କୋଭିଡ ଟିକାକରଣ ପାଇଁ ଚିହ୍ନଟ ହେବ ଘରୋଇ ହସ୍ପିଟାଲ

ରେଳ ବୋର୍ଡ଼ ନିଯୁକ୍ତି ପରୀକ୍ଷାର୍ଥୀଙ୍କ ପାଇଁ ଏକାନ୍ତବାସ କଟକଣା କୋହଳ

ଭୁବନେଶ୍ବର: କୋଭିଡ ଟିକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ବ୍ୟାପକ କରାଯିବ। ଏଥିପାଇଁ ଜିଲ୍ଲା ଓ ସହରାଞ୍ଚଳରେ ଥିବା ସମସ୍ତ ଘରୋଇ ହସ୍ପିଟାଲରେ କୋଭିଡ ଟିକାକରଣ କେନ୍ଦ୍ର ଖୋଲିବାକୁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଏ ନେଇ ଉପଯୁକ୍ତ ଭିତ୍ତିଭୂମି ଥିବା ଘରୋଇ ହସ୍ପିଟାଲ ଚିହ୍ନଟ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ୫ ମହାନଗର ନିଗମ କମିସନରଙ୍କୁ ଚିଠି ଲେଖିଛନ୍ତି। ସେହିପରି ଆସନ୍ତା କାଲିଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ରେଳ ନିଯୁକ୍ତି ବୋର୍ଡ଼ ପରୀକ୍ଷା ପାଇଁ ପ୍ରାର୍ଥୀମାନଙ୍କ ପାଇଁ ଏକାନ୍ତବାସ କଟକଣାକୁ କୋହଳ କରାଯାଇଛି। ଏ ସଂକ୍ରାନ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନର, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ, ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଘରୋଇ ହସ୍ପିଟାଲରେ କୋଭିଡ ଟିକାକରଣ କେନ୍ଦ୍ର ଖୋଲିବା ନେଇ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି ଯେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ରାଜ୍ୟରେ ସୁରୁଖୁରୁରେ ଚାଲିଛି। ସରକାରୀ ଡାକ୍ତରଖାନା ବ୍ୟତୀତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ପାଇଁ ଅନୁବନ୍ଧିତ ହୋଇଥିବା ୧୮୩ଟି ଓ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହୋଇଥିବା ୧୦ଟି ଘରୋଇ ହସ୍ପିଟାଲରେ କୋଭିଡ ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଏତଦବ୍ୟତୀତ ଆବଶ୍ୟକ ଭିତ୍ତିଭୂମି ଥିବା ଘରୋଇ ହସ୍ପିଟାଲଗୁଡ଼ିକୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳ ଓ ମହାନଗର କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ ଟିକା ମହଜୁଦ ରଖିବା ପାଇଁ ସମ୍ପୃକ୍ତ ହସ୍ପିଟାଲରେ ପର୍ଯ୍ୟାପ୍ତ କୋଲ୍ଡ ଚେନ୍‌ ସୁବିଧା ଥିବ। ହସ୍ପିଟାଲରେ ପର୍ଯ୍ୟାପ୍ତ ପ୍ରକୋଷ୍ଠ, ପ୍ରତୀକ୍ଷା ଅଞ୍ଚଳ, ଟିକା ପ୍ରଦାନ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଲକ୍ଷଣ ନିରୀକ୍ଷଣ, ପର୍ଯ୍ୟାପ୍ତ ସଂଖ୍ୟାରେ ପ୍ରଶିକ୍ଷିତ ଟିକା ପ୍ରଦାନକାରୀ ସ୍ବାସ୍ଥ୍ୟସେବା କର୍ମଚାରୀ, ଟିକାକରଣ ପରେ କୌଣସି ପାର୍ଶ୍ବପ୍ରତିକ୍ରିୟା ଘଟିଲେ ସମ୍ପୃକ୍ତ ବ୍ୟକ୍ତିକୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳିବା ଭଳି ସୁବିଧା ଥିବା ଘରୋଇ ହସ୍ପିଟାଲ କୋଭିଡ ଟିକାକରଣ କେନ୍ଦ୍ର ଖୋଲିପାରିବେ। ଏସବୁ ସୁବିଧା ଥିବା ହସ୍ପିଟାଲଗୁଡ଼ିକୁ ଚିହ୍ନଟ କରି ଅତିଶୀଘ୍ର ତାଲିକା ପଠାଇବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ମାର୍ଚ୍ଚ ୩ ତାରିଖରୁ ଭୁବନେଶ୍ବରରେ ରେଳ ନିଯୁକ୍ତି ବୋର୍ଡ଼ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏହି ପରୀକ୍ଷାରେ ଛତିଶଗଡ଼ ବିଳାସପୁରରୁ ପରୀକ୍ଷାର୍ଥୀମାନେ ଭୁବନେଶ୍ବର ଆସିବା ଆରମ୍ଭ କରିଛନ୍ତି। ପ୍ରାୟ ୧୦ ହଜାର ୫୦୦ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ଦେବା ପାଇଁ ବହୁ ପୂର୍ବରୁ ଆଡମିଟ୍‌ କାର୍ଡ଼ ପ୍ରଦାନ ସରିଛି। ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ୭ ଦିନ ଏକାନ୍ତବାସରେ ରହିବା ପାଇଁ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ରେଳ ବୋର୍ଡ଼ ପରୀକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀଙ୍କ ପାଇଁ ଏହି କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତି। ଏଥିପାଇଁ ବାହାର ରାଜ୍ୟରୁ ଆସୁଥିବା ପରୀକ୍ଷାର୍ଥୀ ସେମାନଙ୍କ ପରିଚୟ ପତ୍ର ଓ ରେଳ ନିଯୁକ୍ତି ବୋର୍ଡ଼ ପରୀକ୍ଷା ଆଡମିଟ୍‌ କାର୍ଡ଼ ଦେଖାଇଲେ ସେମାନଙ୍କୁ ଆଉ ଏକାନ୍ତବାସରେ ରହିବାକୁ ବାଧ୍ୟ କରାଯାଇପାରିବ ନାହିଁ। କିନ୍ତୁ ପରୀକ୍ଷାର୍ଥୀମାନେ କୋଭିଡ୍‌ ନିୟମ ମାନିବାକୁ ବାଧ୍ୟ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର