ରାଜଧାନୀରେ ଦିଆଗଲାଣି ଅତିରିକ୍ତ ୫ଲକ୍ଷ ଡୋଜ୍, ଓଡ଼ିଶାରେ ଚିହ୍ନଟ ହୋଇନି ନକଲି ଟିକା

ଭୁବନେଶ୍ବର : ରାଜଧାନୀରେ ସମୁଦାୟ ୧୭ଲକ୍ଷ ଡୋଜ୍ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ହେଲେ ବହୁ ସଂଖ୍ୟାରେ ରାଜଧାନୀ ବାହାର ଲୋକ ଆସି ଭୁବନେଶ୍ବରରେ ଟିକା ନେଇଛନ୍ତି। ଯାହାଫଳରେ ଭୁବନେଶ୍ବରରେ ୨୨ଲକ୍ଷ ଡୋଜ୍ ଟିକା ଦିଆଗଲାଣି। ଏବେ ବି କିଛି ବାକି ରହିଛି। ମାତ୍ର ଭୁବନେଶ୍ବରରେ ଟିକାକରଣ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ତାହା ପୂରଣ ହୋଇଛି ବୋଲି କହିଛନ୍ତି ରାଜ୍ୟ ଟିକାକରଣ‌ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ। ଡା.ପାଣିଗ୍ରାହୀ କହିଛନ୍ତି, ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ଚିଠିରେ ଦକ୍ଷିଣ ପୂର୍ବ ଓ ଆଫ୍ରିକା ଦେଶରେ ନକଲି କୋଭିସିଲ୍‌ଡ ଟିକା ଦିଆଯାଉଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’ ସୂଚନା ପାଇଛି। ତେଣୁ ଏସବୁ ଦେଶମାନଙ୍କୁ ସତର୍କ କରାଯାଇଥିଲା। ରାଜ୍ୟରେ ଏ ପର୍ଯ୍ୟନ୍ତ ନକଲି ଟିକା ଚିହ୍ନଟ ହୋଇନାହିଁ। ଲୋକଙ୍କ ଭିତରେ ଟିକା ନେବାର ଆଗ୍ରହ ରହିଛି। ଏ ପର୍ଯ୍ୟନ୍ତ ୧କୋଟି ୭୮ଲକ୍ଷ ହିତାଧିକାରୀ ପ୍ରଥମ ‌ଓ ୫୮ଲକ୍ଷ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ଦ୍ବିତୀୟ ଡୋଜ୍ ଅପେକ୍ଷାରେ ରହିଥିବା ୭୦ ପ୍ରତିଶତ ହିତାଧିକାରୀ ଟିକା ନେଇ ସାରିଲେଣି। ଲୋକଙ୍କ ପାଖରେ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିକା କେନ୍ଦ୍ରରେ ଲୋକମାନେ ଗହଳି କରୁଥିବା ଦେଖିବାକୁ ମିଳିଛି। ଗହଳି ନିୟନ୍ତ୍ରଣ କରିବା ଲାଗି ‌କିଛି ସ୍ଥାନରେ ଟୋକନ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତଥାପି ସେଠାରେ ଲୋକମାନଙ୍କ ଗହଳି ଦେଖିବାକୁ ମିଳୁଛି। ତେଣୁ ରାତି ତମାମ ଅପେକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଚଳିତମାସରେ ରାଜ୍ୟରେ ଲଗାତାର ଭାବେ ଦୈନିକ ୩ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟିକାକରଣ କରାଯାଉଛି। ଆଜି ରାଜ୍ୟରେ ୧୬୫୫ ଟିକାକରଣ ଅଧିବେଶନ ଆୟୋଜିତ ହୋଇଥିବା ବେଳେ ଏଥିରେ ୩ଲକ୍ଷ ୪୫ହଜାର ୪୪୧ଜଣ ଟିକା ନେଇଛନ୍ତି। ୧୮-୪୪ ବର୍ଗରେ ୧ଲକ୍ଷ ୮୫ହଜାର ୫୮୯ଜଣ ପ୍ରଥମ ଓ ୩୩,୫୯୮ଜଣ ଦ୍ବିତୀୟ ଡୋଜ୍ ନେଇଥିଲେ। ସେହିପରି ୪୫ବର୍ଷରୁ ଅଧିକ ୭୨,୧୪୫ଜଣଙ୍କୁ ପ୍ରଥମ ଓ ୫୨,୩୨୬ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ୩ଲକ୍ଷ ୮ହଜାର ୮୬୪ ଡୋଜ୍ କୋଭିସିଲ୍‌ଡ ଓ ୩୫,୫୬୯ କୋଭାକ୍ସିନ୍ ଓ ୮ ଡୋଜ୍ ‌ସ୍ପୁଟନିକ-ଭି ଟିକା ହିତାଧିକାରୀ ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ପ୍ରାୟ ୨କୋଟି ୪୦ ଲକ୍ଷ ଡୋଜ୍ ଟିକା ଦିଆଗଲାଣି।

ସମ୍ବନ୍ଧିତ ଖବର