ବୋଲଗଡ଼/ଖୋର୍ଦ୍ଧା : କୋଭିଡ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ ଖୋର୍ଦ୍ଧାର ସ୍ଥାନୀୟ ଟାଉନ୍ ଥାନାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି।
ମାମଲା ଅନୁସାରେ, ବୋଲଗଡ଼ ବ୍ଲକ୍ ପାଟପୁର ଶାସନ ପଞ୍ଚାୟତରେ ଶନିବାର ଅନୁଷ୍ଠିତ ବିଜେପିର ମିଶ୍ରଣ ପର୍ବରେ ଭୁବନେଶ୍ବର ଲୋକସଭା ସଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୋଭିଡ କଟକଣା ଉଲ୍ଲଂଘନ କରାଯାଇଥିବା ନେଇ ରବିବାର ଆରିକମା ଗ୍ରାମର ରାଇମୋହନ ପଟ୍ଟନାୟକ ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରାଇମୋହନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଶନିବାର ପାଟପୁର ଶାସନ ପଞ୍ଚାୟତଠାରେ ବିଜେପିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇଥିବା ବେଳେ ତାଙ୍କୁ ଶତାଧିକ ସମର୍ଥକ ଶ୍ରୀରାମପୁରଠାରେ ସ୍ବାଗତ କରିବା ଏବଂ ଖାରଡ଼ପଲ୍ଲୀଠାରେ ମିଶ୍ରଣ ପର୍ବର ସଭାରେ ୩ଶହରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ ଆଇନକୁ ଉଲ୍ଲଂଘନ କରି କିଭଳି ଏତେ ବଡ଼ ସଭା କଲେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଯୋଗକାରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଅଭିଯୋଗକାରୀ ଏତଲା ଦେବା ସମୟରେ ତାଙ୍କ ସହିତ ବିଜେଡ଼ି ନେତା ତଥା ଜିଲ୍ଲାପରିଷଦ ସଭ୍ୟ ଅର୍ଜୁନ ପ୍ରଧାନଙ୍କ ସମେତ ବିଜେଡିକର୍ମୀ ମାନେ ଯାଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ବୋଲଗଡ଼ ଥାନାରେ ଦଫା ୨୬୯,୨୭୦,୩୪ ରେ ୧୭୧ /୨୦୨୦ ନମ୍ବର ମାମଲା ହୋଇଥିବା ବୋଲଗଡ଼ ଥାନା ଆଇଆଇସି କବିତା ସାହୁ କହିଛନ୍ତି।
ସେହିପରି କୋଭିଡ୍ ନିୟମ ଭାଙ୍ଗିଥିବାରୁ ଭୁବନେଶ୍ବର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ବିରୋଧରେ ଖୋର୍ଦ୍ଧା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଟାଉନ୍ ଥାନାରେ ଏତଲା ଦିଆଯାଇଛି। ଆଜି ରାତି ପ୍ରାୟ ୭ଟାରେ ରାଜ୍ୟ ବିଜୁ ଯୁବ ଜନତାଦଳର ସାଧାରଣ ସମ୍ପାଦକ ବିଷ୍ଣୁପ୍ରସାଦ ଡେଙ୍ଗଙ୍କ ନେତୃତ୍ବରେ ବିଜେଡିର କେତେକ ସଦସ୍ୟ ଓ କର୍ମକର୍ତ୍ତା ଏକ ରାଲିରେ ଟାଉନ୍ ଥାନା ପହଞ୍ଚି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଅଭିଯୋଗ ଦାଖଲ ସମୟରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ ରୁଦ୍ରନାଥ ଦତ, ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଦିଲୀପ କୁମାର ହୋତା, ବିଭୁପ୍ରସାଦ ସାହୁ, ଜିଲ୍ଲା ଯୁବ ବିଜେଡି ସଂଯୋଜକ ଲଳିତ ମୋହନ ମହାପାତ୍ର, ନସିମ ଖାନ୍, ଓଡିଶା ଗୌତମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Aparajita-Sarangi.jpg)