ଆଜି ଠାରୁ ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍‌ ୧୫ ଜୁଲାଇ ୨୦୨୨ ଠାରୁ ୭୫ ଦିନିଆ – ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନ ଅନ୍ତର୍ଗତ ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ସବୁ ଯୋଗ୍ୟ ନାଗରିକମାନଙ୍କୁ କୋଭିଡ ବୁଷ୍ଟର ଡୋଜ୍‌ ଟିକା ଦିଆଯିବ । ଆଜାଦୀ କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶବିଶେଷ ସ୍ୱରୂପ ଏହି ସ୍ୱତନ୍ତ୍ର କୋଭିଡ ଟିକାକରଣ ଅଭିଯାନକୁ ‘ମିଶନ୍‌ ମୋଡ’ରେ କାର୍ଯ୍ୟକାରୀ କରାଯିବ ।

ସବୁ ଯୋଗ୍ୟ ନାଗରିକମାନଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ୍‌ ଟିକା ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏହି ବିଶେଷ ଅଭିଯାନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସଚିବ ଏବଂ ଏନ୍‌ଏଚ୍‌ଏମ୍‌ ଏମ୍‌ଡିମାନଙ୍କୁ ନେଇ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅଧ୍ୟକ୍ଷତା କରିଥିଲେ । ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦେବା ଏବଂ ସେମାନଙ୍କୁ ବୁଷ୍ଟର ଡୋଜ୍‌ ଟିକାକରଣ ଅଭିଯାନରେ ସାମିଲ କରିବା ଲାଗି ଏକ ବ୍ୟାପକ ଏବଂ ମହତ୍ବାକାଂକ୍ଷୀ ପୂର୍ଣ୍ଣ କୋଭିଡ ୧୯ ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିବେଦନ କରାଯାଇଛି। ଏହି ଅଭିଯାନ ୧୫ ଜୁଲାଇ ଠାରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୫ ଦିନ ଧରି ଜାରି ରହିବ । ୧୮ ବର୍ଷରୁ ଅଧିକ ସବୁ ବ୍ୟକ୍ତି ଯେଉଁମାନେ ଦ୍ବିତୀୟ ଡୋଜ୍‌ ଟିକା ନେବାର ୬ ମାସ (୨୬ ସପ୍ତାହ) ପୂରଣ କରିସାରିଛନ୍ତି ସେମାନେ ବୁଷ୍ଟର ଡୋଜ୍‌ ନେବା ଲାଗି ଯୋଗ୍ୟ ହୋଇପାରିବେ।

ସବୁ ଯୋଗ୍ୟ ବୟସ୍କ ନାଗରିକମାନଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ୍‌ ଟିକା
କାର୍ଯ୍ୟକାରୀ କରିବେ ଉଭୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ
ମେଳା ଓ ଜନ ସମାରୋହରେ ଆୟୋଜିତ ହେବ ଶିବିର

ଉତ୍ତରାଖଣ୍ଡର ଚାରଧାମ ଯାତ୍ରା, ଜମ୍ମୁ କଶ୍ମୀର ଅମରନାଥ ଯାତ୍ରା, ଉତ୍ତର ଭାରତର ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ କାଉଁରିଆ ଯାତ୍ରା ସହିତ ସବୁ ବଡ଼ ମେଳା ଏବଂ ଜନସମାରୋହ ସ୍ଥଳୀରେ ବିଶେଷ ଟିକାକରଣ ଶିବିର ଆୟୋଜନ ପାଇଁ ପରାମର୍ଶ ଦିଆଯାଇଛି । କାର୍ଯ୍ୟାଳୟ ପରିସର (ସରକାରୀ ଏବଂ ଘରୋଇ), ଶିଳ୍ପ ପ୍ରତିଷ୍ଠାନ, ରେଳ ଷ୍ଟେସନ, ଆନ୍ତଃରାଜ୍ୟ ବସ୍‌ ଷ୍ଟାଣ୍ଡ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟସ୍ଥଳୀ ଟିକାକରଣ ଶିବିର ଆୟୋଜନ ଲାଗି ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କୁହାଯାଇଛି । ଏପରି ସବୁ ବିଶେଷ ଟିକାକରଣ ଶିବିରରେ କୋୱିନ ଜରିଆରେ ବାଧ୍ୟତାମୂଳକ ଭାବେ ଟିକାକରଣ କରାଯିବ ଏବଂ ଟିକାକରଣ ପ୍ରମାଣପତ୍ର ଯୋଗାଇ ଦିଆଯିବ। ସବୁ ଯୋଗ୍ୟ ନାଗରିକଙ୍କୁ ଯେପରି ବୁଷ୍ଟର ଡୋଜ୍‌ ଟିକା ଦିଆଯିବ ତାହା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦିଆଯାଇଛି । ଛାପା, ବୈଦ୍ୟୁତିକ, ସାମାଜିକ ଏବଂ ଅନ୍ୟ ଗଣମାଧ୍ୟମ ଜରିଆରେ ଏହି ଅଭିଯାନ ସମ୍ପର୍କରେ ଆଗୁଆ ବ୍ୟାପକ ସଚେନତା ସୃଷ୍ଟି କରିବା ଲାଗି ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କୁହାଯାଇଛି । ରାଜ୍ୟ ସ୍ତରରେ ଅଭିଯାନର ପ୍ରଗତି ସମ୍ପର୍କରେ ନିୟମିତ ସମୀକ୍ଷା କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ସଚିବମାନଙ୍କୁ ଅନୁରୋଧ କରାଯାଇଛି ।

ସମ୍ବନ୍ଧିତ ଖବର