି ବିଗିଡ଼ିଯିବ। ତୃତୀୟ ଲହରକୁ ଅପେକ୍ଷା ନକରି ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରନ୍ତୁ, ନହେଲେ ଏହାର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ।
ଅର୍ଥନୀତି ବିଶାରଦ ଓ ଉଦ୍ୟୋଗ ସଂଘଗୁଡ଼ିକର କହିବା ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ଲକଡାଉନ୍ ଓ ସଟଡାଉନ୍ ଯୋଗୁ ରିକ୍ସା, ଅଟୋ ଚାଳକଙ୍କ ଠାରୁ ଆରମ୍ଭ କରି ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ଜୀବିକା ହରାଇଛନ୍ତି। ଅନେକ ଲୋକଙ୍କ ଚାକିରି ଯାଇଛି। ବହୁ କଳ କାରଖାନାର ଆର୍ଥିକ ସ୍ଥିତି ବିଗିଡ଼ିଯିବା ଦ୍ବାରା ସେଠାରେ ଏପର୍ଯ୍ୟନ୍ତ ତାଲା ଝୁଲୁଛି। ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଦୀର୍ଘଦିନ ବନ୍ଦ ରହିବା ଫଳରେ ସେମାନେ ସାଂଘାତିକ କ୍ଷତି ସହିଛନ୍ତି। ତେଣୁ ସରକାର ଏବେ ଠାରୁ ସବୁକ୍ଷେତ୍ରରେ ୫୦ ପ୍ରତିଶତ କଟକଣା ଲାଗୁ କରିବା ଦରକାର।
/sambad/media/post_attachments/wp-content/uploads/2021/11/corona-3.jpg)
ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ବିଶେଷଜ୍ଞମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ କଣ ନିଷ୍ପତ୍ତି ହୋଇଛି, ସେ ନେଇ ସରକାରୀ ଭାବେ କିଛି କୁହାଯାଇନାହିଁ। ହେଲେ ପୂର୍ବତନ ପ୍ରଶାସକମାନେ କହିଛନ୍ତି ଯେ ଏବେ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସିବାର ବେଳ। ଓମିକ୍ରନ୍ ସଂକ୍ରମଣ ଡେଲଟା ଭଳି ଘାତକ ନ ହେଲେ ବି ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି; ଏକଥା ବିେଦଶୀ ରାଷ୍ଟ୍ରର ପରିସଂଖ୍ୟାନ ସୂଚାଉଛି। ଏଣୁ ଓଡ଼ିଶାରେ ଯଦି ଦୈନିକ ୧୫ହଜାର ପର୍ଯ୍ୟନ୍ତ ସଂକ୍ରମିତ ହୁଅନ୍ତି ଓ ଏହାର ଏକ ପ୍ରତିଶତ ଲୋକଙ୍କର ଜରୁରୀ ଚିକିତ୍ସା ଦରକାର ହେବ, ତେବେ ପ୍ରତି ୧୦ ଦିନରେ ୧୫ହଜାର ପର୍ଯ୍ୟନ୍ତ ଶଯ୍ୟାର ଆବଶ୍ୟକତା ରହିଛି। ଏହା ଯେତିକି ଅଧିକ ହେବ, ସାଧାରଣ ରୋଗୀ ଚିକିତ୍ସା ବ୍ୟବସ୍ଥା ସେତିକି ବିଗିଡିଯିବାର ମଧ୍ୟ ଭୟ ରହିଛି।
ଏହି ମହଲର ଆହୁରି କହିବା କଥା ହେଉଛି ଯେ ଆଗକୁ ପଞ୍ଚାୟତ ନିର୍ବାଚନ ହେବ। ଯେ କୌଣସି ମୁହୂର୍ତରେ ନିର୍ବାଚନ କମିସନ ତାରିଖ ଘୋଷଣା କରିବେ। ସରକାର କୌଣସି ପରିସ୍ଥିତିରେ ବି ଏହି ନିର୍ବାଚନ ପ୍ରକ୍ରିୟାରେ କୋଭିଡ୍ ପ୍ରୋଟୋକଲ୍ ଅନୁପାଳନକୁ ସୁନିଶ୍ଚିତ କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ପୂର୍ବରୁ ବାରମ୍ବାର ଦୋହରାଇସାରିଛନ୍ତି ଯେ ପ୍ରତିଟି ଜୀବନ ମୂଲ୍ୟବାନ। ଏବେ ସରକାର ଏହାକୁ ମନ୍ତ୍ର କରି ଆଗକୁ ନ ବଢ଼ିଲେ, ଓଡ଼ିଶା ଖୁବ୍ ଶୀଘ୍ର ଅତି ବିପଜ୍ଜନକ ସ୍ଥିତିକୁ ଚାଲିଯାଇପାରେ।