କୋଭିଡ୍ ଟିକାକରଣରେ ପ୍ରିୟାପ୍ରୀତି ତୋଷଣ : ଅଧିକାରୀଙ୍କ ନାଁରେ ଟିକା ନେଇଛନ୍ତି ୨୦ରୁ ଊର୍ଦ୍ଧ୍ବ

ସ୍ବାସ୍ଥ୍ୟ ବିଭାଗର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ
ପଞ୍ଜୀକରଣରେ କିଏ ଦେଖାଇଥିଲା ଅନୁକମ୍ପା?

ରାୟଗଡା : ପଞ୍ଜୀକରଣ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନାଁରେ। କିନ୍ତୁ ଟିକା ନେଇଛନ୍ତି ବାହାର ବ୍ୟକ୍ତି। ଯାହାଙ୍କ କରୋନା ମୁକାବିଲାରେ କୌଣସି ଭୂମିକା ହିଁ ନାହିଁ। ସ୍ବାସ୍ଥ୍ୟ ବିଭାଗର ଅହେତୁକ ଅନୁକମ୍ପା ଯୋଗୁ ଜଣେ କି ଦୁଇ ଜଣ ନୁହଁ ଗାଇଡ୍‌ଲାଇନକୁ ଦଳିମକଚି ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଟିକା ନେଇଛନ୍ତି। ଜେକେପୁର ସ୍ଥିତ ଜେକେ କାଗଜକଳର ଡିସପେନସରିରେ ଟିକାକରଣରେ ଏମିତି ଜାଲିଆତି ହୋଇଛି। ତେବେ ଏହି ଟିକା କିଏ ଏବଂ କାହା ନାଁରେ ନେଇଛନ୍ତି ତାହାର ଖୋଳତାଡ଼ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ।

ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ାରେ ଟିକାକରଣ ଧିମେଇ ଥିବାବେଳେ ଶନିବାରଠୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣରେ ରାୟଗଡ଼ା ପ୍ରଥମ ସ୍ଥାନରେ ରହିଛି। ରାଜସ୍ବ ଓ ପୁଲିସ୍ ବିଭାଗର କର୍ମଚାରୀଙ୍କ ସମେତ ଅନ୍ୟ କିଛି ପ୍ରମୁଖ ଯୋଦ୍ଧାଙ୍କୁ ମିଶାଇ ଗତକାଲି ସଂଧ୍ୟା ସୁଦ୍ଧା ୬୮୭ ଯୋଦ୍ଧା ଟିକା ଗ୍ରହଣ କରିଛନ୍ତି। କିନ୍ତୁ ଏହାରି ଭିତରେ ସ୍ବାସ୍ଥ୍ୟ ବିଭାଗର କିଛି କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁ ହରଡ଼ଘଣାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ। କୋଭିଡ୍ ଯୋଦ୍ଧାଙ୍କ ବଦଳରେ ଗତକାଲି ଜେକେପୁର ଡିସପେନସରିରେ ବାହାର ଲୋକ ଟିକା ନେଉଥିବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ପ୍ରଶାସନ ନିକଟରେ ଅଭିଯୋଗ ପହଞ୍ଚିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ୨୪ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ଇମ୍ୟୁନାଇଜେସନ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ସମୟରେ ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଗାଇଡ୍ ଲାଇନ୍ ବାହାରେ ଟିକା ନେଇଥିବା ଜଣାପଡ଼ିଛି।

ରବିବାର ସଂଧ୍ୟାରେ ଜିଲ୍ଲା ଇମ୍ୟୁନାଇଜେସନ୍ ଅଧିକାରୀ ତଦନ୍ତ ରିପୋର୍ଟ ସିଡିଏମ୍‌ଓଙ୍କୁ ଦେବାପରେ ରାଜ୍ୟ ଇମ୍ୟୁନାଇଜେସନ୍ ଅଧିକାରୀଙ୍କୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସୁପାରିସ କରାଯାଇଛି।

‘ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ଇମ୍ୟୁନାଇଜେସନ୍ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ,’ ବୋଲି କହିଛନ୍ତି ସିଡିଏମ୍ଓ ଡା. ନାୟକ।

ସମ୍ବନ୍ଧିତ ଖବର