କଟକ : କଟକରେ କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଦିନକୁ ଦିନ ବ୍ୟବସ୍ଥା ବିଗିଡିବାରେ ଲାଗିଛି। ଗୋଟିଏ ପଟେ ସରକାରୀ ନିୟନ୍ତ୍ରଣରେ ପରିଚାଳିତ ଅଶ୍ବିନୀ, ସନ୍ ଓ ସୃଷ୍ଟି ହସ୍ପିଟାଲରେ ବେଡ୍ ନଥିବା କଥା କୁହାଯାଉଛି। ସେହି ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ରହିଥିବା ବ୍ୟବସ୍ଥା ସଂପର୍କରେ ବି ଲୋକେ ଜାଣି ପାରୁ ନାହାନ୍ତି। ଜଗତପୁର ସଦଗୁରୁ ହସ୍ପିଟାଲରେ ନିଆଁ ଲାଗିବା ପରେ ତାହା ଏବେ ବନ୍ଦ। ଏସସିବି ମେଡିକାଲ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଏବେ ବି ଅନିଶ୍ଚିତ। ଯଦିଓ ଅକ୍ଟୋବର ୨ରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଉଛି। କିନ୍ତୁ ଲୋକଙ୍କୁ ଆଶ୍ବସ୍ତ କରିବା ପାଇଁ କଟକର ୧୪ଟି ଘରୋଇ ହସ୍ପିଟାଲରେ କରୋନା ସଂକ୍ରମିତ ଚିକିତ୍ସା ହୋଇପାରିବେ ବୋଲି ସିଏମସି ପକ୍ଷରୁ ସୂଚନା ଜାରି କରାଯିବା ଘଟଣା ଏବେ ଏକ ପ୍ରକାର ପ୍ରହସନ ପାଲଟିଛି।
ଯାହା ସୂଚନା ଦିଆଯାଇଛି, ବାସ୍ତବ ଚିତ୍ର ହେଉଛି ତାର ସଂପୂର୍ଣ୍ଣ ଓଲଟା। ଅଧିକାଂଶ ହସ୍ପିଟାଲଙ୍କ ସହ ବିଧିବଦ୍ଧ ଚୁକ୍ତି ହୋଇନାହିଁ। ଫଳରେ ସେମାନେ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିପାରୁ ନାହାନ୍ତି। ଆବଶ୍ୟକ ଅକ୍ସିଜେନ୍ ଯୋଗାଣ ହେଉନାହିଁ। କେଉଁ ହସ୍ପିଟାଲରେ କେତେ ଆଇସିୟୁ ବ୍ୟବସ୍ଥା ରହିଛି, ସେ ସଂପର୍କରେ ପ୍ରଶାସନ ସୂଚନା ଜାରି କରିଥିବା ବେଳେ ତାହାର ବି ଚିତ୍ର ଓଲଟା। ଅଧିକାଂଶ ହସ୍ପିଟାଲ ସେ ପ୍ରକାର ସେବା ଯୋଗାଇ ଦେବାକୁ ଅକ୍ଷମ। ଆଇସିୟୁ ସେବା ଯୋଗାଇବା ପାଇଁ ଅନେକ ହସ୍ପିଟାଲରେ ଡାକ୍ତର, କର୍ମଚାରୀ ବି ଅଭାବ। ତେଣୁ ସରକାର ଏ ପ୍ରହସନ କାହିଁକି କରୁଛନ୍ତି, ଏଭଳି ସୂଚନା କାହିଁକି ଜାରି କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି।
ସିଏମସି ପକ୍ଷରୁ ୧୪ଟି ହସ୍ପିଟାଲର ନାମ ସୂଚନା ଜାରି କରାଯାଇଛି। ସେହି ହସ୍ପିଟାଲ ଗୁଡିକରେ ୧୮୫ଟି ସାଧାରଣ ବେଡ୍, ୪୨ଟି କ୍ୟାବିନ, ୭୫ଟି ଆଇସିୟୁ ବେଡ୍ ଏବଂ ୫ଟି ଡାଏଲିସିସ ବ୍ୟବସ୍ଥା ଥିବା ସୂଚନା ଦିଆଯାଇଛି। ଗଲା ୨୪ ତାରିଖରୁ ଏ ସୂଚନା ଜାରି କରାଯାଇଥିଲେ ବି ଆଜି ଯାଏ ଏ ସୁବିଧା ଉପଲବ୍ଧ ହୋଇନାହିଁ। ଅକ୍ସିଜେନ ଆବଶକ୍ୟ କରୁଥିବା ଏକାଧିକ ଗୁରୁତର ରୋଗୀ କେଉଁ ହସ୍ପିଟାଲରେ ବେଡ୍ ପାଇବେ ବୋଲି ଏଠି ସେଠି ବୁଲିବାର ଘଟଣା ଏବେ ସାମନାକୁ ଆସିଛି। କେଉଁଠି ଆଇସିୟୁ ବ୍ୟବସ୍ଥା ନାହିଁ ତ କେଉଁଠି ପ୍ରଶାସନ ସହ ଏଯାଏ ଚୁକ୍ତି ହୋଇନାହିଁ କହି ସେମାନଙ୍କୁ ଫେରାଇ ଦିଆଯାଇଛି।
ଗୋଟିଏ ପଟେ ଘରୋଇ ଲାବରେ କରୋନା ପରୀକ୍ଷା ବ୍ୟବସ୍ଥା ବନ୍ଦ ହୋଇଯାଇଥିବା ବେଳେ ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଏଭଳି ଅଚଳବସ୍ଥାରେ ସାଧାରଣ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି। ପ୍ରଶାସନ ବାସ୍ତବ ସ୍ଥିତି ଆକଳନ ନ କରି କେବଳ ପ୍ରଚାର ବ୍ୟବସ୍ଥାରେ ଏଭଳି ସୂଚନା ଜାରି କରୁଥିବାରୁ ଲୋକେ ସୁଫଳ ପାଇବା ବଦଳରେ ଅଧିକ ସମସ୍ୟାରେ ପଡୁଛନ୍ତି। ପରୀକ୍ଷା କରି ନପାରିବା, ଚିକିତ୍ସା ସୁବିଧା ନପାଇବା ଘଟଣାରୁ ଲୋକଙ୍କ ଭିତରେ ବି ଆତଙ୍କ ଓ ଆଶଙ୍କା ବଢିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/covid-hos.jpg)