୩୦ ଜିଲ୍ଲାରେ ହେବ ୩୫ କୋଭିଡ୍ ସ୍ବତନ୍ତ୍ର ହସ୍ପିଟାଲ

୧୫ ତାରିଖ ସୁଦ୍ଧା ୫୭୪୭ ଶଯ୍ୟା ପ୍ରସ୍ତୁତ ହେଉଛି, ସ୍ବାସ୍ଥ୍ୟ ବିଭାଗକୁ ଜଣାଇଲେ ଉନ୍ନୟନ କମିସନର, ଦିଲ୍ଲୀରୁ ଆସିଲା ଟେଷ୍ଟିଂ କିଟ୍

ଭୁବନେଶ୍ବର : ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟରେ ଅତିକମରେ ୩୦୦୦ ହଜାର ଶଯ୍ୟାର ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ହେବା ଉଚିତ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି ଲକ୍ଷ୍ୟ ଧାର୍ଯ୍ୟ କରି ମୁଖ୍ୟସଚିବ ଓ ତାଙ୍କ ଟିମଙ୍କୁ ଦାୟିତ୍ବ ଦେଇଥିଲେ। କିନ୍ତୁ ୩୦ଟି ଜିଲ୍ଲାପାଳଙ୍କ ପ୍ରସ୍ତୁତି ଓ ସରକାରୀସ୍ତରରେ ତନାଘନା ପରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାସ୍ଥ୍ୟ ବିଭାଗକୁ ଜଣାଇଛନ୍ତି ଯେ ଆସନ୍ତା ୧୫ ତାରିଖ ବେଳକୁ ରାଜ୍ୟରେ ୫୭୪୭ ଶଯ୍ୟାର ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ହୋଇସାରିଥିବ। କେଉଁ ଜିଲ୍ଲାରେ କିଏ ସହାୟତା ଦେବେ, କେବେ ସୁଦ୍ଧା ସ୍ବତନ୍ତ୍ର ହସ୍ପିଟାଲ ଖୋଲିବ, ସେ ସଂକ୍ରାନ୍ତରେ ମଧ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଉନ୍ନୟନ କମିସନର ଚିଠି ଲେଖି ଜଣାଇ ଦେଇଛନ୍ତି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ ଏମସିଏଲ୍ ମେଡିକାଲ କଲେଜରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ମେଡିକାଲ ହେବ। ସମ୍ ହସ୍ପିଟାଲ କର୍ତୃପକ୍ଷ ଏହାର ଦେଖାଶୁଣା କରିବେ ଓ ଡିଏମ୍ଏଫ୍ ପାଣ୍ଠିରୁ ଏଥିପାଇଁ ଆର୍ଥିକ ସହାୟତା ଦିଆଯିବ। ୧୩ ତାରିଖ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବରଗଡ଼ରେ ଏମସିଏଚ୍ କୋଠାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ୧୩ ତାରିଖ ସୁଦ୍ଧା ହେବ। ବିକାଶ ସଂସ୍ଥା ଏହାର ଦେଖାଶୁଣା କରିବ ଓ ଓଡ଼ିଶା ଖଣି ନିଗମ ଏଥିପାଇଁ ଆର୍ଥିକ ସହାୟତା େଯାଗାଇ ଦେବ। କଳାହାଣ୍ଡିରେ ସରକାରୀ ଇଞ୍ଜିନିୟରିଂ କଲେଜରେ େସହି ୧୩ ତାରିଖ ସୁଦ୍ଧା ୨୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ହେବ ଏବଂ ଓଏମସି ଓ ଏନଏଲସି ଏଥିପାଇଁ ଅର୍ଥ ଦେବେ। ବିକାଶ ସଂସ୍ଥା ଏହାର ପରିଚାଳନା କରିବ। କନ୍ଧମାଳରେ ଜିଏନଏମ୍ ସେଣ୍ଟରରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କିମ୍ସ ଦେଖାଶୁଣା କରିବ। ଓଡ଼ିଶା ଖଣି ନିଗମ ଏଥିଲାଗି ଅର୍ଥ ପ୍ରଦାନ କରିବ। କେନ୍ଦ୍ରାପଡାର ଛତାଠାରେ ଥିବା ପଲିଟେକନିକ୍ ସେଣ୍ଟରରେ ଏଭଳି ହସ୍ପିଟାଲ ଖୋଲାଯିିବ। ଆସନ୍ତା ୧୦ ତାରିଖକୁ ଲକ୍ଷ୍ୟ ରଖି ଏଠାରେ ପ୍ରସ୍ତୁତି ଚାଲିଛି, ଯେଉଁଠାରେ ସମ୍ ପରିଚାଳନା କରିବ ଏବଂ ଏମସିଏଲ୍ ଅର୍ଥ ଦେବ।

େକନ୍ଦୁଝରରେ ଅନ୍ବେଷା ହଷ୍ଟେଲ ରାଙ୍କିଠାରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବ। ଡିଏମଏଫ୍ ସହାୟତାରେ ଉତ୍କଳ ମେଡିକାଲ ପରିଚାଳନାରେ ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ୧୩ ତାରିଖ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି ଜିଲ୍ଲାପାଳ ଆଶା ରଖିଛନ୍ତି। ନବରଙ୍ଗପୁରରେ ୭୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖ୍ରୀଷ୍ଟିଆନ୍ ହସ୍ପିଟାଲ ଦ୍ବାରା ପରିଚାଳିତ ହେବ ଓ ବିଏଡ କଲେଜରେ ଏହା େଖାଲିବ। ଆସନ୍ତା ୧୫ ତାରିଖ ବେଳକୁ ଏହା କାର୍ଯ୍ୟକ୍ଷମ ହେବ। ସୁନ୍ଦରଗଡରେ ହାଇଟେକ୍ ମେଡିକାଲ କଲେଜ ସହାୟତାରେ ଏନଟିପିସି ମେଡିକାଲ କଲେଜରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ୧୫ ତାରିଖ ସୁଦ୍ଧା ଖୋଲିଯିବ। ଡିଏମଏଫ୍ ପାଣ୍ଠିରୁ ଏଥିଲାଗି ଅର୍ଥ ଖର୍ଚ୍ଚ ହେବ।

ବାଲେଶ୍ବରରେ ଜ୍ୟୋତି ହସ୍ପିଟାଲରେ ସ୍ବତନ୍ତ କୋଭିଡ୍ ହସ୍ପିଟାଲ ଖୋଲିବ। ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲକୁ ଓଡି଼଼ଶା ଜଳ ବିଦ୍ୟୁତ ନିଗମ ଅର୍ଥ ଦେବେ ଓ ୧୩ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଆମ୍ରି ହସ୍ପିଟାଲ ଏହାକୁ ପରିଚାଳନା କରିବ। ଭଦ୍ରକରେ ସାଳନ୍ଦୀ ହସ୍ପିଟାଲରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବ। ୧୨୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲକୁ ଏନଟିପିସି ସହାୟତା ଦେବ। ଆଜି ସୁଦ୍ଧା ଏହା ପ୍ରସ୍ତୁତ ହୋଇଯାଇଥିବା କୁହାଯାଇଛି। ସାଳନ୍ଦୀ ହସ୍ପିଟାଲ ଏହାର ପରିଚାଳନା କରିବ। ବଲାଙ୍ଗୀରରେ କିସ୍-କିଟ୍ କ୍ୟାମ୍ପସରେ ୨୦୦ ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କିମ୍ସ ପରିଚାଳନାରେ େଖାଲିବ। ଆସନ୍ତା ୧୩ ତାରିଖ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ ଓ ଓଡ଼ିଶା ଖଣି ନିଗମ ଏଥିପାଇଁ ସହାୟତା ଯୋଗାଇ ଦେବ। ଗଜପତିରେ ସିୟୁଟିଏମ୍ ହସ୍ପିଟାଲରେ ଖୋଲିବାକୁ ଥିବା ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ସିୟୁଟିଏମ୍ ଓ ହାଇଟେକର ମିଳିତ ପରିଚାଳନାରେ ଆଜିସୁଦ୍ଧା ପ୍ରସ୍ତୁତ ହୋଇଛି। ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପାଇଁ ଓଡ଼ିଶା ଜଳ ବିଦ୍ୟୁତ ନିଗମ ଅର୍ଥ ଦେବ। ଗଞ୍ଜାମରେ ୨୦୦ ବିଶିଷ୍ଟ ସ୍ବତନ୍ତ୍ର ହସ୍ପିଟାଲ ଟାଟା ଷ୍ଟିଲ ସହାୟତାରେ ଓ ଟାଟା ପରିଚାଳନାରେ ହେବ। ୧୦ ତାରିଖ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି। ମୟୂରଭଂଜର ବାରିପଦାରେ କିସ୍ କ୍ୟାମ୍ପସରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବ। ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପାଇଁ ଓଡ଼ିଶା ଖଣି ନିଗମ ସହାୟତା ପ୍ରଦାନ କରିବ।

ବୌଦ୍ଧର ଜେଲ୍ କ୍ୟାମ୍ପସରେ ସରକାରଙ୍କ ପରିଚାଳନା ଓ ସହାୟତାରେ ୧୩ ତାରିଖ ସୁଦ୍ଧା ୧୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବ। ଦେବଗଡରେ ମଧ୍ୟ ଅନୁରୂପ ଢଙ୍ଗରେ ୧୩ ତାରିଖ ସୁଦ୍ଧା ୨୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ଖୋଲିବ। ଢେଙ୍କାନାଳରେ ପୁରୁଣା ବଡ଼ ଡାକ୍ତରଖାନାରେ ୧୩ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଥିବା ମେଡିକାଲକୁ ସରକାର ପରିଚାଳନା କରିବେ। ଏଥିପାଇଁ ଓଡ଼ିଶା ଖଣି ନିଗମ ଅର୍ଥ ପ୍ରଦାନ କରିବ। ଜଗତସିଂହପୁର ଜିଲ୍ଲା ବିଜୁ ଯାତ୍ରୀ ନିବାସ ପାରାଦୀପରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ସରକାର ପରିଚାଳନା କରିବେ।ଏଥିପାଇଁ ପୋର୍ଟ, ଜେଏସଡବ୍ଲୁ, ଇଫକୋ, ପିପିଏଲ୍ ସହାୟତା ଦେବେ। ୧୩ ତାରିଖ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ପ୍ରଶାସନ ଆଶା ବାନ୍ଧିଛି। ଝାରସୁଗୁଡାରେ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ହେବ। ୧୫ ତାରିଖ ସୁଦ୍ଧା ଏହା ବାସ୍ତବ ରୂପ ନେବ। ଏଥିପାଇଁ ଓଡ଼ିଶା ଖଣି ନିଗମ ଅର୍ଥ ପ୍ରଦାନ କରିବ ଓ ସରକାରଙ୍କ ଦ୍ବାରା ଏହା ପରିଚାଳିତ ହେବ। କୋରାପୁଟ ଜୟପୁରରେ ଏସଡିଏଚରେ ନାଲକୋ ସହାୟତାରେ ହେବାକୁ ଥିବା ମେଡିକାଲରେ ୧୫୦ ଶଯ୍ୟା ରହିବ। ସରକାର ଏହାକୁ ପରିଚାଳନା କରିବେ। ୧୩ ତାରିଖ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ।

ଅନ୍ୟପକ୍ଷରେ ମାଲକାନଗିରିରେ ପୁରୁଣା ଜିଲ୍ଲା ଚିକିତ୍ସାଳୟରେ ୧୩ ତାରିଖ ସୁଦ୍ଧା ଖୋଲିବାକୁ ଥିବା ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ସରକାରଙ୍କ ଦ୍ବାରା ପରିଚାଳିତ ହେବ ଓ ସରକାର ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ। ମୟୂରଭଂଜର ରାଇରଙ୍ଗପୁର କଲେଜରେ ଆଉ ୨୦୦ ଶଯ୍ୟାର େମଡିକାଲ ସରକାର ନିଜେ କରିବେ। ନୟାଗଡରେ ଚାନ୍ଦପୁର ଟିବି ହସ୍ପିଟାଲରେ ୧୩ ତାରିଖ ସୁଦ୍ଧା ପ୍ରସ୍ତୁତ ହୋଇଯିବ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ। ସରକାର ନିଜେ ପରିଚାଳନା କରିବେ ଓ ଅର୍ଥ ପ୍ରଦାନ କରିବେ। ନୂଆପଡାରେ ଅନ୍ବେଷା ହଷ୍ଟେଲରେ ୨୦୦ ଶଯ୍ୟାର ମେଡିକାଲ ଖୋଲିବ। ୧୩ ତାରିଖକୁ ଟାର୍ଗେଟ ରଖି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚଳାଇଛି। ସରକାରୀ ଅର୍ଥ ଏଥିରେ ବିନିଯୋଗ ହେବ। ପୁରୀରେ ସରକାରୀ ଆୟୁର୍ବେଦିକ୍ ହସ୍ପିଟାଲରେ ଆଉ ୬୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ୧୩ ତାରିଖ ସୁଦ୍ଧା ପ୍ରସ୍ତୁତ ହେବ। ଓଡ଼ିଶା ଖଣି ନିଗମ ଏଥିପାଇଁ ଅର୍ଥ ଦେବ ଓ ସରକାର ଏହାର ଦେଖାଶୁଣା କରିବେ। ରାୟଗଡାରେ ଇଏସଆଇ ହସ୍ପିଟାଲରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ୧୦ ତାରିଖ ସୁଦ୍ଧା ହେବ। ସରକାର ଏଥିପାଇଁ ସହାୟତା ଦେବେ ଓ ପରିଚାଳନା ବି କରିବେ। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ସହାୟତାରେ ଓ ପରିଚାଳନାରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହେବ। ୧୫ ତାରିଖ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଇଛି। ସୋନପୁରରେ ମଡେଲ୍ ଡିଗ୍ରି କଲେଜକୁ ୧୫ ତାରିଖରେ କାର୍ଯ୍ୟକ୍ଷମ ହେବ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ। ସରକାର ପରିଚାଳନା କରିବେ ଓ ସରକାରଙ୍କ ସହାୟତାରେ ଏହା ଖୋଲିବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ସମ୍ ହସ୍ପିଟାଲରେ ୫୦୦, କିମ୍ସରେ ୪୫୭, ଅଶ୍ବିନୀରେ ୧୫୦ ଶଯ୍ୟା କାର୍ଯ୍ୟକ୍ଷମ ହୋଇଯାଇଛି। ସେହିଭଳି ଯାଜପୁର ଡୁବୁରି, କେକନ୍ଦୁଝର ଯୋଡା, ପୁରୀ, ରାଉରକେଲାରେ ୧୫୪୭ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ମେଡିକାଲ କାର୍ଯ୍ୟକ୍ଷମ ହୋଇଛି।

ଦିଲ୍ଲୀରୁ ଆସିଲା ଟେଷ୍ଟିଂ କିଟ୍
ଭୁବନେଶ୍ବର : ଏପ୍ରିଲ ୧୦ରୁ ରାଜ୍ୟରେ ଦିନକୁ ହଜାରେ ଲୋକଙ୍କର କୋଭିଡ-୧୯ ପରୀକ୍ଷା ହେବ। ଏହାଦ୍ବାରା କମ୍‌ ଦିନରେ କେଉଁ ଅଞ୍ଚଳରେ କେତେ ଆକ୍ରାନ୍ତ ଅଛନ୍ତି ଚିହ୍ନଟ ହୋଇଯିବେ ବୋଲି ରାଜ୍ୟ ସରକାର କହିଥିଲେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ ମଗାଇଥିବା ଟେଷ୍ଟିଂ କିଟ୍‌ ଆଜି ଭୁବନେଶ୍ବରରେ ପହଞ୍ଚିଛି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଏଆଇ-୧୪୭୩ରେ ଦିଲ୍ଲୀରୁ ଟେଷ୍ଟିଂ କିଟ୍ ଓ ମେଡିକାଲ ଯନ୍ତ୍ରପାତି ଆସିଛି। ଏହା ଓଡ଼ିଶା ଔଷଧ ନିଗମ ଏବଂ ଆଇଏମ୍‌ଆରସିକୁ ଯିବ। ସେଠାରୁ ବିଭିନ୍ନ ସ୍ଥାନକୁ ବଣ୍ଟାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର