ଅଣକୋଭିଡ ଚିକିତ୍ସାରେ କୋଭିଡ କଣ୍ଟା! ଅଭିଯୋଗକୁ ଏମ୍‌ସ କର୍ତ୍ତୃପକ୍ଷଙ୍କ ଅସ୍ବୀକାର

ତଥ୍ୟ ଓ ଦାବି ‌ମେଳ ଖାଉନି, କଟକଣା ଯୋଗୁଁ ରୋଗୀ ଆସିବା କମିଛି

ଭୁବନେଶ୍ବର : ଏମ୍ସ ଭୁବନେଶ୍ବରର ଅଣକୋଭିଡ ଚିକିତ୍ସାରେ କୋଭିଡ ବାଧକ ସାଜିଛି। କରୋନା ବ୍ୟାପିବା ପୂର୍ବରୁ ଯେଉଁ ଡାକ୍ତରଖାନାର ଓପିଡିରେ ଦିନକୁ ୩ ହଜାର ଲୋକଙ୍କ ଚିକିତ୍ସା ହେଉଥିଲା, ତାହା ଏବେ ଯଥେଷ୍ଟ କମିଯାଇଛି। ଖୋଦ୍ ଏମ୍ସ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଏହା କହୁଥିଲେ ମଧ୍ୟ ରୋଗୀ ଚିକିତ୍ସା ପୂର୍ବଭଳି ଠିକ୍‌ଠାକ୍ ଚାଲିଛି ବୋଲି କର୍ତ୍ତୃପକ୍ଷ ଦାବି କରିଛନ୍ତି।

ଆଜି ଏମ୍ସ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଗତ ମେ’ ମାସରେ ମୋଟ ଏମ୍ସରେ ୧୫ ହଜାର ୮୯୧ ଜଣଙ୍କ ଚିକିତ୍ସା ହୋଇଛି। ଅର୍ଥାତ ଦିନକୁ ହାରାହାରି ୫୦୦ରୁ ୫୫୦ ରୋଗୀ ଆସିଛନ୍ତି। ସ୍ବାଭାବିକ ବେଳେ ଏହାର ୬ଗୁଣରୁ ଅଧିକ ରୋଗୀ ଏମ୍ସକୁ ଆସୁଥିଲେ। ସେହିଭଳି ଅସ୍ତ୍ରୋପଚାର ସମେତ, ଚିକିତ୍ସାଧୀନ ରୋଗୀଙ୍କ ଭର୍ତ୍ତି ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଏମ୍ସରେ ରହିଛି ୯୦୦ ଆଇପିଡି, ୧୩୯ ଆଇସିୟୁ ଶଯ୍ୟା। ଏଠାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼ରୁ ରୋଗୀ ଆସିଥାଆନ୍ତି। କୋଲକାତା ଏମ୍ସ ଥିବା ସତ୍ତ୍ବେ ଓଡ଼ିଶା ସୀମାନ୍ତବର୍ତ୍ତୀ ବଙ୍ଗାଳୀ ରୋଗୀଙ୍କ ପାଇଁ ଏମ୍ସ ଭୁବନେଶ୍ବର ହିଁ ପ୍ରଥମ ପସନ୍ଦ। ଭିତ୍ତିଭୂମି, ଡାକ୍ତର ତୁଳନାରେ ଏଠାରେ ରୋଗୀଙ୍କ ନିର୍ଭରଶୀଳତା ଏତେ ଅଧିକ ଯେ ଜଣେ ରୋଗୀଙ୍କୁ ଭର୍ତ୍ତି ହେବା ପାଇଁ ୩ ମାସ ଅପେକ୍ଷା କରିବାକୁ ପଡ଼ିଥାଏ। ଏବେ କୋଭିଡ୍ ଆଳରେ ଓପିଡି ଚିକିତ୍ସାକୁ ଏକପ୍ରକାର ବନ୍ଦ କରାଯିବା ପରେ ଏହି ସମସ୍ୟା ଆହୁରି ଜଟିଳ ହୋଇଛି।

ଏମ୍ସର ଜଣେ ପୂର୍ବତନ ଅଧିକାରୀଙ୍କ ଅନୁସାରେ, ଏହି ଡାକ୍ତରଖାନା ପ୍ରତିଷ୍ଠା ହେବା ପରଠାରୁ ହିଁ ଆବଶ୍ୟକତାଠାରୁ ଯଥେଷ୍ଟ କମ ସଂଖ୍ୟକ ଡାକ୍ତର ପଦ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ମଧ୍ୟ ଅନେକ ବିଭାଗରେ ପ୍ରଫେସର ନାହାନ୍ତି। ଆବଶ୍ୟକ ଡାକ୍ତର ଅଭାବ ଯୋଗୁଁ ମହାମାରୀ ସ୍ଥିତିର ମୁକାବିଲା ବେଳକୁ ବର୍ତ୍ତମାନ ଯେଉଁମାନେ କାର୍ଯ୍ୟ କରୁଛନ୍ତି, ସେମାନେ ଅତ୍ୟନ୍ତ ଚାପଗ୍ରସ୍ତ ହୋଇ ରହିଛନ୍ତି। ସେଥିରୁ ବି ଅନେକ ସଂଖ୍ୟାରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ କୋଭିଡ ଆକ୍ରାନ୍ତ ଥିବାରୁ ଚାପ ବଢୁଛି। ଡାକ୍ତରୀ ବିଦ୍ୟାର୍ଥୀଙ୍କ ଉପରେ ନିର୍ଭରଶୀଳତା ବଢିଛି। କୋଭିଡ ପାଇଁ ଅଣକୋଭିଡ ସେବା ବନ୍ଦ କରିବା ଯୋଗୁଁ ଅଣକୋଭିଡ ରୋଗୀଙ୍କ ପାଇଁ ସମସ୍ୟା ହୋଇଛି। ତେବେ ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି, ଅଣକୋଭିଡ ଚିକିତ୍ସାକୁ ଅବହେଳା କରାଯାଇନି।

ଜରୁରୀକାଳୀନ ବିଭାଗରେ ୩୨୪୫ ରୋଗୀଙ୍କ ଚିକିତ୍ସା, ୭୮ ଅସ୍ତ୍ରୋପଚାର: ଅଧୀକ୍ଷକ
ଏମ୍ସ ଅଧୀକ୍ଷକଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ, ଦୈନିକ ୩ ହଜାର ଲୋକଙ୍କ ଓପିଡିରେ ଉପସ୍ଥିତି ଯୋଗୁଁ ଏଠାରେ କୋଭିଡ ସଂକ୍ରମଣର ଆଶଙ୍କା ଦୃଷ୍ଟିରୁ ଓପିଡି ବନ୍ଦ କରିବାକୁ ଆମେ ବାଧ୍ୟ ହୋଇଥିଲୁ। ଅଣକୋଭିଡ ଚିକିତ୍ସାରେ ଅବହେଳା ହୋଇ ନାହିଁ। ଓପିଡି ବନ୍ଦ ସତ୍ତ୍ବେ ଡେକେୟାର ସର୍ଭିସ, ରେଡିଓ ଥେରାପି, କେମୋ ଥେରାପି, ଡାଏଲିସିସ, ଆପାତକାଳୀନ ଚିକିତ୍ସା, ପ୍ରସବ, ଆଇପିଡି, ନିଶ୍ଚେତକ, ଟିକାକରଣ, କଣ୍ଟ୍ରୋଲ ରୁମ ଆଦି କାର୍ଯ୍ୟକ୍ଷମ ରହିଛି। ଏପ୍ରିଲ ୨୪ ତାରିଖ ସଟଡାଉନ ପରେ ମଧ୍ୟ ୭୮୭ ଜଣଙ୍କ ଡାଏଲିସିସ, ୧୦୭୫ ଜଣଙ୍କ କେମୋଥେରାପି, ୫୭୩ ଜଣଙ୍କ ରେଡିଓଥେରାପି କରାଯାଇଛି। କାଜୁଆଲଟିରେ ଜରୁରୀକାଳୀନ ସ୍ଥିତିରେ ୩୨୪୫ ଜଣଙ୍କ ଚିକିତ୍ସା କରାଯାଇଥିବାବେଳେ ୭୮ ଅଣକୋଭିଡ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇ ଜୀବନ ବଞ୍ଚାଯାଇଛି। ଟେଲିମେଡିସିନ ଜରିରେ ୭୧ ହଜାର୯୬୯ ଜଣ ଏବଂ ସ୍ବାସ୍ଥ୍ୟ ଆପ୍‌ ଜରିଆରେ ୧୫ ହଜାର ୦୫୪ ଜଣଙ୍କ ଚିକିତ୍ସା କରାଯାଇଛି। ଏକ ବର୍ଷ ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତରେ ଏଠାରେ ଭର୍ତ୍ତି ହୋଇଥିବା ୪୨୧୬ ଜଣ ଲାଭ ପାଇଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି, ଗୁରୁତର ସ୍ଥିତିରେ ରାଜ୍ୟର ଅନ୍ୟ ଡାକ୍ତରଖାନାର ରୋଗୀ ଏଠାକୁ ଆସିଥାଆନ୍ତି। ଏଠାରେ କୌଣସି ରୋଗୀଙ୍କୁ ତଳେ ଶୁଆଇ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଶଯ୍ୟା ଅଭାବରୁ ଅନ୍ୟ ଡାକ୍ତରଖାନାକୁ ପଠାଯାଏ।

ସମ୍ବନ୍ଧିତ ଖବର