ଖୋର୍ଦ୍ଧା: ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଘରେ ରହିବା ସହିତ ସୁରକ୍ଷିତ ରହିବାକୁ ପରମର୍ଶ ଦିଆଯାଉଛି। ସେମିତି କିଛି ଜରୁରୀ କାମ ନଥିଲେ ବାହାରକୁ ବାହାରିବାକୁ ଲୋକମାନଙ୍କୁ ବାରଣ କରାଯାଉଛି। ଏଭଳି ଅବସ୍ଥାରେ ଘରଘର ବୁଲି ଆଶାକର୍ମୀମାନେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସେବା ଯୋଗାଇବା ବେଳେ ଜଣେ କରୋନା ଯୋଦ୍ଧା ଟଳି ପଡ଼ିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ଆଜି ଖୋର୍ଦ୍ଧା ଗ୍ରାମାଂଚଳରେ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି । ଓରବରସିଂହ ପଂଚାୟତର ଆଶାକର୍ମୀ ପୂର୍ଣ୍ଣମାସୀ ବଳିଆରସିଂହ(୩୬) ଗାଁରେ ଔଷଧ ବଂଟନ କରୁଥିବା ବେଳେ ହଠାତ୍ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୂର୍ଣ୍ଣମାସୀଙ୍କ ସ୍ୱାମୀ ବେଣୁଧର ଖୋର୍ଦ୍ଧା ଟାଉନ୍ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି ଯେ ପୂର୍ଣ୍ଣମାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶାକର୍ମୀ ଭାବେ କାମ କରୁଥିଲେ । ଆଜି ଦିନ ୧୦ଟାରେ ଦୁର୍ଗାପୁର ଗାଁରେ ଘରଘର ବୁଲି ସରକାରୀ ଔଷଧ ବିତରଣ କରିବା ସମୟରେ ହଠାତ୍ କଚାଡ଼ି ହୋଇ ତଳେ ପଡ଼ିଯାଇଥିଲେ । ଅଚେତ ଅବସ୍ଥାରେ ଗାଁଲୋକ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ହସ୍ପିଟାଲ୍ ସୂତ୍ରରୁ ମିଳିଥିବା ସୂଚନାରେ ପୂର୍ଣ୍ଣମାସୀଙ୍କ ରାପିଡ୍ ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ୍ ଆସିଛି । ସ୍ୱାସ୍ଥ୍ୟ ପରୀକ୍ଷାରୁ ପୂର୍ଣ୍ଣମାସୀଙ୍କ ହୃଦଘାତରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ମରଶରୀରକୁ ପରିବାରକୁ ହସ୍ତାନ୍ତର କରାଯାଇଛି ।
/sambad/media/post_attachments/d22148dd7508f32cf47d107d9a4f1f368fa619324eb883a025e6d1f4d5f7ddf1.jpg)
ସୂଚନା ମୁତାବକ, ପୂର୍ବରୁ କରୋନା ବିରୋଧରେ ଲଢ଼େଇ କରି ଜୀବନକୁ ବାଜି ଲଗାଇ ସେବା ଯୋଗାଉଥିବା ସମସ୍ତଙ୍କୁ ଜଣେ ଜଣେ କୋଭିଡ୍ ଯୋଦ୍ଧା ଭାବେ ରାଜ୍ୟ ସରକାର ମର୍ଯ୍ୟାଦା ଦେଇଛନ୍ତି। ଏପରିକି ସେମାନେ ଯୁଦ୍ଧ କରୁଥିବା ବେଳେ ଯଦି ତାଙ୍କର ମୃତ୍ୟୁ ହୁଏ ତେବେ ସେମାନଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ତେବେ ଖୋର୍ଦ୍ଧାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ଏବେ ଆଶା କର୍ମୀଙ୍କ ପରିବାରକୁ କ୍ଷତିପୂରଣ ମିଳିବା ନେଇ ସ୍ଥାନୀୟ ବାସିନ୍ଦା ଆଶା ବାନ୍ଧିଛନ୍ତି।