ଇଏସ୍‌ଆଇସି ତରଫରୁ କୋଭିଡ୍‌ ଜନିତ ମୃତ୍ୟୁ ପେନ୍‌ସନ୍‌ ପ୍ରଦାନ

ବ୍ରହ୍ମପୁର : ଇଏସ୍‌ଆଇସି (ଆମ୍ପ୍ଲଇଜ୍‌ ଷ୍ଟେଡ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେସନ୍‌) ବୀମାଭୁକ୍ତଙ୍କ କୋଭିଡ୍‌ରେ ମୃତ୍ୟୁପରେ ପରିବାରବର୍ଗଙ୍କୁ ପେନ୍‌ସନ୍‌ ମିଳିବ। ଦରମାର ୯୦ପ୍ରତିଶତ ପେନ୍‌ସନ୍‌ ଆକାରରେ ପ୍ରଦାନ କରିବା ପାଇଁ ଇଏସ୍‌ଆଇସି ତରଫରୁ ବ୍ୟବସ୍ଥା କରାଯାଇଛି। ‘ଇଏସ୍‌ଆଇସି କୋଭିଡ୍‌ ରିଲିଫ୍‌ ନାମରେ ଗତ ୨୦୨୦ ମାର୍ଚ୍ଚରୁ ଆସନ୍ତା ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ କରାଯାଇଛି। ଆଜି ଗଞ୍ଜାମ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବେ ‘ସମ୍ବାଦ ବ୍ରହ୍ମପୁର ସଂସ୍କରଣର ଗଞ୍ଜାମ ଜିଲ୍ଲା ପ୍ରତିନିଧି ସ୍ବର୍ଗତ ପ୍ରଦୀପ କିଶୋର ସାହୁଙ୍କ ପରିବାରବର୍ଗଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ପେନ୍‌ସନ୍‌ ପ୍ରଦାନ କରାଯାଇଛି। ଧର୍ମନଗରସ୍ଥିତ ଇଏସ୍‌ଆଇସି ବ୍ରହ୍ମପୁର ବ୍ରାଞ୍ଚ୍‌ର ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର୍‌ ବିଶ୍ବମୋହନ ପାଣିଗ୍ରାହୀ ଲୋଚାପଡ଼ା ଶକ୍ତିନଗରସ୍ଥିତ ସ୍ବର୍ଗତ ସାହୁଙ୍କ ଘରେ ପହଞ୍ଚି ତାଙ୍କ ସହଧର୍ମିଣୀ ମାନସୀ ସାହୁଙ୍କୁ ଚେକ୍‌ ଆକାରରେ ପେନ୍‌ସନ୍‌ ଟଙ୍କା ପ୍ରଦାନ କରିଛନ୍ତି। ଆସନ୍ତା ମାସଠାରୁ ଶ୍ରୀମତୀ ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରେ ପେନ୍‌ସନ୍‌ ଟଙ୍କା ଜମା ହେବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ସମୟରେ ଶ୍ରୀମତୀ ସାହୁଙ୍କ ବାପା ବ୍ରହ୍ମାନନ୍ଦ ସାବତ, ଇଏସ୍ଆଇସି କାର୍ଯ୍ୟାଳୟର ବରିଷ୍ଠ ସହାୟକ ପ୍ରକାଶ ଗୌଡ଼, ‘ସମ୍ବାଦ ବ୍ରହ୍ମପୁର ସଂସ୍କରଣ ମାନବସମ୍ବଳ ବିଭାଗ ଅଧିକାରୀ ବସନ୍ତ ପଣ୍ଡା, ନଗର ପ୍ରତିନିଧି ସୁଦୀପ୍ତ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର