ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ବହୁ ପ୍ରତୀକ୍ଷିତ କୋଭିଡ଼୍-୧୯ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ସମଗ୍ର ଭାରତରେ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ସାରିବା ପରେ ଜିଲ୍ଲାର ୫ଟି କେନ୍ଦ୍ର ଯଥା ଫୁଲବାଣୀ, ବାଲିଗୁଡ଼ା, ଘୁ. ଉଦୟଗିରି, ଟିକାବାଲି ଓ କ. ନୂଆଗାଁରେ ଥିବା ଚିକିତ୍ସାଳୟରେ ଟିକାଦାନ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଫୁଲବାଣୀ ସଦର ମହକୁମା ଚିକିତ୍ସାଳୟ ପରିସରରେ ଥିବା ଟିକାକରଣ କେନ୍ଦ୍ରକୁ ଜିଲ୍ଲାପାଳ ଡ. ବୃନ୍ଦା ଡି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଆଜି ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରରେ ୧୦୦ ଜଣ ଲେଖାଏ ସ୍ବାସ୍ଥ୍ୟକର୍ମୀ ଟିକା ନେବେ ବୋଲି ସ୍ଥିର କରାଯାଇଛି। ଆସନ୍ତାକାଲି ଠାରୁ ଜିଲ୍ଲାର ଅନ୍ୟ ୭ଟି ବ୍ଲକ୍ରେ ଟିକାକରଣ କରାଯିବ ଏବଂ ସପ୍ତାହେ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଟିକାଦାନ କରାଯିବ ବୋଲି ଜଣାପଡ଼ିଛି।
ଜିଲ୍ଲାର ସମୁଦାୟ ୨୩ଟି ଚିକିତ୍ସାକେନ୍ଦ୍ରରେ ୭ ହଜାର ୭୫୭ ଜଣ ଟିକା ନେବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪,୬୫୪ ଜଣ ହିତାଧିକାରୀଙ୍କୁ ଟିକାଦାନ କରାଯିବ। ସେଥିପାଇଁ ୫,୧୨୦ ମାତ୍ରା ଟିକା ଆବଶ୍ୟକ ପଡ଼ିବ ବୋଲି ଆକଳନ କରାଯାଇଛି। ତେବେ ପ୍ରଥମ ଦିନରେ ଫୁଲବାଣୀରେ ୧୧୭ ଜଣ, ବାଲିଗୁଡ଼ାରେ ୧୨୬ ଜଣ, ଟିକାବାଲିରେ ୧୦୭ ଜଣ, ଘୁ.ଉଦୟଗିରିରେ ୧୧୫ ଓ କ.ନୂଆଗାଁରେ ୯୦ ଜଣଙ୍କୁ ଟିକାକରଣ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୭ ବର୍ଷ ବୟସ୍କ ସ୍ବେଚ୍ଛାକର୍ମୀ ରବୀନ୍ଦ୍ର କୁମାର ବେହେରା ପ୍ରଥମ ହିତାଧିକାରୀ ଭାବେ କୋଭିଡ୍-୧୯ ଟିକାଗ୍ରହଣ କରିଥିବାବେଳେ ଶରତ ମୁଖୀ ବାଲିଗୁଡ଼ା କେନ୍ଦ୍ରରେ ନେଇଥିଲେ। ସେହିଭଳି ଅଜୟ କୁମାର ନାୟକ ଘୁ. ଉଦୟଗିରି କେନ୍ଦ୍ରରେ ଟିକା ନେଇଥିବାବେଳେ ଟିକାବାଲି କେନ୍ଦ୍ରରେ ଡା.ଜ୍ୟୋତିରଂଜନ ଜେନା, କ. ନୂଆଗାଁରେ ଗୋକୁଳ ବେହେରା ଟିକା ଗ୍ରହଣ କରିଥିଲେ। ଜିଲ୍ଲାପାଳ ବୃନ୍ଦା ଡି. ଆଜି ଫୁଲବାଣୀ ଟିକାକରଣ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ୍.ପି ବିନୀତ ଅଗ୍ରୱାଲ୍, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାଜଶ୍ରୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପଦାଧିକାରୀ ଓ ଡାକ୍ତରମାନେ ଉପସ୍ଥିତ ଥିଲେ।