କରୋନା ଟିକା : ହାଇରିସ୍କ ଗ୍ରୁପକୁ ପ୍ରାଥମିକତା ଦିଆଯିବ

ଭୁବନେଶ୍ବର : ଏପ୍ରିଲ ୧ରୁ ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସର ସବୁ ଲୋକମାନଙ୍କୁ କରୋନା ଟିକା ଦିଆଯିବ । ତେବେ ଟିକାଦାନ ବେଳେ ଏହି ବୟସ ଶ୍ରେଣୀରେ ଆସୁଥିବା କେତେକ ହାଇରିସ୍କ ଗ୍ରୁପ ବା ଯେଉଁମାନେ ସୁପରସ୍ପ୍ରେଡର ହେବାର ଆଶଙ୍କା ସର୍ବାଧିକ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ.ମହାପାତ୍ର ଏ ନେଇ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି ।

ଯେଉଁ ବର୍ଗର ଲୋକମାନଙ୍କୁ ହାଇ ରିସ୍କ ଗ୍ରୁପରେ ରଖାଯାଇଛି ସେମାନେ ହେଲେ, ରାସ୍ତାକଡ଼ ବ୍ୟବସାୟୀ, ମାଛମାଂସ କୋଦାନୀ, ଅଟୋ ଓ ବସ ଡ୍ରାଇଭର, ସ୍କୁଲ କଲେଜର ଶିକ୍ଷକ, ଭଣ୍ଡାରୀ, ସିକ୍ୟୁରିଟି ଗାର୍ଡ, ରେସ୍ତୋରାଁ କର୍ମଚାରୀ, ଧର୍ମାନୁଷ୍ଠାନର ପୂଜାରୀ (ଅଥବା ମୌଲବୀ କିମ୍ବା ପାଦ୍ରୀ) । ଏସବୁ ଲୋକମାନେ ନିତିଦିନିଆ ଜୀବନରେ ଅନେକ ଲୋକମାନଙ୍କୁ ଭେଟିଥାନ୍ତି ବା ସଂସ୍ପର୍ଶରେ ଆସିଥାନ୍ତି । ଏଣୁ ଏମାନଙ୍କୁ ଯଥାସମ୍ଭବ ଅଗ୍ରାଧିକାର ଭିତ୍ତିରେ ଟିକାଦେବାକୁ ଏହି ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ଦୈନିକ ୨ ଲକ୍ଷ ଟିକା ଦେବାକୁ  ଲକ୍ଷ୍ୟ ରଖାଯାଇଛି, ଯାହାକି ପୂର୍ବରୁ ୧ ଲକ୍ଷ ଥିଲା । ଏପ୍ରିଲ ୧ ଓ ୨ ସରକାରୀ ଛୁଟି ଦିବସ ଥିଲେ ବି ସେଦିନ ଟିକା ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର