କୋଭିଡ୍ ଟିକାକରଣକୁ ବ୍ୟାପକ କରିବାରେ ସହାୟକ ହେଉଛି ମୋବାଇଲ ମେଡିକାଲ ଭ୍ୟାନ

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଏମଏମଭି ବା ମୋବାଇଲ୍ ମେଡିକାଲ ଭ୍ୟାନଗୁଡ଼ିକୁ ନିୟୋଜିତ କରାଯାଉଛି । ଜିଲ୍ଲାର ସମସ୍ତ ପଞ୍ଚାୟତ ଏବଂ ବିଭିନ୍ନ ଅପହଞ୍ଚ ସ୍ଥାନରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଥିବା ଏମଏମଭି ଏହି ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଉରକେଲା ମହାନଗର ନିଗମର ବିଭିନ୍ନ ବସ୍ତି ଅଞ୍ଚଳ ସହିତ ୧୦ଟି ବ୍ଲକର ବିଭିନ୍ନ ସ୍ଥାନକୁ ଯାଇ ଏହି ଏମଏମଭି ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୨୮୮ ଜଣଙ୍କୁ ଟିକା ଦିଆଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣ ପାଇଁ ବିଭିନ୍ନ ଟିକାଦାନ କେନ୍ଦ୍ର କରାଯାଇଛି । ୧୮-୪୪ ବର୍ଷ, ୪୫ରୁ ଊର୍ଦ୍ଧ୍ବ  ବୟସର ବ୍ୟକ୍ତିମାନେ କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବା ସହ ସ୍ଲଟ୍ ବୁକ୍ କରି ନିଜ ପାଳି ଅନୁସାରେ ନିର୍ଦ୍ଧାରିତ କେନ୍ଦ୍ରକୁ ଆସି ଟିକା ନେଉଛନ୍ତି । ତେବେ ମୁଖ୍ୟତଃ ଜିଲ୍ଲାର ଗ୍ରାମାଞ୍ଚଳର ହିତାଧିକାରୀଙ୍କ ପାଖରେ ଏହି ସେବା ପହଞ୍ଚାଇବା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଏମଏମଭିଗୁଡ଼ିକୁ ବ୍ୟବହାର କରାଯାଉଛି ।

ଯେଉଁମାନେ ବିଭିନ୍ନ କାରଣରୁ ନିର୍ଦ୍ଧାରିତ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ପାଇଁ ଏହି ସେବା ବିଶେଷ ସୁବିଧାଜନକ ହୋଇପାରିଛି । ମୁଖ୍ୟତଃ ଗ୍ରାମାଞ୍ଚଳର ଅନେକ ବୟସ୍କ ବ୍ୟକ୍ତି, ମହିଳା ଓ ଭିନ୍ନକ୍ଷମ ହିତାଧିକାରୀମାନେ ନିଜ ଘର ପାଖରେ ଏମଏମଭି ଜରିଆରେ କରାଯାଉଥିବା ଅସ୍ଥାୟୀ ଟିକାଦାନ କେନ୍ଦ୍ରକୁ ଆସି କୋଭିଡ୍ ଟିକା ନେଇ ପାରୁଛନ୍ତି । ଫଳରେ ଜିଲ୍ଲାରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହ ବିଭିନ୍ନ ଅପହଞ୍ଚ ସ୍ଥାନରେ ଏହି ସେବା ପହଞ୍ଚିବା ସମ୍ଭବ ହୋଇପାରିଛି ।

ଆମ ଗାଁଠାରୁ ଟିକାକରଣ କେନ୍ଦ୍ର ଦୂର ହେଉଥିବାରୁ ମୁଁ ଟିକା ନେବାକୁ ଯାଇପାରି ନଥିଲି । ଏବେ ଆମ ଗାଁରେ କ୍ୟାମ୍ପ କରି ଟିକା ଦିଆଯାଉଥିବାରୁ ମୁଁ ବହୁତ ଖୁସି । ମୁଁ ସେଠାରେ ଟିକା ନେଇଛି”, କହିଛନ୍ତି ବିଶ୍ରା ବ୍ଲକ୍ ଟାଙ୍ଗରପାଲି ଗ୍ରାମର ପାର୍ବତୀ ମୁର୍ମୁ ।

ମୋବାଇଲ ମେଡିକାଲ ଭ୍ୟାନ ଜରିଆରେ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳର ଲୋକମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ତା’ ସହିତ ଆମେ ଗତ କିଛି ମାସ ହେଲା ବିଭିନ୍ନ ସ୍ଥାନକୁ ଯାଇ କୋଭିଡ୍ ଟିକାକରଣ କରୁଛୁ । ହିତାଧିକାରୀମାନେ କିଭଳି ସୁବିଧାରେ କୋଭିଡ୍ ଟିକା ନେଇପାରିବେ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି, କହିଛନ୍ତି ଏମଏମଭିରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର ଜନ୍ମେଜୟ ପାତ୍ର ।

୨୦୨୧ ଏପ୍ରିଲ ମାସରୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୋଇଡ଼ା, ରାଜଗାଙ୍ଗପୁର, ଲେଫ୍ରିପଡା, ଲହୁଣୀପଡ଼ା, ବଣାଇଁ, ନୁଆଗାଁ, କୁଆରମୁଣ୍ଡା, ସୁନ୍ଦରଗଡ଼ ସଦର, ସବଡେଗା ଏବଂ ବିଶ୍ରା ଆଦି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଗାଁରେ ପହଞ୍ଚି ଏମଏମଭି ଟିମ୍ ଟିକାଦାନ କରୁଛନ୍ତି । ସେହିପରି ରାଉରକେଲା ମହାନଗର ନିଗମ ଅଧୀନରେ ଥିବା କେତେକ ବସ୍ତି ଅଞ୍ଚଳରେ ମଧ୍ୟ ଏମଏମଭି ଜରିଆରେ ଟିକାକରଣ କରାଯାଇଛି । ଏମଏମଭି ଟିମ୍ ଟିକାକରଣ ପାଇଁ କେଉଁ ଗାଁକୁ କେଉଁଦିନ ଯିବ ତାହା ପୂର୍ବରୁ ସ୍ଥିରୀକୃତ କରାଯାଇ ସ୍ଥାନୀୟ ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ଲୋକଙ୍କୁ ଜଣାଇ ଦିଆଯାଉଛି ।

ଆଶା ଏବଂ ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ସ୍ଥାନୀୟ ଲୋକମାନଙ୍କୁ ଘର ଘର ବୁଲି ଟିକାକରଣ ସମ୍ପର୍କରେ ସୂଚନା ଦେଇଥାନ୍ତି । ସ୍ଥାନୀୟ ଅଞ୍ଚଳର ସ୍କୁଲ ପରିସର କିମ୍ବା ସର୍ବସାଧାରଣ ସ୍ଥାନରେ କ୍ୟାମ୍ପ କରାଯାଇ କୋଭିଡ୍ ଟିକା ଦିଆଯାଉଛି । ଘର ପାଖରେ ସୁବିଧାରେ କୋଭିଡ୍ ଟିକା ଦିଆଯାଉଥିବାରୁ ହିତାଧିକାରୀମାନେ କୋଭିଡ୍ ସତର୍କତା ଭିତରେ ଆଗ୍ରହର ସହ କ୍ୟାମ୍ପକୁ ଆସି ଟିକା ନେଉଛନ୍ତି ।

ଗ୍ରାମାଞ୍ଚଳରେ ଲୋକଙ୍କ ଘର ପାଖରେ ମାଗଣାରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ମଡେଲରେ ମୋବାଇଲ ମେଡିକାଲ ଭ୍ୟାନ ନିୟୋଜିତ କରାଯାଇଛି । ଜିଲ୍ଲାର ୧୭ଟି ବ୍ଲକ ଲାଗି ମୋଟ ୨୫ଟି ଏମଏମଭି ରହିଛି । ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ୨୦୧୭ ଏପ୍ରିଲ ୧ରୁ ଏହି ଅଭିନବ ସେବା ଆରମ୍ଭ ହୋଇଥିଲା । ୨୦୨୧ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୧୫ ଲକ୍ଷ ୫୯ ହଜାର ୯୪୬ ଜଣ ଲୋକ ଏହା ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ପାଇ ପାରିଛନ୍ତି ।

ଗାଁରୁ ଗାଁକୁ ବୁଲୁଥିବା ପ୍ରତି ଏମଏମଭିରେ ଜଣେ ଡାକ୍ତର, ଜଣେ ଏଏନଏମ, ଜଣେ ଫାର୍ମାସିଷ୍ଟ ନିଯୁକ୍ତ ଅଛନ୍ତି । ଲୋକମାନଙ୍କୁ ମାଗଣାରେ ଚିକିତ୍ସା ପରାମର୍ଶ ଦେବା ସହିତ ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଉଛି । ଯେଉଁ ରୋଗୀମାନଙ୍କର ଅତିରିକ୍ତ ଚିକିତ୍ସା ଆବଶ୍ୟକ ସେମାନଙ୍କୁ ଡାକ୍ତରଖାନାକୁ ରେଫର କରାଯାଉଛି । ଏମଏମଭି ଟିମ୍ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କର ଆବଶ୍ୟକ ଚିକିତ୍ସା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ।

ସମ୍ବନ୍ଧିତ ଖବର