ଟ୍ରେନ୍‌ ପରେ ଘରୋଇ ବିମାନ ଉଡ଼ାଣ ଉପରେ କଟକଣା

ବେସାମରିକ ବିମାନ ଚଳାଚଳ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
ଦିଲ୍ଲୀ, କୋଲକାତା, ମୁମ୍ବାଇ, ହାଇଦ୍ରାବାଦରୁ ଅଧିକ ଉଡ଼ାଣ ମନା

ଭୁବନେଶ୍ବର : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଘରୋଇ ବିମାନ ଉଡ଼ାଣ ସଂଖ୍ୟା କମାଇବାକୁ ରାଜ୍ୟ ସରାକର ନିଷ୍ପତ୍ତି ନେଇଛନ୍ତି। କୋଭିଡ୍‌ ହଟ୍‌ସ୍ପଟ୍‌ ରାଜ୍ୟ ଓ ଅଞ୍ଚଳରୁ ରାଜ୍ୟକୁ ଅଧିକ ବିମାନ ଚଳାଚଳ କଲେ ସଂକ୍ରମଣ ବଢ଼ୁଥିବା ନେଇ ସରକାର ଆଶଙ୍କା ବ୍ୟକ୍ତି କରିଛନ୍ତି। ବିଶେଷକରି ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ହ୍ରାଇଦ୍ରାବାଦରୁ ଫେରୁଥିବା ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖାରୋଲାଙ୍କୁ ଚିଠି ଲେଖି ଏସବୁ ରାଜ୍ୟ ଓ ସହରରୁ ଓଡ଼ିଶାକୁ ଅଧିକ ଘରୋଇ ବିମାନ ଉଡ଼ାଣ ନ କରିବାକୁ ଅନୁରୋଧ କରିଛନ୍ତି।

ଚିଠିରେ ଶ୍ରୀ ତ୍ରିପାଠୀ ଦର୍ଶାଇଛନ୍ତି, ଏବେ ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦରକୁ ୧୭ ଯୋଡ଼ା ଘରୋଇ ବିମାନ ଉଡ଼ାଣ ହେଉଛି। କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଯଦିଓ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସଫଳତା ପାଇଛନ୍ତି, ତଥାପି ଅନ୍‌ଲକ୍‌-୨ ପର୍ଯ୍ୟାୟରେ ସଂକ୍ରମଣକୁ ପ୍ରତିହତ ପାଇଁ ଘରୋଇ ବିମାନ ସେବାକୁ କମାଇବାକୁ ପଡ଼ିବ। ସ୍ଥିତିରେ ସୁଧାର ଆସିଲେ ଭବିଷ୍ୟତରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ବିମାନ ସେବା ବୃଦ୍ଧି କରାଯିବ ବୋଲି ଶ୍ରୀ ତ୍ରିପାଠୀ ଚିଠିରେ ଜଣାଇଛନ୍ତି।

ସୂଚନାଥାଉକି, କରୋନା ସ୍ଥିତିକୁ ଦେଖି ବାହାର ରାଜ୍ୟରୁ ଅଧିକ ସ୍ବତନ୍ତ୍ର ଟ୍ରେନ୍‌ ଓଡ଼ିଶା ନ ଚଳାଇବାକୁ ଗତମାସ ୨୯ ତାରିଖରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଭାରତୀୟ ରେଳବାଇ ବୋର୍ଡ଼ ଅଧ୍ୟକ୍ଷକଙ୍କୁ ମଧ୍ୟ ଚିଠି ଲେଖିଥିଲେ। କେବଳ ରାଜ୍ୟ ଭିତରେ ଓ ଇଣ୍ଟର୍‌ ସିଟି ଟ୍ରେନ୍‌ ଚଳାଚଳ ଜାରି ରଖିବାକୁ ଜଣାଇଥିଲେ।

ସମ୍ବନ୍ଧିତ ଖବର