୧୬ରେ କୋଭିଡ୍‌ ଟିକାକରଣ: କ୍ୟାପିଟାଲ ହସ୍ପିଟାଲ, ସୁନ୍ଦରଗଡ଼ରେ ଟୁ ୱେ କମ୍ୟୁନିକେସନ୍

ଟିକାକରଣ ପାଇଁ ୧୭-୧୯ ପଲ୍‌ସ ପୋଲିଓ ସ୍ଥଗିତ

ଭୁବନେଶ୍ବର : ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ରାଜ୍ୟରେ ୧୬୦ଟି ଟିକାଦାନ କେନ୍ଦ୍ର ଚିହ୍ନଟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବ। ଟିକାଦାନ ସମୟରେ କ୍ୟାପିଟାଲ ହସ୍ପିଟାଲ ଓ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାର ହସ୍ପିଟାଲରେ ତଥ୍ୟ ସରବରାହ ପାଇଁ ଭିଡିଓ କନଫେରେନ୍‌ସିଂ ବ୍ୟବସ୍ଥା କରାଯାଇଛି। ଫଳରେ ‌ଟିକା ଓ ଟିକା ନେଇଥିବା ବ୍ୟକ୍ତିଙ୍କ ସଂପର୍କରେ କେନ୍ଦ୍ର ସରକାର ସୂଚନା ପାଇପାରିବେ।

କୋଭିଡ୍‌ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ୩୦ ଜିଲ୍ଲା ବାଦ୍ ୫ ମହାନଗର ନିଗମରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତି ଟିକାଦାନ କେନ୍ଦ୍ରରେ ୧୦୦ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ସବୁ ଟିକାଦାନ କେନ୍ଦ୍ରରେ ଏଇଏଫ୍‌ଆଇ କିଟ୍‌ ମହଜୁଦ ରହିବ। ଟିକା ନେବା ପରେ କୌଣସି ବ୍ୟକ୍ତିଙ୍କ ଯଦି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ତା’ହେଲେ ଏଇଏଫ୍‌ଆଇ କିଟ୍‌ରେ ଥିବା ଇଞ୍ଜେକସନ୍‌ ଦିଆଯିବ। ଟିକାକରଣର ସୁପରିଚାଳନା ପାଇଁ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଜିଲ୍ଲାସ୍ତରୀୟ କମିଟି ମଧ୍ୟ ଜିଲ୍ଲାରେ ଟିକାର ସୁପରିଚାଳନାର ନିରୀକ୍ଷଣ କରିବାକୁ କୁହାଯାଇଛି।

ଅପରପକ୍ଷରେ କୋଭିଡ୍‌ ଟିକାକରଣ ପାଇଁ ଆସନ୍ତା ୧୭ରୁ ୧୯ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ହେବାକୁ ଥିବା ପଲ୍‌ସ ପୋଲିଓ ଟିକାକରଣକୁ ସ୍ଥଗିତ ରଖାଯାଇଛି। ପଲ୍‌ସ ପୋଲିଓ ଟିକାକରଣ ପରବର୍ତୀ ସମୟରେ କେବେ କରାଯିବ ତାହାର ତାରିଖ ଚୟନ କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ତଥା ରାଜ୍ୟ‌ କୋଭିଡ୍‌ ଟିକାକରଣର ‌ନୋଡାଲ ଅଧିକାରୀ ଡା.ବିଜୟ ମହାପାତ୍ର। ଡା.ମହାପାତ୍ର କହିଛନ୍ତି, ଟିକା ଆସିବା ପରେ ରାଜ୍ୟସ୍ତରୀୟ ଭ୍ୟାକ୍ସିନ୍ ଷ୍ଟୋରରେ ଏହାକୁ ରଖାଯିବ ଓ ପରବର୍ତୀ ସମୟରେ ସବୁ ଜିଲ୍ଲାକୁ ପଠାଯିବ। ପ୍ରଥମ ପର୍ଯ୍ୟାୟରେ ପଞ୍ଜୀକୃତ ହୋଇଥିବା ୩.୨୮ ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ ଆଇସିଡିଏସ୍‌ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏହାସହ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ହିତାଧିକାରୀଙ୍କ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥିରେ ଗୃହ, ଗୃହ ଓ ନଗର ଉନ୍ନୟନ ବିଭାଗ ଓ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ସାମିଲ କରାଯିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର