ଓଡ଼ିଶା କୋଭିଡ୍‌ ମାନବ ସମ୍ବଳ ପୋର୍ଟାଲ୍‌ ଉନ୍ମୋଚିତ : ତାଲିମପ୍ରାପ୍ତ ହେଲେ ୧ ଲକ୍ଷ ୫୫ ହଜାର କରୋନା ଯୋଦ୍ଧା

ଭୁବନେଶ୍ବର : କୋଭିଡ-୧୯ ମୁକାବିଲା ପାଇଁ ସରକାର ଆଉ ୮ ହଜାର ୨୩ ଜଣ ଡାକ୍ତର, ୮ ହଜାର ୨୯୬ ଜଣ ଷ୍ଟାଫ୍‌ ନର୍ସଙ୍କ ସମେତ ପ୍ରାୟ ୧ ଲକ୍ଷ ୫୫ ହଜାର ୨୫୦ ଜଣ କରୋନା ଯୋଦ୍ଧାଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ରାଜ୍ୟସ୍ତରୀୟ ତାଲିମ ପ୍ରଦାନ ଦାୟିତ୍ବରେ ଥିବା ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ୍‌ ଓ ତାଙ୍କ ଟିମ୍‌କୁ ପ୍ରଶଂସା କରିଛନ୍ତି। ଖୁବ ସମୟ ଭିତରେ ମାନବ ସମ୍ବଳ ଚୟନ କରି ସେମାନଙ୍କୁ ତାଲିମ ଦେବାରେ ଓଡ଼ିଶା ସରକାର ସଫଳତା ପାଇଛନ୍ତି। ଏହାସହିତ କୋଭିଡ୍‌-୧୯ ମୁକାବିଲା ନିମନ୍ତେ ଏକ ମାନବ ସମ୍ବଳ ପୋର୍ଟାଲ୍‌ର ଉନ୍ମୋଚନ କରାଯାଇଛି।

ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇ କହିଥିଲେ, ୭ମ, ୮ମ ଓ ୯ମ ସେମିଷ୍ଟର ପାଠ ପଢ଼ୁଥିବା ଡାକ୍ତରୀ ଛାତ୍ରଛାତ୍ରୀ କୋଭିଡ଼୍‌ ଲଢ଼େଇରେ ସାମିଲ ହେବା ପାଇଁ ସ୍ବେଚ୍ଛାକୃତ ଇଚ୍ଛା ପ୍ରକାଶ କରିଥିଲେ। ଏବେସୁଦ୍ଧା ଏମ୍‌.ବି.ବି.ଏସ୍‌, ଆୟୁଷ ଓ ନର୍ସିଂ ବିଭାଗରୁ ୮,୩୨୫ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର କୋଭିଡ୍‌ ଚିକିତ୍ସା ତାଲିମ ଦିଆଯାଇଛି। ଏହାଛଡ଼ା ଇ.ଏସ୍‌.ଆଇ ହସ୍ପିଟାଲ୍‌ ଏବଂ ଘରୋଇ ହସ୍ପିଟାଲ୍‌ର ୧୦୮ ଡାକ୍ତର, ୬୪ ଷ୍ଟାଫ୍‌ ନର୍ସ୍‌, ୬୧ ଫାର୍ମାସିଷ୍ଟଙ୍କୁ ମଧ୍ୟ ତାଲିମ ଦିଆଯାଇଛି। ପଞ୍ଚାୟତସ୍ତରରେ ପ୍ରତିଷ୍ଠା କରାଯାଇଥିବା ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ ପାଇଁ ୩୩ ହଜାର ୯୦୦ କର୍ମଚାରୀଙ୍କୁ କ୍ୟାମ୍ପ୍‌ ପରିଚାଳନା, ପୁଷ୍ଟି ସାଧନ, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ଆଦି ସମ୍ପର୍କରେ ମଧ୍ୟ ତାଲିମ ପ୍ରଦାନ କରାଯାଇଛି। କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସମେତ ତାଙ୍କ ପରିବାରକୁ ମାନସିକ ଓ ସାମାଜିକ ପରାମର୍ଶ ଦେବା ପାଇଁ ୭୫୩ ଜଣ କାଉନ୍‌ସେଲରଙ୍କୁ ତାଲିମ୍‌ ଦିଆଯାଇଛି। ୟୁନିସେଫ୍‌ ଓ ୟୁ.ଏନ୍‌.ପି.ଏଙ୍କ ସହଯୋଗରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ୨,୪୭୧ ସ୍ବେଚ୍ଛାସେବୀଙ୍କୁ କୋଭିଡ୍‌ ପରିଚାଳନାରେ ସହାୟତା ନିମନ୍ତେ ତାଲିମ ପ୍ରଦାନ କରିଛନ୍ତି।

ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ୍‌ କହିଥିଲେ, ବର୍ତ୍ତମାନ୍‌ ସୁଦ୍ଧା ଡାକ୍ତର ଓ ଷ୍ଟାଫ୍‌ ନର୍ସଙ୍କ ସମେତ ୪,୧୦୫ ଲାବୋରେଟରୀ ଟେକ୍‌ନିସିଆନ୍‌, ୪,୧୧୪ ଜଣ ଆୟୁଷ ଡାକ୍ତର, ୪,୯୦୫ ଜଣ ଆମ୍ବୁଲାନ୍‌ସ୍‌ ଡ୍ରାଇଭର୍‌, ୧,୩୫, ୮୨୦ ଜଣ ଏ.ଏନ୍‌.ଏମ୍‌, ଆଶା ଓ ଅଙ୍ଗନବାଡ଼ି କର୍ମୀ, ୭,୨୩୬ ଜଣ ପରିମଳ କର୍ମଚାରୀଙ୍କୁ କୋଭିଡ୍‌ ଚିକିତ୍ସା ପାଇଁ ତାଲିମ ପ୍ରଦାନ ପାଇଁ ତାଲିକାଭୁକ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଶତକଡ଼ା ୯୦%ରୁ ଅଧିକ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରାଯାଇପାରିଛି। ଏହିସବୁ କର୍ମୀମାନେ କୋଭିଡ୍‌-୧୯ର ମୂଳ କାରଣ, କ୍ଷେତ୍ର ନିରୀକ୍ଷଣ, ସଂକ୍ରମଣ, ଗୁରୁତ୍ବପୂର୍ଣ୍ଣ ଆକ୍ରାନ୍ତଙ୍କ ଚିକିତ୍ସା, ଆଇସିୟୁ ଚିକିତ୍ସା, ପ୍ରତିରୋଧ ଓ ପ୍ରତିଷେଧ ଆଦି ବିଷୟରେ ତାଲିମ ପାଇଛନ୍ତି। ଏଥିପାଇଁ ଭାରତୀୟ ଭେଷଜ ଗବେଷଣା ପ୍ରତିଷ୍ଠାନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ସର୍ବଭାରତୀୟ ଭେଷଜ ବିଜ୍ଞାନ ଅନୁଷ୍ଠାନର ଗବେଷଣା ଉପଲବ୍ଧ ଜ୍ଞାନ ଓ ପରାମର୍ଶ ଅନୁସାରେ ତାଲିମ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ସାମାଜିକ ଦୂରତା ନିୟମ ଦୃଷ୍ଟିରୁ ତାଲିମ କାର୍ଯ୍ୟକ୍ରମ ଅନଲାଇନ୍‌ ଭର୍ଚୁଆଲ୍‌ ଟ୍ରେନିଂ ପ୍ଲାଟ୍‌ଫର୍ମ୍‌ ମାଧ୍ୟମରେ କରାଯାଉଛି ବୋଲି ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ।

ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇ କହିଥିଲେ, ଭବିଷ୍ୟତ ପାଇଁ ତାଲିମ ଆବଶ୍ୟକତାର ଅନୁଶୀଳନ କରି ଏବେଠାରୁ କାର୍ଯ୍ୟପନ୍ଥା ସ୍ଥିର ହେବା ଦରକାର। କୋଭିଡ୍‌ ସମ୍ପର୍କରେ ମିଳୁଥିବା ନୂତନ ଜ୍ଞାନ କୌଶଳ ବିଷୟରେ ଅନୁପ୍ରେରିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଗୁରୁତ୍ବ ଦେଇଥିଲେ। ବୈଠକରେ ଯୋଗଦେଇ କଟକ ଏସ୍‌ସିବି ମେଡିକାଲ କଲେଜ୍‌ ତାଲିମ ସଂଯୋଜକ ପ୍ରଫେସର ଜୟନ୍ତ ପଣ୍ଡା କହିଥିଲେ ଯେ, ଏହି ତାଲିମ୍‌ ଡାକ୍ତର, ନର୍ସ୍‌, ପାରା ମେଡିକାଲ୍‌ ଏବଂ ସହାୟକ ଷ୍ଟାଫ୍‌ମାନଙ୍କ ମଧ୍ୟରେ ଦକ୍ଷତା ସହ ଦୃଢ଼ ଆତ୍ମବିଶ୍ବାସ ସୃଷ୍ଟି କରିଛି। ସେମାନେ ଯେ କୌଣସି କଠିନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, କୋଭିଡ୍‌ ଦକ୍ଷତା ବିକାଶ ୟୁନିଟ୍‌ର ଓଏସ୍‌ଡି ଉପେନ୍ଦ୍ର ସିଂ ପୁନିଆଙ୍କ ସମେତ ୟୁନିସେଫ୍‌, ଆଇସିଏମ୍‌ଆର୍‌, ଏମ୍‌ସ୍‌, ଏସ୍‌ସିବି ମେଡିକାଲ୍‌ କଲେଜ୍‌ ଓ ୟୁ.ଏନ୍‌.ଏଫ୍‌.ପି.ଏର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର