ବରଗଡ଼ : ପ୍ରଥମ ଦିନରେ ୩୯୦ ଜ‌ଣ ନେଲେ କରୋନା ଟିକା

ବରଗଡ଼ : ଜିଲ୍ଲାର ୪ଟି କେନ୍ଦ୍ରରେ କୋଭିଡ୍‌ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି। ୪ଟି କେନ୍ଦ୍ର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିକାଶ ହସ୍ପିଟାଲ ଏବଂ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରଥମ ଦିନରେ ୩୯୦ଜଣ ଟିକା ନେଇଛନ୍ତି। କୌଣସି ସ୍ଥାନରେ କାହାରି ପାର୍ଶ୍ବପ୍ରତିକ୍ରିୟା ହୋଇନାହିଁ।

ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯୦ଜଣ, ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିକାଶ ହସ୍ପିଟାଲ ଏବଂ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଶହେ ଜଣ ଲେଖାଏ ଟିକା ନେଇଛନ୍ତି। ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀ ସୁରୋତାରାଣୀ ରାବେନ, ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡା. ସୁରେଶ ତ୍ରିପାଠୀ, ବିକାଶ ହସ୍ପିଟାଲରେ ଡା. ଆଶିଷ ଶତପଥୀ ଏବଂ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରଶାସନିକ କର୍ମଚାରୀ ଲମ୍ବୋଦର ପଟେଲ ପ୍ରଥମେ ଟିକା ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୭୨୫୦ ଡୋଜ କୋଭିଡ ଟିକା ଆସିଥିବା ବେଳେ ଇତିମଧ୍ୟରେ ଟିକା ନେବା ପାଇଁ ୧୦,୮୪୬ ଜଣ ପଞ୍ଜିକରଣ କରିଛନ୍ତି। ନୂତନ ଜିଲା ମୁଖ୍ୟ ଡାକ୍ତରଖାନାରେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ, ସିଡିଏମ୍‌ଓ ଡା. ଅରୁଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର