ଟିକାରେ ବି ବାଛବିଚାର? କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସ୍ବାସ୍ଥ୍ୟ ସଚିବ

ଆସନ୍ତା ୧୫ ଦିନ ପାଇଁ ଟିକା ଦିଅ, ଦିନକୁ ୨ଲକ୍ଷ ଲୋକଙ୍କୁ ଦିଆଯିବ ଟିକା

ଭୁବନେଶ୍ବର : ରାଜ୍ୟମାନଙ୍କୁ ଟିକା ପ୍ରଦାନରେ ବାଛବିଚାର କରାଯାଉଛି। ଦେଶର କେତେକ ରାଜ୍ୟ ଦିନକୁ ୩ଲକ୍ଷ ଲୋକଙ୍କୁ ଟିକା ଦେଉଥିବା ବେଳେ ଓଡ଼ିଶା ଆଗାମୀ ୧୫ ଦିନ ପାଇଁ ମଧ୍ୟ ଟିକାକରଣ ନିଷ୍ପତ୍ତି ନେଇ ପାରୁନାହିଁ। ଆଗକୁ ଖରାଦିନ ଆସୁଥିବାରୁ ଦିନକୁ ଅତି କମ୍‌ରେ ୨ଲକ୍ଷ ଲୋକଙ୍କୁ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେଣୁ ଆସନ୍ତା ୧୫ଦିନ ପାଇଁ ରାଜ୍ୟକୁ ଟିକା ପ୍ରଦାନ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ୪୫ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ। ଓଡ଼ିଶାରେ ପ୍ରାୟ ୧କୋଟି ଲୋକଙ୍କ ବୟସ ୪୫ବର୍ଷରୁ ଅଧିକ। ମାତ୍ର ରାଜ୍ୟକୁ ଆବଶ୍ୟକ ସଂଖ୍ୟକ ଟିକା ଦିଆଯାଉ ନ ଥିବାରୁ ଆଗକୁ ଟିକାକରଣ ପାଇଁ ଯୋଜନା ହୋଇପାରୁ ନାହିଁ। ଆଗକୁ ଖରାଦିନ ଆସୁଥିବାରୁ ଧାର୍ଯ୍ୟ ଲୋକଙ୍କୁ ଟିକା ପ୍ରଦାନ କରିବାକୁ ହେଲେ ଦିନକୁ ଅତିକମ୍‌ରେ ୨ଲକ୍ଷ ଲୋକଙ୍କୁ ଟିକା ଦେବାକୁ ହେବ। ତେଣୁ ରାଜ୍ୟ-ରାଜ୍ୟ ଭିତରେ କୌଣସି ବାଛବିଚାର ନ କରି ଆସନ୍ତା ୧୫ଦିନ ପାଇଁ ଆବଶ୍ୟକ ଟିକା ପ୍ରଦାନ କରିବା ଲାଗି ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

ଅପରପକ୍ଷରେ ଆଜି ରାଜ୍ୟକୁ ୫.୪ଲକ୍ଷ ଡୋଜ୍‌ର ‘କୋଭିସିଲ୍‌ଡ’ ଟିକା ଆସିଛି। ରାଜ୍ୟରେ ପୂର୍ବରୁ ୫ଲକ୍ଷ ଟିକା ମହଜୁଦ ରହିଛି। ପୂର୍ବରୁ ମାର୍ଚ ୩୧ ତାରିଖ ପରେ ଟିକାର ଅଭାବ ‌ନେଇ ଟିକାକରଣ ବନ୍ଦ ରହିବା ଭଳି ଆଶଙ୍କା ପ୍ରକାଶ ପାଇଥିଲା। ଏହାସହ ରାଜ୍ୟରେ ଏବେ ୨ଲକ୍ଷ ଡୋଜ୍‌ର ‘କୋଭାକ୍ସିନ୍’ ଟିକା ମହଜୁଦ ରହିଛି। ‘କୋଭାକ୍ସିନ୍’ ଟିକାକୁ କେବଳ ଭୁବନେଶ୍ବରରେ ପ୍ରଦାନ କରାଯାଉଛି। ଯଥେଷ୍ଟ ପରିମାଣର ଟିକା ପହଞ୍ଚିବା ପରେ ରାଜ୍ୟରେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦିଆଯାଇପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ। ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ। ତେଣୁ ଏ ସମୟରେ ଅଧିକ ସଂଖ୍ୟାରେ ଟିକାକରଣ ଅଧିବେଶନ କରାଯିବ ବୋଲି ସେ କହିଛନ୍ତି।

ଆଜି ରାଜ୍ୟରେ ୭୨,୭୩୯ଜଣ ଟିକା ନେଇଛନ୍ତି। ଏଥିରେ ୬୦ବର୍ଷରୁ ଅଧିକ ୬୨,୨୫୯ଜଣ ରହିଥିବା ବେଳେ ୪୫-୫୯ବର୍ଷର ଜଟିଳ ରୋଗ ଥିବା ୫୮୯୮ଜଣ ଟିକା ନେଇଛନ୍ତି। ଏହାସହ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ମଧ୍ୟ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଆଜି ସମୁଦାୟ ୮ଜଣଙ୍କଠାରେ ଟିକାର ପ୍ରାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଭଦ୍ରକରେ ୬ଜଣ, ବଲାଙ୍ଗୀର ଓ ଭୁବନେଶ୍ବରରେ ଜଣଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ରାଜ୍ୟରେ ସମୁଦାୟ ୨୧ଲକ୍ଷ ୬୭ହଜାର ୯୪୮ଜଣଙ୍କୁ କରୋନା ଟିକା ଦିଆସରିଲାଣି। ଏଥିରେ ୬୦ବର୍ଷରୁ ଅଧିକ ୧୨ଲକ୍ଷ ୬ହଜାର ୪୨୫ଜଣ ଲୋକ ରହିଛନ୍ତି। ରାଜ୍ୟରେ ସମୁଦାୟ ୯୩ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଓ ୮୧ ପ୍ରତିଶତ ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକା ଦିଆଯାଇଛି।

ସମ୍ବନ୍ଧିତ ଖବର