୧୬୦ କେନ୍ଦ୍ରରେ ‌ଦିଆଯିବ କୋଭିଡ୍‌ ଟିକା, ପ୍ରତି କେନ୍ଦ୍ରରେ ୧୦୦ ଜଣ ସ୍ବା‌ସ୍ଥ୍ୟ କର୍ମୀ ନେବେ ଟିକା

ଭୁବନେଶ୍ବର : କରୋନା ଟିକାକରଣକୁ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଟିକା ପ୍ରଦାନ ଡ୍ରାଏ ରନ୍ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାଦାନ ପାଇଁ ସ୍ଥାନ ଚୟନ କରାଯାଇଛି। ୩୦ଟି ଜିଲ୍ଲାରେ ମୋଟ୍‌ ୧୬୦ଟି ସ୍ଥାନରେ ଟିକାଦାନ କରାଯିବ। ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା, ସିଏଚ୍‌ସି, ପିଏଚ୍‌ସି ଓ ଘରୋଇ ଡାକ୍ତରଖାନାଗୁଡ଼ିକରେ ଏହି ଟିକାଦାନ କେନ୍ଦ୍ର ରହିଛି। ମୟୂରଭଞ୍ଜ‌ରେ ସର୍ବାଧିକ ୧୦ଟି କେନ୍ଦ୍ର କରାଯାଇଛି। କେନ୍ଦ୍ର ସରକାର ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ତେଣୁ ଓଡ଼ିଶାରେ ମଧ୍ୟ ୧୬ ତାରିଖରେ ଟିକାକରଣ କାର୍ଯକ୍ରମ ଆରମ୍ଭ ହେବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ଟିକାକରଣ ପାଇଁ ରାଜ୍ୟକୁ ପର୍ଯ୍ୟାୟକ୍ରମେ ଉପକରଣ ସବୁ ଆସୁଛି। ବର୍ତ୍ତମାନ ସୁଦ୍ଧା ଯେତିକି ଉପକରଣ ଆସିଛି, ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ କୌଣସି ଅସୁବିଧା ହେବ ନାହିଁ। ପ୍ରତି କେନ୍ଦ୍ରରେ ୧୦୦ ଜଣ ଲେଖାଏ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ଟିକା ଦାନ କେବେ ହେବ, ସେ ନେଇ ନିର୍ଦ୍ଦିଷ୍ଟ ତାରିଖ ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ। କିନ୍ତୁ ଏଥି ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ଟିକାଦାନ କେନ୍ଦ୍ରଗୁଡ଼ିକରେ ତିନିଟି ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି। ଗୋଟିଏ ପ୍ରକୋଷ୍ଠରେ ‌ହିତାଧିକାରୀ ଅପେକ୍ଷା କରିବେ। ଦ୍ବିତୀୟ ପ୍ରକୋଷ୍ଠରେ ଟିକା ଦିଆଯିବ। ତୃତୀୟଟି ହେଲା ନିରୀକ୍ଷଣ ପ୍ରକୋଷ୍ଠ। ଟିକା ନେଲା ପରେ ସଂପୃକ୍ତ ବ୍ୟକ୍ତି ସେଠାରେ ଅଧ ଘଣ୍ଟା ଅପେକ୍ଷା କରିବେ। ଯଦି କୌଣସି ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ନ ହେଲା, ତାହା ପରେ ତାଙ୍କୁ ଛାଡ଼ି ଦିଆଯିବ। ଟିକା ଯୋଗାଣକାରୀ କମ୍ପାନି ଓଡ଼ିଶାକୁ ସିଧାସଳଖ ଟିକା ପଠାଇବାକୁ ବ୍ୟବସ୍ଥା ହୋଇଛି। ଓଡ଼ିଶାରେ ଏହି ଟିକା ପ୍ରଥମେ ଷ୍ଟେଟ୍‌ ଭ୍ୟାକ୍ସିନ୍ ସେଣ୍ଟର୍‌କୁ ଆସିବ।

ଅପର ପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ ଲଗାତର ଭାବେ କମ୍ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୨୪୦ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର