ଗଞ୍ଜାମରେ କୋଭିଡ୍ ଟିକାକରଣ : ପ୍ରଥମ ଦିନରେ ୧୦୦୪ ସ୍ୱାସ୍ଥ୍ୟ କର୍ମଚାରୀ ନେବେ ଦ୍ୱିତୀୟ ଡୋଜ୍‌

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କୋଭିଡ଼୍‌ ଟିକାକରଣ ଜାରି ରହିଛି। ଜିଲ୍ଲାରେ ଅଦ୍ୟାବଧି ୮୫ ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ୭୬ ପ୍ରତିଶତ ଆଗଧାଡ଼ିର କୋଭିଡ଼୍‌ ଯୋଦ୍ଧା ଟିକା ନେଇଥିବା ଜଣାପଡ଼ିଛି। ଆସନ୍ତାକାଲି ଠାରୁ ଜିଲ୍ଲାରେ ଦ୍ବିତୀୟ ଡ଼ୋଜ୍‌ ଟିକାକରଣ ଆରମ୍ଭ ହେବ। ଏହା ୨୫ତାରିଖ ଯାଏଁ ଚାଲିବ। ପ୍ରଥମ ଡ଼ୋଜ୍‌ ଟିକା ନେଇଥିବାର ୨୮ଦିନ ପରେ ଦିତ୍ବୀୟ ଡ଼ୋଜ ଟିକା ଦିଆଯିବ। ଆସନ୍ତାକାଲି ୧୦୦୪ଜଣ ସ୍ବାସ୍ଥ୍ୟ କର୍ମଚାରୀ ଦ୍ବିତୀୟ ଡୋଜ୍‌ ଟିକା ନେବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଜାନୁଆରି ୧୬ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ସ୍ବାସ୍ଥ୍ୟସେବା ଜଡ଼ିତ ୨୫ହଜାର୧୭୭ଜଣ ସ୍ବାସ୍ଥ୍ୟ କର୍ମଚାରୀ ଟିକା ନେବାକୁ ରହିଥିଲା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୨୧ହଜାର ୩୧୨ଜଣ ଅର୍ଥାତ ୮୫ ପ୍ରତିଶତ ଟିକା ନେଇଛନ୍ତି। ବ୍ରହ୍ମପୁର ମହାନଗର ଅଞ୍ଚଳରେ ଟିକା କରଣ ହାର ସବୁଠାରୁ କମ୍‌ ରହିଛି। ପୌରାଞ୍ଚଳର ୮୬୧୯ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରୁ ୬୧୯୫ଜଣ ଟିକା ନେଇଛନ୍ତି ଯାହାକି ୭୨ ପ୍ରତିଶତ। କିନ୍ତୁ ଆସିକା ଓ ଜଗନ୍ନାଥ ପ୍ରସାଦ ବ୍ଲକରେ ଟିକାକରଣ ଲକ୍ଷ ଧାର୍ଯ୍ୟ ଠାରୁ ଅଧିକ ରହିଛି। ଆସିକାରେ ୮୨୫ଜଣ ଟିକା ନେବା ଲାଗି ଲକ୍ଷ ରହିଥିବା ବେଳେ ୮୪୯ଜଣ (୧୦୩ ପ୍ରତିଶତ) ଏବଂ ଜଗନ୍ନାଥ ପ୍ରସାଦରେ ୫୮୩ଜଣ ‌ନେବା ଲାଗି ରହିଥିବା ବେଳେ ୬୨୭ ଜଣ (୧୦୮ ପ୍ରତିଶତ) ଟିକା ନେଇଛନ୍ତି। ସେହିପରି ଜିଲ୍ଲାର ଆଗଧାଡ଼ିର କୋଭିଡ଼୍‌ ଯୋଦ୍ଧା ୧୩ହଜାର ୪୩ଜଣ ଟିକା ନେବା ଲାଗି ଲକ୍ଷ ରହିଛି। ଅଦ୍ୟାବଧି ୯୯୩୬ଜଣ(୭୬ ପ୍ରତିଶତ) ଟିକା ନେଇଛନ୍ତି। ଏଥିରେ ବ୍ରହ୍ମପୁର ମହାନଗର ଆଗରେ ରହିଛି। ୧୭୭୦ଜଣ ଟିକା ନେବାକୁ ରହିଥିବା ବେଳେ ୧୮୮୫ଜଣ(୧୦୬ପ୍ରତିଶତ) ଟିକା ନେଇଛନ୍ତି।
ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଏହି ଟିକାଦାନରେ ସବୁଠାରୁ ପଛରେ ପଡ଼ିଛି। ୧୨୮୬ଜଣ ଟିକା ନେବା ଲାଗି ରହିଥିବା ବେଳେ ମାତ୍ର ୩୬୮ଜଣ ଟିକା ନେଇଛନ୍ତି, ଯାହାକି ଟାର୍ଗେଟର ମାତ୍ର ୨୯ ପ୍ରତିଶତ।
ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ରହିଛି। ଜିଲ୍ଲାରେ ଗତ ୨୪ଘଣ୍ଟା ମଧ୍ୟରେ ୧୦୬୯ଜଣ କୋଭିଡ଼୍‌ ପରୀକ୍ଷା ହୋଇଥିବା ବେଳେ ଜଣେ ମାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆଜି ସୁଦ୍ଧା ୨୧ହଜାର ୮୯୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୧ହଜାର ୬୨୮ଜଣ ସୁସ୍ଥ ହୋଇଛନ୍ତି। ୨୪୮ଜଣଙ୍କ କୋଭିଡ଼୍‌ରେ ମୃତ୍ୟୁ ଘଟିଛି। ଜିଲ୍ଲା ଏବେ ମାତ୍ର ୬ଟି ଆକ୍ଟିଭ୍‌ କେସ୍‌ ରହିଛି। ଆଜି ସୁଦ୍ଧା ୭ଲକ୍ଷ ୬୩ହଜାର ୬୬୫ଜଣଙ୍କ କୋଭିଡ଼୍‌ ପରୀକ୍ଷା ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।
ସମ୍ବନ୍ଧିତ ଖବର