୧୬ କୋଟି ଜରିମାନା ଦେଲେଣି ଅମାନିଆ

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ସୁଦ୍ଧା ରାଜ୍ୟ ପୁଲିସ ଅମାନିଆଙ୍କଠାରୁ ମୋଟ ୧୬ କୋଟି ଜରିମାନା ଆଦାୟ କରିଛି। କୋଭିଡ୍ କଟକଣା ଭାଙ୍ଗିବା ଅଭିଯୋଗରେ ୫ଲକ୍ଷ ୩୦ ହଜାରରୁ ଅଧିକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ବ ଭାଙ୍ଗିବା ଅଭିଯୋଗରେ ଏହି ଜରିମାନା ଅର୍ଥ ଆଦାୟ କରାଯାଇଥିବା ଡିଜିପି ଅଭୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମୟ ଭିତରେ ଆଇନ ଉଲ୍ଲଂଘନ ଅଭିଯୋଗରେ ୩୯୭୯ ଦୋକାନ, ମାର୍କେଟ୍‌ କଂପ୍ଲେକ୍ସ, ସଂସ୍ଥାକୁ ସିଲ୍ କରାଯାଇଛି। ଏମାନଙ୍କଠାରୁ ୪୭ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି। ରାଜ୍ୟର ବିଭିନ୍ନ ଥାନା ପକ୍ଷରୁ ୧୪୮୬ଜଣଙ୍କୁ ଗିରଫ ଓ ୩୧୭୫୮ ଗାଡ଼ି ଜବତ କରାଯାଇଛି। ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବା ସହ କୋଭିଡ୍ କଟକଣାକୁ ମାନିବା ପାଇଁ ଡିଜିପି ଅଭୟ ପୁଣିଥରେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର