ଏନ୍‌ଆଇଟି, ବିପିୟୁଟିରେ ୧୨୦୦ ବେଡ୍‌ର କୋଭିଡ୍‌ କେୟାର ସେଣ୍ଟର

ସ୍ବାସ୍ଥ୍ୟବିଭାଗ, ହୋମିଓପାଥିକ କଲେଜରୁ ଆସିବେ ସ୍ବାସ୍ଥ୍ୟକର୍ମୀ

ରାଉରକେଲା : କରୋନାର ଦ୍ବିତୀୟ ଲହର ପଶ୍ଚିମ ଓଡ଼ିଶାର ଉପରମୁହାଁ। ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କରୁ ଡେଇଁ ତିନି ଅଙ୍କରେ ପହଞ୍ଚିଛି। ରବିବାର ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୩୪୦ । ସୋମବାର ଏହି ସଂଖ୍ୟା ବୃଦ୍ଧି ପହଞ୍ଚିଥିଲା ୭୨୨ରେ। ମଙ୍ଗଳବାର ଜିଲ୍ଲାରେ ୬୨୩, ଆଜି ୫୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ରହିଛନ୍ତି ସ୍ମାର୍ଟ ସିଟି ରାଉରକେଲାରେ। ସଂକ୍ରମଣର ମୁକାବିଲା କରିବାକୁ ସ୍ବାସ୍ଥ୍ୟ ବିଭାଗର ଜଣେ ପରେ ଜଣେ ବରିଷ୍ଠ ଅଧିକାରୀ ରାଉରକେଲାରେ ପହଞ୍ଚି ସ୍ଥିତିର ସମୀକ୍ଷା କରୁଛନ୍ତି। ଘରୋଇ କୋଭିଡ୍‌ ହସ୍ପିଟାଲରେ ବେଡ୍‌ ସଂଖ୍ୟା, ଆଇସିୟୁ, ଭେଣ୍ଟିନେଲଟର ବୃଦ୍ଧି ଗୁରୁତ୍ବ ଦିଆଯାଉଛି।

ବୁଧବାର ଆର୍‌ଏମ୍‌ସି ସମ୍ମିଳନୀ କକ୍ଷରେ ସହରର କୋଭିଡ୍‌ ପରିଚାଳନା ଓ କୋଭିଡ୍‌ କେୟାର ସେଣ୍ଟର (ସିସିସି) ଖୋଲିବାକୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତା କରିଥିଲେ। ବୈଠକରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଆର୍‌ଏମ୍‌ସି କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ସମେତ ଆର୍‌ଜିଏଚ୍, ଘରୋଇ କୋଭିଡ୍‌ ହସ୍ପିଟାଲର ଡାକ୍ତରମାନେ ଉପସ୍ଥିତ ଥିଲେ। ସହରରେ ସଂକ୍ରମଣ ବଢ଼ୁଥିବାରୁ ଖୁବ୍‌ଶୀଘ୍ର ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି), ବିଜୁ ପଟ୍ଟନାୟକ ବୈଷୟିକ ଶିକ୍ଷା ଅନୁଷ୍ଠାନ (ବିପିୟୁଟି)ରେ ପ୍ରାୟ ୧୨୦୦ ବେଡ୍‌ର କୋଭିଡ଼ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନ୍ଆଇଟିର ଛାତ୍ରାବାସର ୫ଟି ବ୍ଲକରେ ୮୦୦, ବିପିୟୁଟିର ଛାତ୍ରାବାସର ୪୦୦ ବେଡ୍‌ କରାଯିବ। ଦୁଇଟି ସିସିସିରେ ଆବଶ୍ୟକ ଡାକ୍ତର, କର୍ମଚାରୀମାନେ ଜିଲ୍ଲାପାଳ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ସରକାରୀ ହସ୍ପିଟାଲ, ହୋମିଓପାଥିକ କଲେଜକରୁ ସ୍ବାସ୍ଥ୍ୟକର୍ମୀଙ୍କୁ ଅଣାଯାଇ ସିସିସିକୁ କାର୍ଯ୍ୟକ୍ଷମ କରାଯିବ।

ସେପଟେ ଆଜିଠୁ ଛେଣ୍ଡ ବାଗବୁଡି ବସ୍ତିର ମହିଳା ନିବାସରେ ୭୦ ବେଡ୍‌ର ସିସିସି କାର୍ଯ୍ୟକ୍ଷମ ହୋଇଛି। ଏଥିସହ ସହରରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସହରର ତିନିଟି କୋଭିଡ୍‌ ହସ୍ପିଟାଲ ଶାନ୍ତି ମେମୋରିଆଲ, ହାଇଟେକ୍‌ ଓ ଜୟପ୍ରକାଶ ‌ବେଡ୍‌ରେ ରୋଗୀ ଭର୍ତ୍ତି ଅଛନ୍ତି। ସ୍ଥିତି ଏମିତି ହୋଇଛି ଯେ, ୮୦ ଶଯ୍ୟା ବିଶିଷ୍ଟ ଆଇସିୟୁରେ ୧୨୦ କରୋନା ଆକ୍ରାନ୍ତ ରୋଗୀ ଭର୍ତ୍ତି ହୋଇଛନ୍ତି। ଗତକାଲି ସୁଦ୍ଧା ସୁନ୍ଦରଗଡ ଏନ୍‌ଟିପିସି ‌କୋଭିଡ୍‌ ହେଲ୍‌ଥ ସେଣ୍ଟରରେ ରହିଥିବା ୧୦୦ ସାଧାରଣ ବେଡ୍‌ ଗୋଟିଏ ବି ବେଡ୍‌ ଖାଲି ନାହିଁ। ଶାନ୍ତି ମେମୋରିଆଲ ହସ୍ପିଟାଲ ୧୦୫ ସାଧାରଣ ଓ୨୦ଟି ଆଇସିୟୁ ବେଡ୍‌ ରହିଛି। ୧୦୫ ସାଧାରଣ ବେଡ୍‌ରେ ୧୧୬ରୁ ଅଧିକ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ୨୦ ଆଇସିୟୁରୁ ୧୦ରୋଗୀ ଆଇସିୟୁ ଓ ୮ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ସେମିତି ଜୟ ପ୍ରକାଶ ହସ୍ପିଟାଲରେ ୧୨୦ ସାଧାରଣ ଓ ୮୦ ଆଇସିୟୁ ବେଡ୍‌ ରହିଛି। ୧୧୯ ଜଣ ଆଇସିୟୁ, ୨୪ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ହାଇଟେକ୍‌ କୋଭିଡ୍‌ ହସ୍ପିଟାଲ ୨୦୦ ବେଡ୍‌ରୁ ୧୨୫ ସାଧାରଣ ଓ ୨୫ଟି ଆଇସିୟୁ ବେଡ୍‌ ରହିଛି। ଏଠି ମଧ୍ୟ ଅର୍ଦ୍ଧାଧିକ ବେଡ୍‌ରେ ରୋଗୀ ଭର୍ତ୍ତି ହୋଇଛନ୍ତି। ଗତକାଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଡାକ୍ତର ଅଜିତ କୁମାର ମହାନ୍ତି ରାଉରକେଲା ତିନିଟି କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଥିଲେ। ଏଥିସହ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ କୋଭିଡ୍‌ ହସ୍ପିଟାଲର ଆନୁଷଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ। ୨/୩ ଦିନ ମଧ୍ୟରେ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ୪୭ ବେଡ୍‌ର ଆଇସିୟୁ ଖୋଲାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର