କୋଭିଡ୍ ନିୟମ ଉଲ୍ଲଂଘନ : ମନ୍ତ୍ରୀ, ବିଧାୟକଙ୍କ ନାଁରେ ଥାନାରେ ଅଭିଯୋଗ

ଅଭିଯୋଗକୁ ମନ୍ତ୍ରୀ ସମୀର ଦାଶଙ୍କ ଖଣ୍ଡନ

ପୁରୀ : କୋଭିଡ୍‌ ନିୟମ ଉଲ୍ଲଘଂନ ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ପୁରୀ ସମୁଦ୍ରକୂଳ ଥାନାରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଗୋଟିଏ ଅଭିଯୋଗ କରାଯାଇଥିବାବେଳେ ପୁରୀ ଜିଲ୍ଲା ଯୁବ ବିଜେପି ପକ୍ଷରୁ ଅନ୍ୟ ଏକ ଅଭିଯୋଗ କରାଯାଇଛି।

ବିଜେପି ଯୁବମୋର୍ଚ୍ଚାର ସଭାପତି ଜୟନ୍ତ କୁମାର ଦାଶ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତକାଲି ସ୍ବର୍ଗଦ୍ବାରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରାଯାଇଥିଲା। ଗହଳି ଭିତରେ ଶୋଭାଯାତ୍ରା ସହ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ କୋଭିଡ୍‌ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିଲା। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଓ ସତ୍ୟବାଦୀ ବିଧାୟକ ଶ୍ରୀ ସାମନ୍ତରାୟ କିଛିଦିନ ପୂର୍ବରୁ କୋଭିଡ୍‌ରେ ସଂକ୍ରମିତ ହୋଇଥିଲେ ବି ସେଠାରେ ଉପସ୍ଥିତ ଥିଲେ। ତେଣୁ, ମନ୍ତ୍ରୀ ଶ୍ରୀ ଦାଶ ଓ ବିଧାୟକ ଶ୍ରୀ ସାମନ୍ତରାୟ କୋଭିଡ୍‌ ନିୟମ ଉଲ୍ଲଘଂନ କରିଥିବାରୁ ଦୁହିଁଙ୍କ ବିରୋଧରେ କାର୍ଯ୍ୟାନାଷ୍ଠାନ ପାଇଁ ଶ୍ରୀ ଦାଶ ଦାବି କରିଛନ୍ତି। ବିଜେପି ଯୁବମୋର୍ଚ୍ଚାର ସଭାପତି ଶ୍ରୀ ଦାଶଙ୍କ ସହ ଓମ୍‌ପ୍ରସାଦ ମହାନ୍ତି, ପ୍ରଦୀପ ନାୟକ, ତପନ କୁମାର ବାରିକ ପ୍ରମୁଖ ସମୁଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି।

ସମାନ ଅଭିଯୋଗ ଆଣିଛି ଶ୍ରୀଜଗନ୍ନାଥ ସେନା। ସଙ୍ଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ଶ୍ରୀ ଦାଶ ୬ ଦିନ ତଳେ ଓ ବିଧାୟକ ଶ୍ରୀ ସାମନ୍ତରାୟ ୫ ଦିନ ତଳେ କରୋନ‌ାରେ ସଂକ୍ରମିତ ହୋଇଥିଲେ। ନିଜେ ଟ୍ବିଟର୍‌ ଓ ଅନ୍ୟ ସୋସିଆଲ୍‌ ମିଡିଆରେ ବି ଏ ସମ୍ପର୍କରେ ଜଣାଇବା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍‌ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ। ତଥାପି ଦୁଇଜଣ ସ୍ବର୍ଗଦ୍ବାରଠାରେ ଉପସ୍ଥିତ ରହିବା ସଂକ୍ରମଣର ଭୟ ସୃଷ୍ଟି କରିଛି। ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, ରଥଯାତ୍ରା ସମୟରେ ସାମାନ୍ୟ ଆନ୍ଦୋଳନ ପାଇଁ ତାଙ୍କୁ କରୋନା ମହାମାରୀ ଆଇନରେ ଗିରଫ କରାଗଲା। ଥରେ ନୁହେଁ, ଏକାଧିକ ଥର ଗିରଫ କରାଗଲା। ଏବେ ଯଦି ମନ୍ତ୍ରୀ, ବିଧାୟକ ଭୁଲ୍‌ କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନଚେତ୍‌ ସରକାରଙ୍କ ଉପରୁ ଲୋକଙ୍କ ଭରସା ତୁଟିଯିବ ବୋଲି ସେ କହିଛନ୍ତି। ଜିଲ୍ଲା ପ୍ରଶାସନ ବି ଏ ଦିଗରେ ନିରବ ରହିବା ଘଟଣାକୁ ଉଭୟ ବିଜେପି ଓ ଶ୍ରୀଜଗନ୍ନାଥ ସେନା ବିରୋଧ କରିଛନ୍ତି। ଉଭୟ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପୁରୀ ଏସ୍‌ପି ଅଖିଳେଶ୍ବର ସିଂହ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ‘ ମୁଁ କୌଣସି ପରିସ୍ଥିତିରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିନି। ମୋର ସେପ୍ଟେମ୍ବର ୧୪ ତାରିଖରେ କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ଆସିଥିଲା। ସେହି ଅନୁସାରେ ଅଶ୍ବିନୀ କୋଭିଡ୍‌ ଡାକ୍ତରଖାନାରେ ମୁଁ ଚିକିତ୍ସିତ ହେଲି। ପରେ ଘରେ ପୃଥକ୍‌ବାସରେ ଥିଲି। ୨୧ ଦିନର ନିୟମ ମୁଁ ମାନିଛି।’ କୌଣସି କରୋନା ନିୟମ ଉଲ୍ଲଂଘନ କରିନି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି। ତେବେ, ଏ ସମ୍ପର୍କରେ ବିଧାୟକ ଶ୍ରୀ ସାମନ୍ତରାୟଙ୍କ ମତାମତ ମିଳିପାରିନି।

ସମ୍ବନ୍ଧିତ ଖବର