ପ୍ରଥମ ଦିନରେ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ହାସଲ

ଏଣିକି ସବୁଦିନ ଦିଆଯିବ କରୋନା ଟିକା, ୬ ଜିଲ୍ଲାରେ ଧାର୍ଯ୍ୟ ଟିକାକରଣ ଲକ୍ଷ୍ୟ ବିଫଳ

ଭୁବନେଶ୍ବର : ଗୁରୁବାରଠାରୁ ରାଜ୍ୟରେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦିଆଯିବାକୁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ପ୍ରଥମ ଦିନରେ ତାହା ପୂରଣ ହୋଇଛି। ରାଜ୍ୟବ୍ୟାପୀ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ଲୋକମାନେ ଆଗକୁ ଆସି ଟିକା ନେଇଛନ୍ତି। ଆଜି ଗୋଟିଏ ଦିନରେ ୨ଲକ୍ଷ ୩ହଜାର ୧୬୨ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏଥିରେ ସିଂହଭାଗ ରହିଛନ୍ତି ୪୫ବର୍ଷରୁ ଅଧିକ ବ୍ୟକ୍ତି। ଏହାସହ ଚଳିତମାସରେ ସବୁଦିନ ଟିକାକରଣ କରିବା ଲାଗି ସବୁ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖିଛନ୍ତି।

ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି କେନ୍ଦ୍ର ସରକାର ୪୫ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଘୋଷଣା କରିଥିଲେ। ଆଜିଠାରୁ ରାଜ୍ୟରେ ୪୫ବର୍ଷର ଲୋକମାନେ ଟିକା ନେଇଛନ୍ତି। ରାଜ୍ୟ ସରକାର ମଧ୍ୟ ଆଜିଠାରୁ ଦିନକୁ ୨ଲକ୍ଷ ଲୋକଙ୍କୁ ଟିକା ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦିନରେ ୪୫-୫୯ବର୍ଷର ୧ଲକ୍ଷ ୨୧ହଜାର ୮୫୫ଜଣଙ୍କୁ ପ୍ରଥମ ଡୋଜ୍ ଓ ୬୧୮ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ୬୦ବର୍ଷରୁ ଅଧିକ ୬୭ହଜାର ୬୧୧ ଜଣଙ୍କୁ ପ୍ରଥମ ଡୋଜ୍ ଓ ୯,୪୩୧ଜଣଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଛି। ଏହାସହ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ମଧ୍ୟ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ଆଜି ୩ଜଣଙ୍କଠାରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବଲାଙ୍ଗୀରରେ ୨ଜଣ ଓ ଗଞ୍ଜାମରେ ଜଣଙ୍କଠାରେ ପାର୍ଶ୍ବ ପ୍ରତିକିୟା ଦେଖା ଦେଇଥିଲା। ରାଜ୍ୟରେ ସମୁଦାୟ ୨୬ଲକ୍ଷ ୧୪ହଜାର ୧୭୫ଜଣ କରୋନା ଟିକା ନେଇ ସାରିଲେଣି।

ଅପରପକ୍ଷରେ ଚଳିତମାସରେ ଛୁଟିଦିନକୁ ମିଶାଇ ସବୁଦିନ ଟିକାକରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଉଭୟ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ ଏହି ନିର୍ଦେଶକୁ ପାଳନ କରିବା ଲାଗି କୁହାଯାଇଛି। ‌ଏ ଦୃଷ୍ଟିରୁ ଟିକାକରଣ ଅଧିବେଶନଗୁଡ଼ିକୁ ବଢ଼ାଇବା ଲାଗି ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ରାଜ୍ୟର ୬ଟି ଜିଲ୍ଲା ଟିକାକରଣ ନେଇ ଦିଆଯାଇଥିବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ବିଫଳ‌ ହୋଇଛନ୍ତି। ଏଥିରେ ଅନୁଗୁଳ, ବଲାଙ୍ଗୀର, ଢେଙ୍କାନାଳ, କଟକ, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ରହିଛି। ଏସବୁ ଜିଲ୍ଲାପାଳମାନଙ୍କୁ କିଭଳି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। ପ୍ରଥମ ଦିନରେ ଧାର୍ଯ୍ୟ ଲକ୍ଷ୍ୟ ସହିତ ଆଗାମୀ ଦିନର ଲକ୍ଷ୍ୟ ଯେପରି ପୂରଣ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର