ଭୁବନେଶ୍ବର : କରୋନା ଯେତିକି ବଢ଼ୁଛି, ଅମାନିଆଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପ୍ରିଲ ୧ ତାରିଖଠାରୁ ଗତକାଲି (ବୁଧବାର) ପର୍ଯ୍ୟନ୍ତ ପ୍ରାୟ ୫୦ ଦିନ ଭିତରେ ୩ ଲକ୍ଷ ୧୬ ହଜାର ୬୮୨ ଅମାନିଆ ଧରାପଡ଼ିଛନ୍ତି। ମାସ୍କ, ସାମାଜିକ ଦୂରତା, ନିୟମ ଉଲ୍ଲଂଘନକାରୀ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉଲ୍ଲଂଘନକାରୀଙ୍କଠାରୁ ୯ କୋଟି ୮୪ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ନିୟମ ଭାଙ୍ଗି ବେପାର କରୁଥିବା ୨୧୮୦ ଦୋକାନ, ମାର୍କେଟ୍ କମ୍ପ୍ଲେକ୍ସକୁ ସିଲ୍ କରାଯାଇଛି। ୮୩୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୬୧୪୬ ଗାଡ଼ି ଜବତ କରାଯାଇଛି। ବେଆଇନ ମଦ, ନିଶା କାରବାର ଘଟଣାରେ ୨୫୦୩ ମାମଲା ରୁଜୁ କରାଯାଇଛି। ଡିଜିପି ଅଭୟ ଏ ସଂକ୍ରାନ୍ତରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଶ୍ରୀ ଅଭୟ କହିଛନ୍ତି, ଅଭିଯୋଗ ନେଇ ଥାନାକୁ ଆସିବା ଆବଶ୍ୟକ ନାହିଁ। ଘରେ ବସି ଥାନା ନମ୍ବର, ପୁଲିସ କଣ୍ଟ୍ରୋଲ ରୁମ୍ କିମ୍ବା ଆଇଆଇସିଙ୍କ ସିୟୁଜି ନମ୍ବରରେ କଲ୍ କଲେ ପୁଲିସ ଘରୁ ଅଭିଯୋଗ ସଂଗ୍ରହ କରିବ। ଓ୍ଵେବସାଇଟ୍, ସୋସିଆଲ ମିଡ଼ିଆରେ ୭ ଶହରୁ ଅଧିକ ଫୋନ୍ ନମ୍ବର ଉପଲବ୍ଧ ରହିଛି। କଳାବାଜର କରୁଥିବା ବେପାରୀଙ୍କୁ ମଧ୍ୟ ସେ କଡ଼ା ଚେତାବନୀ ଦେଇଛନ୍ତି। କେହି ଅକ୍ସିଜେନ୍, କରୋନା ଚିକିତ୍ସା ସମ୍ବନ୍ଧିତ ମେଡିସିନ୍ କିମ୍ବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର କଳାବଜାର କରୁଥିଲେ, ତୁରନ୍ତ ସ୍ଥାନୀୟ ଥାନାକୁ ଜଣାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।