ରାଜ୍ୟ ସରକାର ୬୦ ନୁହେଁ, ୪୭ ଯୋଦ୍ଧାଙ୍କ ତାଲିକା ଦେଇଛନ୍ତି
୫ ଜଣଙ୍କ ତଥ୍ୟ ଦେଇନାହାନ୍ତି, ଗଞ୍ଜାମର ଜଣକୁ ଟଙ୍କା ଦିଆଯାଇଛି
ରାଜ୍ୟ ଘୋଷଣା କରିଥିବା ୫୦ଲକ୍ଷ ଟଙ୍କା କେବେ ମିଳିବ?
ଟେଷ୍ଟିଂ, ଭେଣ୍ଟିଲେଟର ସହ କୋଭିଡ୍ ପରିଚାଳନା ପ୍ରଶ୍ନ ଉଠାଇଲା
ଭୁବନେଶ୍ୱର : କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ସହାୟତା ପ୍ରସଙ୍ଗକୁ ନେଇ ବିବାଦ ଜୋର ଧରିଲାଣି। ଆଜି ବିଜେପି ଏ ସଂକ୍ରାନ୍ତରେ ମୁହଁ ଖୋଲି କେନ୍ଦ୍ର ସରକାରଙ୍କ ସପକ୍ଷରେ ଯୁକ୍ତି ରଖିବା ସହିତ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କୋଭିଡ୍ ପରିଚାଳନାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛନ୍ତି। ରାଜ୍ୟରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। କୋଭିଡ ମୃତ୍ୟୁ ସଂଖ୍ୟାକୁ ସରକାର ଲୁଚାଇ କମ୍ ଦର୍ଶାଉଛନ୍ତି। ଏଭଳି ଏକ ସଙ୍କଟ ସମୟରେ ରାଜ୍ୟସରକାର ରାଜନୈତିକ ଡ୍ରାମା କରିବା ଅତ୍ୟନ୍ତ ଅଶୋଭନୀୟ। ଖୋଦ୍ ମୁଖ୍ୟମନ୍ତ୍ରୀ କରୋନା ଯୁଦ୍ଧରେ ସହିଦ ହୋଇଥିବା ଲୋକଙ୍କ ନାଁରେ ମିଥ୍ୟା କହିବା ଏବଂ ସେମାନଙ୍କ ପରିବାର ଲୋକଙ୍କୁ ବିଭ୍ରାନ୍ତିକର କଥା କହି କେନ୍ଦ୍ର ସରକାରଙ୍କ ଉପରେ ମିଥ୍ୟା ଆରୋପ ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ବିଜେପି କହିଛି, ଗତ ୭ ତାରିଖରେ ରାଜ୍ୟସରକାର କହିଥିଲେ, ସହିଦ େହାଇଥିବା ୬୦ ଜଣ କୋଭିଡ ଯୋଦ୍ଧାଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଯାଇଛି। ସେ ମଧ୍ୟରୁ କେନ୍ଦ୍ରସରକାର କେବଳ ଜଣେ ସହିଦଙ୍କ ପରିବାରକୁ ସହାୟତା ପାଇଁ ସମ୍ମତି ଦେଇଛନ୍ତି ବୋଲି ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରେସ ବିଜ୍ଞପ୍ତିରେ କହିଥିଲା। ହେଲେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ। ବରଂ ଦୁର୍ଭାଗ୍ୟର କଥା ଏୟା ଯେ ସହିଦ ପରିବାରଙ୍କୁ ରାଜ୍ୟସରକାର ସମ୍ମାନ ଦେବା ପରିବର୍ତେ ମିଥ୍ୟା ତଥ୍ୟ ରଖି ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ୨୦୨୦ ମାର୍ଚ୍ଚ ୩୦ ତାରିଖରୁ ଅକ୍ଟୋବର ୮ ତାରିଖ ମଧ୍ୟରେ ରାଜ୍ୟସରକାର ୪୭ ଜଣ କୋଭିଡ୍ ଯୋଦ୍ଧା ସହାୟତା ହୋଇଛନ୍ତି ବୋଲି ସରକାର କହିଥିଲେ। ଏମାନଙ୍କ ମଧ୍ୟରୁ ୪୧ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ସଂକ୍ରାନ୍ତରେ ବୀମା କାର୍ଯ୍ୟାଳୟ ଅନୁଧ୍ୟାନ କରୁଛନ୍ତି। ବାକି ୫ଜଣ ସହିଦ୍ଙ୍କର କୌଣସି ତଥ୍ୟ କିମ୍ବା ସେ ସଂପର୍କିତ କାଗଜପତ୍ର ରାଜ୍ୟ ସରକାର କେନ୍ଦ୍ରକୁ ପଠାଇ ନାହାନ୍ତି। ଗଂଜାମ ଜିଲ୍ଲାର ଜଣେ ସହିଦ ଡାକ୍ତରଙ୍କ ପରିବାରକୁ କେନ୍ଦ୍ର ସରକାର ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ସୂଚାଇଛନ୍ତି।
ବିଜେପି ପାଲଟା ଆକ୍ରମଣ କରି କହିଛି, ୨୦୨୦ ଏପ୍ରିଲ ୨୧ ତାରିଖରେ କୋଭିଡ୍ରେ ମୃତ୍ୟୁବରଣ କରିଥିବା ଆଗଧାଡିର ଯୋଦ୍ଧାଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ପରେ ରାଜ୍ୟସରକାର ନିଜ ତରଫରୁ ଅତିରିକ୍ତ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ। ହେଲେ ଏପର୍ଯ୍ୟନ୍ତ ଜଣେ ବି ପରିବାର କାହିଁକି ଏହି ଅନୁକଂପା ରାଶିରୁ ବଂଚିତ ଅଛନ୍ତି ତାହା ରାଜ୍ୟସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି। ସେହିପରି ଜୁଲାଇ ୨୮ରେ କୋଭିଡ୍ରେ ମୃତ୍ୟୁବରଣ କରୁଥିବା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପରିବାରକୁ ମୃତକଙ୍କ ବୟସ ୬୦ ବର୍ଷ ହେବା ପର୍ଯ୍ୟନ୍ତ ମାସିକ ୭୫୦୦ ଏବଂ ୫୦୦୦ଟଙ୍କା ମାସିକ ସହାୟତା ରାଶି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏହା ଭିତରେ ୨ ମାସ ବିତିଥିଲେ ବି ଏଯାବତ୍ କୌଣସି ଯୋଦ୍ଧାଙ୍କ ପରିବାରକୁ ଟଙ୍କାଟିଏ ବି ମିଳିନାହିଁ। ମୁଖ୍ୟମନ୍ତ୍ରୀ କାହିଁକି ଏପର୍ଯ୍ୟନ୍ତ ଟଙ୍କା ଦେଇନାହାନ୍ତି ବୋଲି ଦଳ ପ୍ରଶ୍ନ ପଚାରିଛି।
ବିଜେପି ଆହୁରି କହିଛି ଯେ କେନ୍ଦ୍ରସରକାର ୫୬୭ଟି ଭେଣ୍ଟିଲେଟର ଯୋଗାଇଥିବାବେଳେ ରାଜ୍ୟରେ ମାତ୍ର ୧୪୭ରୁ ୧୫୦ କାର୍ଯ୍ୟକ୍ଷମ ହେଉଛି। ରାଜ୍ୟସରକାର ଏଗୁଡିକୁ କାର୍ଯ୍ୟକ୍ଷମ କରାଇଲେ ଆଇସିୟୁ ବେଡ୍ ବୃଦ୍ଧିପାଇବ ଏବଂ ଗୁରୁତର କରୋନା ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ମିଳିଲେ କୋଭିଡ ମୃତ୍ୟୁହାର କମିବ। ନିଜ ଦାୟିତ୍ବ ସଠିକ୍ ଢଙ୍ଗରେ କାର୍ଯ୍ୟ ତୁଲାଇବାରେ ବିଫଳ ହୋଇଥିବା ଶ୍ରୀ ହରିଚନ୍ଦନ କହିଛନ୍ତି।
ପରିସଂଖ୍ୟାନ ଦେଇ ବିଜେପି କହିଛି, ଆଜି ସୁଦ୍ଧା ପଡୋଶୀ ଆନ୍ଧ୍ରପ୍ରଦେଶରେ ୬୩ ଲକ୍ଷ, କର୍ଣ୍ଣାଟକରେ ୬୦ଲକ୍ଷ, ତାମିଲନାଡୁରେ ୮୦ଲକ୍ଷ, ଉତରପ୍ରଦେଶରେ ୧କୋଟି ୩୦ ଲକ୍ଷ ଏବଂ ବିହାରରେ ୮୧ ଲକ୍ଷ ଟେଷ୍ଟିଂ ସରିଥିବାବେଳେ ଓଡିଶାରେ ମାତ୍ର ୩୬ ଲକ୍ଷ ଟେଷ୍ଟିଂ କରାଯାଇଛି। ରାଜ୍ୟସରକାର କୋଭିଡ ଟେଷ୍ଟିଂ, ଉନ୍ନତ ମାନର ଚିକିତ୍ସା ଯୋଗାଇବା ଏବଂ ମୃତ୍ୟୁହାର କମ୍ କରିବା ପାଇଁ ଆଦୌ ଚିନ୍ତିତ ନୁହଁନ୍ତି ବୋଲି ଦଳ ଅଭିଯୋଗ କରିଛି। ନିଜ ଭୁଲ୍କୁ ରାଜ୍ୟସରକାର ସ୍ୱୀକାର କରି ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦଳ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଉପସ୍ଥିତ ଥିଲେ।