ରାଜ୍ୟର ଆଉ ୧୧ ସ୍ଥାନରେ ହେବ ‌କୋଭିଡ ପରୀକ୍ଷା

ଭୁବନେଶ୍ବର : ରାଜ୍ୟର ଆଉ ୧୧ଟି ସ୍ଥାନରେ ହେବ କୋଭିଡ ନମୁନା ପରୀକ୍ଷା। ଏବେ ୮ଟି ସ୍ଥାନରେ ପରୀକ୍ଷା ହେଉଥିବା ବେଳେ ଆହୁରି ୧୧ଟି ପରୀକ୍ଷା କେନ୍ଦ୍ର ଯୋଡ଼ି ହେବା ଫଳରେ ରାଜ୍ୟରେ ସମୁଦାୟ ପରୀକ୍ଷା କେନ୍ଦ୍ର ୧୯କୁ ବୃଦ୍ଧି ପାଇବ। ବ୍ରହ୍ମପୁର, ବାରିପଦା, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ବାଲେଶ୍ବର, କଳହାଣ୍ଡି ଓ ଅନ୍ୟ ସ୍ଥାନରେ ଏହି ପରୀକ୍ଷା କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ସଂଖ୍ୟା ୫୦,୫୧୪‌ରେ ପହଞ୍ଚିଛି।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ମାର୍ଚ ୭ ତାରିଖରେ ରାଜ୍ୟରେ ନମୁନା ପରୀକ୍ଷା ଆରମ୍ଭ ହୋଇଥିଲା।‌ ସେତେବେଳେ ରାଜ୍ୟରେ କୋଭିଡ ପରୀକ୍ଷା କେବଳ ଆର୍‌ଏମ୍‌ଆସିରେ ହେଉଥିଲା। ଦିନକୁ ମାତ୍ର ୧୦ଟି ପରୀକ୍ଷା ହୋଇପାରୁ ଥିଲା। ୧ମାସ ତଳେ ରାଜ୍ୟରେ ଦିନକୁ ୨୫୦ ପରୀକ୍ଷା ଓ ୧୫ଦିନ ତଳେ ଦିନକୁ ୧ହଜାର ପରୀକ୍ଷା ସମ୍ଭବ ହେଉଥିଲା। ମାତ୍ର ଆଜି ରାଜ୍ୟରେ ୩ହଜାରରୁ ଅଧିକ ପରୀକ୍ଷା ହୋଇପାରୁଛି। ୮ଟି ପରୀକ୍ଷା କେନ୍ଦ୍ର ରାଜ୍ୟରେ କାର୍ଯ୍ୟ କରୁଛି। ଅଧିକ ପରୀକ୍ଷା ପାଇଁ ‌ପରୀକ୍ଷା କେନ୍ଦ୍ର ବଢ଼ାଯିବା ପାଇଁ ନିଷ୍ପତ୍ତି ହୋଇଛି।

ରାଜ୍ୟରେ କୋଭିଡ୍‌ ପରୀକ୍ଷା ଆରମ୍ଭ ହେବାଠାରୁ ବର୍ତମାନ ପର୍ଯ୍ୟନ୍ତ ଆରଏମ୍‌ଆସିରେ ୨୬୩୧୮ ନମୁନା ପରୀକ୍ଷା କରାଯାଇଛି। ଗତକାଲି ୧୯୧୬ ନମୁନା ପରୀକ୍ଷା ହୋଇଛି। ରାଜ୍ୟର ସମୁଦାୟ ନମୁନାର ୩/୪ ଭାଗ କେବଳ ଆରଏମ୍‌ଆରସିରେ ହୋଇଛି। ଅପରପକ୍ଷରେ ଦେଶ ସହିତ ତୁଳନା କଲେ ୧୦ଲକ୍ଷ ଲୋକସଂଖ୍ୟାରେ ଦେଶରେ ୯୮୩ ପରୀକ୍ଷା ହେଉଥିବା ବେଳେ ରାଜ୍ୟରେ ଏହା ୧୧୫୫ ନମୁନା ପରୀକ୍ଷା ହେଉଛି। ଏ ଦୃଷ୍ଟିରୁ ରାଜ୍ୟ ଆଗରେ ରହିଛି। ପରୀକ୍ଷାର ମୂଳ ଲକ୍ଷ୍ୟ ହେଉଛି ପଜିଟିଭଙ୍କୁ ଚିହ୍ନଟ କରିବା। ରାଜ୍ୟରେ ଯେତେ ଅଧିକ ସଂଖ୍ୟାରେ ପରୀକ୍ଷା ହେବ ସଂକ୍ରମିତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିବ। ଯାହାଫଳରେ ଆକ୍ରାନ୍ତମାନଙ୍କୁ ପୃଥକ କରିବା ସହଜ ହୋଇଥାଏ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର