ରାଜ୍ୟର ୧୨ ଜିଲ୍ଲାରେ ଦ୍ୱିତୀୟ ଡୋଜ୍ ଟିକାକରଣ ହାର କମ୍

ଆଦିବାସୀ ବହୁଳ ଜିଲ୍ଲାରେ କମ୍ ଦ୍ୱିତୀୟ ଡୋଜ୍ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ଉତ୍ସାହଜନକ ଥିବା ଦ୍ବିତୀୟ ଡୋଜ୍ ଟିକାକରଣରେ ବେଶ୍‌ ପଛରେ ରହିଛି। ଗତ ଜାନୁଆରି ମାସ ସୁଦ୍ଧା ରାଜ୍ୟରେ ଶତ ପ୍ରତିଶତ ଟିକାକରର କରିବା ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ମଧ୍ୟ ୯୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରଥମ ଡୋଜ୍ ଟିକାକରଣ ସମ୍ଭବ ହୋଇପାରିଛି। ୧୨ଟି ଜିଲ୍ଲାରେ ଦ୍ବିତୀୟ ଡୋଜ୍ ଟିକାକରଣ ୭୮ ପ୍ରତିଶତ ଛୁଇଁପାରିଛି। ଏଥିରେ ଅଧିକଂଶ ଆଦିବାସୀ ବହୁଳ ଜିଲ୍ଲା ରହିଛନ୍ତି। କୋଭିଡର ପରବର୍ତୀ ଲହରକୁ ଏଡ଼ାଇବା ଲାଗି କେନ୍ଦ୍ର ସରକାର ଟିକାକରଣକୁ ଗୁରୁତ୍ବ ଦେଉଛନ୍ତି। ହେଲେ ଏ କ୍ଷେତ୍ରରେ ଓଡ଼ିଶା ଦେଶର ଅନେକ ରାଜ୍ୟ ତୁଳନାରେ ପଛରେ ପଡ଼ିଛି।

ଜାତୀୟ ସ୍ତରରେ ପ୍ରଥମ ଡୋଜ୍ ଟିକାକରଣ ୯୬ ପ୍ରତିଶତ ରହିଛି। ମାତ୍ର ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼ ଭଳି ରାଜ୍ୟରେ ପ୍ରଥମ ଡୋଜ୍ ପ୍ରାୟ ଶତ ପ୍ରତିଶତ ଥିବା ବେଳେ ଦ୍ବିତୀୟ ଡୋଜ୍ ୯୦ ପ୍ରତିଶତରୁ ଅଧିକ ରହିଛି। ଏହା ତୁଳନାରେ ଓଡ଼ିଶାରେ ଦ୍ବିତୀୟ ଡୋଜ୍ ଟିକାକରଣ ବେଶ୍‌ ଦୁର୍ବଳ ଦେଖିବାକୁ ମିଳିଛି। ଗତକାଲି ସୁଦ୍ଧା ଦେବଗଡ଼ରେ ୬୬ ପ୍ରତିଶତ, ବଲାଙ୍ଗୀରରେ ୬୮ ପ୍ରତିଶତ, ଗଜପତିରେ ୬୯ ପ୍ରତିଶତ, ନୂଆପଡ଼ା ଓ ନବରଙ୍ଗରେ ୭୧ ପ୍ରତିଶତ ଲେଖାଏ, ମୟୂରଭଞ୍ଜ-କେନ୍ଦ୍ରାପଡ଼ା ୭୫ ପ୍ରତିଶତ, ବୌଦ୍ଧ-ବରଗଡ଼ରେ ୭୪ ପ୍ରତିଶତ ଓ କଟକ-ଢେଙ୍କାନାଳ-କଳାହାଣ୍ଡି ଜିଲ୍ଲାରେ ୭୭ ପ୍ରତିଶତ ପର୍ଯ୍ୟନ୍ତ ଦ୍ବିତୀୟ ଡୋଜ୍ ଟିକାକରଣ ହୋଇପାରିଛି।

ରାଜ୍ୟ କ‌ରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ସଚେତନତ ସତ୍ତ୍ବେ ଲୋକମାନେ ଟିକା ନେବାକୁ ସେତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି। ରାଜ୍ୟରେ ଦୈନିକ ଟିକାକରଣ ୩ଲକ୍ଷରୁ ହ୍ରାସ ପାଇ ୨ଲକ୍ଷରେ ପହଞ୍ଚିଛି। ପ୍ରଥମ ଡୋଜ୍ ଟିକାକରଣ ହେଡ୍‌ କାଉଣ୍ଟ୍ ବା ମୁଣ୍ଡ ପିଛା ଲକ୍ଷ୍ୟ ହାସଲ ହେବା ପରେ ଏବେ ଦ୍ବିତୀୟ ଡୋଜ୍ ଟିକାକୁ ଗୁରୁତ୍ବ ଦିଆଯାଉଛି। ରାଜ୍ୟରେ ୧୮ବର୍ଷରୁ ଅଧିକ ୨୪ଲକ୍ଷ ‌ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି। ଦ୍ବିତୀୟ ଡୋଜ୍ ଟିକାକରଣକୁ ବଢ଼ାଇବା ଲାଗି ରାଜ୍ୟ ସରକାର ‘ଭ୍ୟାକ୍ସିନେସନ୍ ଅନ୍ ଡିମାଣ୍ଡ’ ଅଭିଯାନ ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲ୍ଲା‌ସ୍ତରରେ ହେଲ୍‌ପଲାଇନ୍ ନମ୍ବର ଜାରି କରାଯାଇଛି। ମାତ୍ର ତାହା ଏ ପର୍ଯ୍ୟନ୍ତ ଲୋକପ୍ରିୟତା ହାସଲ କରିପାରି ନାହିଁ।

ସେ ଆହୁରିମଧ୍ୟ କହିଛନ୍ତି ଯେ ରାଜ୍ୟରେ ବର୍ତମାନ ସୁଦ୍ଧା ଯେତିକି ସଂଖ୍ୟକ ଲୋକଙ୍କ ଦ୍ବିତୀୟ ଡୋଜ୍ ଟିକା ନେବାର ସମୟ ଆସିଛି ତହିଁରୁ ୯୨ ପ୍ରତିଶତ ଟିକା ନେଇ ସାରିଲେଣି। ବଳକା ୬/୭ ପ୍ରତିଶତ ହିତାଧିକାରୀଙ୍କୁ ଟିକା ଦେବାକୁ ଗୁରୁତ୍ବ ଦିଆଯାଉଛି ବୋଲି ଡା.ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ଆଜି ୧ଲକ୍ଷ ୬୬ହଜାର ୬୭୨ ଲୋକଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୫କୋଟି ୯୬ ଲକ୍ଷ ୮୯ହଜାର ୯୪୮ଡୋଜ୍ ଟିକା ଦିଆଗଲାଣି। ଆସନ୍ତାକାଲି ୨୯୫୨ ଟିକାକରଣ ଅଧିବେଶନରେ ରାଜ୍ୟବ୍ୟାପୀ ଟିକାକରଣ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର