ଭୁବନେଶ୍ୱର : କୋଭିଡ୍ ଚିକିତ୍ସା ପାଇଁ ସରକାର କିଣିଥିବା ଭେଣ୍ଟିଲେଟର୍‌, ଆଇସିୟୁ ମେସିନ୍ ଚୋରି ଘଟଣାର ଅନ୍ୟତମ ଅଭିଯୁକ୍ତ ଏସ୍‌ସିବି ମେଡିକାଲ ଡାକ୍ତର ଶ୍ରୀକାନ୍ତ କୁମାର ପାତ୍ରଙ୍କର ଦାମୀ ଲ୍ୟାଣ୍ଡ ରୋଭର୍‌ ଡିସକଭରି କାର୍‌ ଜବତ କରିଛି କ୍ୟାପିଟାଲ ଥାନା ପୁଲିସ। ଡାକ୍ତର ଶ୍ରୀକାନ୍ତ ଫେରାର୍‌ ଥିବା ବେଳେ ପୁଲିସ ତାଙ୍କ କଟକସ୍ଥିତ ଘରେ ଚଢ଼ଉ କରି ଏହି କାର୍‌(ଓଡି୦୫-ଏଭି-୯୬୬୬) ଜବତ କରିଛି। କାର୍‌ର ମୂଲ୍ୟ ପ୍ରାୟ ୭୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କିନ୍ତୁ ଡାକ୍ତର ଶ୍ରୀକାନ୍ତ କୁଆଡ଼େ ଗଲେ? କେଉଁଠି ଆତ୍ମଗୋପନ କରିଛନ୍ତି? ଏସ୍‌ସିବି ମେଡିକାଲରେ କାର୍ଯ୍ୟରତ ଥିବା ବେଳେ ଛୁଟିରେ ଅଛନ୍ତି ନା ବିନା ଅନୁମତିରେ କୁଆଡ଼େ ଯାଇଛନ୍ତି? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Advertisment

ସରକାରଙ୍କ ଅଧୀନରେ ଥାଇ ମଧ୍ୟ ସରକାରଙ୍କ ସାମଗ୍ରୀ ହରିଲୁଟ୍‌ରେ ସମ୍ପୃକ୍ତି ନେଇ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। କେବଳ ଶ୍ରୀକାନ୍ତ ନୁହଁନ୍ତି, ଏହି କାରବାରରେ ସମ୍ପୃକ୍ତ ଥିବା ମୀରା ହସ୍ପିଟାଲର ମୁଖ୍ୟ ଓ ଆଉ କିଛି ଅଭିଯୁକ୍ତ ମଧ୍ୟ ଫେରାର ଥିବା ଜଣାପଡ଼ିଛି। ୬ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ମୁଖ୍ୟମାନଙ୍କୁ କେବେ ଗିରଫ କରାଯିବ, ତାକୁ ନେଇ ପ୍ରଶ୍ନ ଉଠିଛି। ଉଲ୍ଲେଖଯୋଗ୍ୟ, ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ଶ୍ରୀକାନ୍ତ।

କୋଭିଡ୍ ଚିକିତ୍ସା ପାଇଁ କିଣା ଯାଇଥିବା ଭେଣ୍ଟିଲେଟର, ଆଇସିୟୁ ମେସିନକୁ ଚୋରି କରି ବିକ୍ରି ଘଟଣା ସାମ୍ନାକୁ ଆସିବା ପରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସୁରକ୍ଷା କର୍ମୀ, ଠିକାଦାର, ହସ୍ପିଟାଲ ମାଲିକ, କର୍ମଚାରୀଙ୍କୁ ମିଶାଇ ୬ ଜଣଙ୍କୁ ଗିରଫ କରିଥିଲା ପୁଲିସ। ୪ଟି ଘରୋଇ ହସ୍ପିଟାଲର ସଂପୃକ୍ତି ଥିବା ନେଇ ପୁଲିସ୍‌ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା।