ରାଜ୍ୟରେ କରୋନା ଟିକାକରଣ ୫ କୋଟି ଟପିଲା

ଭୁବନେଶ୍ବର : କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ରାଜ୍ୟ ଆଜି ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଗୋଟିଏ ବର୍ଷ ଭିତରେ ରାଜ୍ୟର ୧୮ବର୍ଷରୁ ଅଧିକ ବୟସର ଲୋକଙ୍କୁ ୫ କୋଟି ଡୋଜ୍ ଟିକା ଦିଆଯାଇଛି। ଆଜି ୨ଲକ୍ଷ ୫୯ହଜାର ୩୩ଜଣଙ୍କୁ ଟିକା ଦିଆଯିବା ପରେ ମୋଟ ଟିକାଦାନ ସଂଖ୍ୟା ୫କୋଟି ୬୨ହଜାର ୯୦୭କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଆସନ୍ତା ୩ତାରିଖଠାରୁ ରାଜ୍ୟରେ ୧୫-୧୮ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନୂଆବର୍ଷରୁ ପଞ୍ଜୀକରଣ ଆରମ୍ଭ ହେବ।

ଚଳିତବର୍ଷ ଜାନୁଆରି ୧୬ତାରିଖରେ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା। ରାଜ୍ୟରେ ୧୮ବର୍ଷରୁ ଅଧିକ ୩.୨୫ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ। ଆସନ୍ତାମାସ ୧୫ତାରିଖ ସୁଦ୍ଧା ସବୁ ହିତାଧିକାରୀ ପ୍ରଥମ ଡୋଜ୍ ପ୍ରଦାନ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ରାଜ୍ୟରେ ଏବେ ୨କୋଟି ୯୨ଲକ୍ଷରୁ ଅଧିକ ଅର୍ଥାତ୍ ୮୯ ପ୍ରତିଶତ ନିଜର ପ୍ରଥମ ଡୋଜ୍ ନେଇ ସାରିଛନ୍ତି। ସେହିପରି ୨କୋଟି ୮ଲକ୍ଷରୁ ଅଧିକ ବା ୬୪ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ପିଲାଙ୍କ ପାଇଁ ଆସନ୍ତାକାଲିଠାରୁ ପଞ୍ଜୀକରଣ ଆରମ୍ଭ ହେଉଛି। ଏହାସହ ଅନ୍‌ସାଇଟ୍‌ରେ ମଧ୍ୟ ପିଲାମାନେ ଟିକା ନେଇ ପାରିବେ। ଆସନ୍ତା ୧ମାସ ଭିତରେ ପିଲାମାନଙ୍କ ଟିକାକରଣ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଆବଶ୍ୟକ ସଂଖ୍ୟକ ଟିକା ଉପଲବ୍ଧ ହେବା ଉପରେ ଏହାର ସଫଳତା ନିର୍ଭର କରୁଛି ବୋଲି ଡା.ପାଣିଗ୍ରାହୀ କହିଛନ୍ତି।

ଉଲ୍ଲେଖ ଯେ, ରାଜ୍ୟରେ ୧୫-୧୮ ବର୍ଗରେ ୨୩ଲକ୍ଷ ୬୫ହଜାର ପିଲା ରହିଛନ୍ତି। ପିଲାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ। ଏହାସହ ୬୦ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୧୦ଲକ୍ଷ ୪୭ହଜାର ୪ଶହ, ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୭ଲକ୍ଷ ୫ହଜାର ରହିଛି। ବୟସ୍କଙ୍କୁ ଆସନ୍ତା ୧୦ତାରିଖରୁ ପ୍ରିକସନ୍ ଡୋଜ୍ ଦିଆଯିବ। ମାତ୍ର କେଉଁ ଟିକା ଦିଆଯିବ ତାହା ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର