କୋଭିଡ୍ ଟିକାକରଣ ପ୍ରଥମ ଦିନ : ଗଞ୍ଜାମରେ ୧୦୦୪, କନ୍ଧମାଳରେ ୫୫୫, ଗଜପତିରେ ୩୯୪ ନେଲେ

ବ୍ରହ୍ମପୁର : କରୋନା ବିରୋଧରେ ଚାଲିଥିବା ଲଢ଼େଇର ଆଜି ଅନ୍ତିମ ପର୍ଯ୍ୟାୟ ଆରମ୍ଭ ହୋଇଛି। କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା ପାଇଁ କୋଭିସିଲ୍‌ଡ ସଂଜୀବନୀ ପ୍ରଦାନ ଆରମ୍ଭ ହୋଇଛି। ସାରା ଦେଶରେ ଆଜିଠାରୁ ଶୁଭାରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଟିକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି। ବ୍ରହ୍ମପୁର ସିଟି ହସ୍ପିଟାଲ୍‌ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଗଞ୍ଜାମ ଜିଲ୍ଲାର ମୋଟ ୧୧ଟି କେନ୍ଦ୍ରରେ ଟିକା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଆଜି ପ୍ରଥମ ଦିନରେ ୧୧ଶହ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ତନ୍ମଧ୍ୟରୁ ୧ହଜାର ୪ଜଣ ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ଧରାକୋଟ ସିଏଚ୍‌ସିରେ ସର୍ବାଧିକ ୧୧୨ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ୧୦୮, ଖ୍ରୀଷ୍ଟିଆନ୍ ହସ୍ପିଟାଲ୍‌ରେ ୧୦୭, ଆସିକା ସିଏଚ୍‌ସି‌ରେ ୧୦୦, ଛତ୍ରପୁର ଡାକ୍ତରଖାନାରେ ୧୦୦, ଭଞ୍ଜନଗର ଡାକ୍ତରଖାନାରେ ୧୦୦, ସିଟି ହସ୍ପିଟାଲ୍‌ରେ ୯୨, ସୁମଣ୍ଡଳ ସିଏଚ୍‌ସିରେ ୯୦, ଚିକିଟି ସିଏଚ୍‌ସିରେ ୮୭, ଆସିକା ରୋଡ଼ ୟୁପିଏଚ୍‌ସିରେ ୫୯ ଓ ବେଲଗାଁ ସିଏଚ୍‌ସିରେ ୪୭ଜଣଙ୍କୁ ଟିକା ଦିଆଯାଇଛି।

ସେଭଳି କନ୍ଧମାଳ ଜିଲ୍ଲାର ୫ଟି କେନ୍ଦ୍ରରେ ମୋଟ ୫୫୫ଜଣ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯାଇଛି। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨୬ଜଣ ଟିକା ନେଇଥିବା ବେଳେ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ୧୧୭, ଟିକାବାଲି ସିଏଚ୍‌ସିରେ ୧୦୭, ଘୁ.ଉଦୟଗିରି ସିଏଚ୍‌ସିରେ ୧୧୫ ଓ କ.ନୂଆଗାଁ ସିଏଚ୍‌ସିରେ ୯୦ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ସେହିପରି ଗଜପତି ଜିଲ୍ଲାରେ ମୋଟ ୪ଟି କେନ୍ଦ୍ରରେ ୩୯୪ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି। ଗୋଷାଣୀ ସିଏଚ୍‌ସିରେ ୧୦୦ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ରାୟଗଡ଼ ସିଏଚ୍‌ସିରେ ୯୪, ମୋହନା ସିଏଚ୍‌ସିରେ ୧୦୦ ଓ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ଟିକା ନେବା ପରେ କୌଣସି ସ୍ବାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଙ୍କ ନିକଟରେ ସେମିତି କୌଣସି ପାର୍ଶ୍ବ ପ୍ରତିକ୍ରିୟା ପରିଲକ୍ଷିତ ହୋଇ ନାହିଁ। ସମସ୍ତେ ଉତ୍ସାହର ସହିତ ଟିକା ନେଇଛନ୍ତି। ଏହି ଟିକାକରଣ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର