କୋଭିଡ୍‌ରୁ ସୁସ୍ଥ ହେଲେ, ନିମୋନିଆରେ ଆଖି ବୁଜିଲେ ଷ୍ଟାଫନର୍ସ ଗାୟତ୍ରୀ

କରୋନା ଯୋଦ୍ଧା ମାନ୍ୟତା ସହ ସହାୟତା ଦାବି

ଫୁଲବାଣୀ/ଖଜୁରୀପଡ଼ା/ଚକାପାଦ: ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା। ଶେଷରେ ଆଖି ବୁଜିଲେ ଷ୍ଟାଫନର୍ସ ଗାୟତ୍ରୀ ଦାସ(୪୦)। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗାୟତ୍ରୀ ଚୁକ୍ତିଭିତ୍ତିକ ଷ୍ଟାଫନର୍ସ ଭାବେ କାମ କରୁଥିଲେ। କରୋନା ରୋଗୀଙ୍କ ସେବା କରୁକରୁ ସେ ବି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ଜିଲ୍ଲା କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ଗାୟତ୍ରୀଙ୍କୁ ଭୁବନେଶ୍ବର କିମ୍‌ସ କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କର କରୋନା ନେଗେଟିଭ୍ ବାହାରିଥିଲା। ହେଲେ କରୋନା ପ୍ରଭାବରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ଏକ ମାସ ଧରି ସେଠାରେ ଗାୟତ୍ରୀ ଭେଣ୍ଟିଲେଟର ରହି ଚିକିତ୍ସିତ ହେଉଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ତେଣୁ ଗାୟତ୍ରୀଙ୍କ ଚିକିତ୍ସାରେ ଅର୍ଥ ବଡ ପ୍ରତିବନ୍ଧକ ସାଜିଥିଲା। ମା’ ଗାୟତ୍ରୀଙ୍କୁ ଭଲ କରିବା ପାଇଁ ସବୁ ମହଲରୁ ଆର୍ଥିକ ସହାୟତା ଲୋଡିଥିଲେ ଏକମାତ୍ର ଝିଅ ଆଲିଶା ପଟ୍ଟନାୟକ। ଟିମ ହ୍ୟୁମାନିଟି ସାହାଯ୍ୟ କରିବାକୁ ଆଗେଇ ଆସିଥିବା ବେଳେ ସୋସିଆଲ ମିଡିଆରେ ସହଯୋଗର ହାତ ବଢାଇବାକୁ ଅନୁରୋଧ କରିଥିଲା। ବିଭିନ୍ନ ମହଲରୁ ସାହାଯ୍ୟ ଆସିବା ଆରମ୍ଭ ହୋଇଥିବା ବେଳେ ଆଜି ସବୁ ଦିନ ପାଇଁ ଗାୟତ୍ରୀ ଆଖି ବୁଜି ଦେଇଛନ୍ତି। ଏହାକୁ ନେଇ ସବୁ ମହଲରେ ଶୋକର ଛାୟା ଖେଳି ଯାଇଛି।

କୋଭିଡ୍‌ ସମୟରେ ତାଙ୍କର ସ୍ଥାୟୀ ନିଯୁକ୍ତି ପତ୍ର ଆସିଥିଲା। ହେଲେ ଦୁର୍ଭାଗ୍ୟ କଥା ସେତେବେଳେ ଗାୟତ୍ରୀ କୋଭିଡ୍‌ରେ ପୀଡିତ ଥିଲେ। ପରିବାର ଗାୟତ୍ରୀ ଥିଲେ ଏକ ମାତ୍ର ରୋଜଗାରକ୍ଷମ। ତାଙ୍କ ଘର ଖଜୁରୀପଡା ବଜାରରେ। ହେଲେ ଝିଅ ଓ ସ୍ବାମୀ ସହ ଗାୟତ୍ରୀ ଫୁଲବାଣୀରେ କିଛି ବର୍ଷ ହେଲା ରହି ଆସୁଥିଲେ। ଝିଅ ଆଲିଶା ଦଶମ ଶ୍ରେଣୀରେ ପଢୁଥିବା ବେଳେ ସ୍ବାମୀ ଗଗନ ପଟ୍ଟନାୟକଙ୍କର ସେମିତି କିଛି ରୋଜଗାର ନାହିଁ। ମୃତ ଷ୍ଟାଫନର୍ସ ଗାୟତ୍ରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦେଇ ତାଙ୍କ ପରିବାରକୁ ସରକାରଙ୍କ ଘୋଷଣା‌ ମୁତାବକ ଅନୁକମ୍ପା ରାଶି ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର