ଏସ୍ସିବି କୋଭିଡ୍ କୋର କମିଟିର ଜରୁରୀ ବୈଠକ
ସ୍କିଲ୍ ବିଲଡିଂ କୋଠାରେ ବି ରହିବେ କୋଭିଡ୍ ସଂକ୍ରମିତ
କଟକ : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣ ସଂଖ୍ୟା ଆଜି ୩ଶହ ପାଖାପାଖି ଛୁଇଁଥିବାବେଳେ ଏଭଳି ପରିସ୍ଥିତିରେ ଏସ୍ସିବି କୋଭିଡ୍ ହସ୍ପିଟାଲର ଶଯ୍ୟା ସଂଖ୍ୟା ବୃଦ୍ଧି, କୋଭିଡ୍ ଚିକିତ୍ସା ସଂପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍ସିବିରେ ଶଯ୍ୟା ସଂଖ୍ୟା ଅଢେଇଶହକୁ ବୃଦ୍ଧି କରାଯିବା ଓ ସେହି ଅନୁପାତରେ କର୍ମଚାରୀ ନିଯୁକ୍ତି ତଥା କିପରି ଉନ୍ନତମାନର ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯିବ ସେଥିପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ତା’ ସହିତ ବର୍ତ୍ତମାନ ଚକ୍ଷୁ ବିଭାଗ ବର୍ହିବିଭାଗର ୩ଟି ମହଲାରେ ୯୦ଟି ଶଯ୍ୟା ଓ ୨୩ଟି ଆଇସିୟୁ ବେଡ୍ ଥିବାବେଳେ ସ୍ତ୍ରୀ ରୋଗ ପ୍ରସୂତି ବିଭାଗରେ ୧୦ଟି ବେଡ୍ ରହିଛି। ତେଣୁ ସ୍କିଲ ଡେଭ୍ଲପ୍ମେଣ୍ଟ ସେଣ୍ଟରକୁ ମଧ୍ୟ କୋଭିଡ୍ ପାଇଁ ରଖାଯିବ ଓ ସେଠାରେ ୫୦ଟି ବେଡ୍ ପକାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯିବା ସହ ସରକାରଙ୍କ ପାଖକୁ ଆଜିର ବୈଠକ ସଂପର୍କିତ ନିଷ୍ପତ୍ତିକୁ ଅନୁମୋଦନ ପାଇଁ ପଠାଯାଇଛି।
ଏସ୍ସିବିରେ କୋଭିଡ୍ ଆରମ୍ଭ ହେବା ପରଠାରୁ ଅର୍ଥାତ୍ ବର୍ଷକ ତଳେ ଚକ୍ଷୁ ବିଭାଗ ତଥା ବର୍ହିବିଭାଗ କୋଠାକୁ ଆଇସୋଲେସନ୍ ଓ ପରେ କୋଭିଡ୍ ହସ୍ପିଟାଲ ଭାବେ ପରିଣତ କରାଯାଇଥିଲା। ପରେ ପରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏସ୍ସିବିର ନିୟୁ ମେଡିସିନ୍ ବିଭାଗରେ ମଧ୍ୟ କୋଭିଡ୍ ହସ୍ପିଟାଲ ଖୋଲାଗଲା। କିନ୍ତୁ ପରବର୍ତ୍ତୀ ସମୟରେ ସଂକ୍ରମଣ କମିବା ପରେ ନିୟୁ ମେଡିସିନ୍ର କୋଭିଡ୍ ହସ୍ପିଟାଲକୁ ବନ୍ଦ କରାଯିବା ସହ ସେଠାରେ ଥିବା ସଂକ୍ରମିତଙ୍କୁ ବର୍ହିବିଭାଗ କୋଠାରେ ଥିବା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। କିନ୍ତୁ ଏବେ ପୁଣି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏସ୍ସିବିରେ କୋଭିଡ୍ ଚିକିତ୍ସାକୁ ଅଧିକ ଗୁରୁତ୍ବ ଦିଆଯିବା ସହ ବେଡ୍ ସଂଖ୍ୟାକୁ ୨୫୦କୁ ବୃଦ୍ଧି କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସରକାରଙ୍କ ପାଖରୁ ନିର୍ଦ୍ଦେଶ ଆସିବା ମାତ୍ରେ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଜଣାପଡିଛି। ସ୍କିଲ୍ ବିଲଡିଂରେ ୫୦ଟି ବେଡ୍ ଓ ବର୍ହିି ବିଭାଗ କୋଠା ଯେଉଁଠି ବର୍ତ୍ତମାନ କୋଭିଡ୍ ହସ୍ପିଟାଲ ଚାଲିଛି ସେଠାରେ ବାକି ୨ଶହ ବେଡ୍ର ବ୍ୟବସ୍ଥା କରାଯିବ। ଉକ୍ତ କୋଠାର ପ୍ରଥମ ମହଲାରେ କୋଭିଡ୍ ଓପିଡି ଓ ଡାଏଲିସିସ୍ ବ୍ୟବସ୍ଥା, ୩ ମହଲାରେ ବେଡ୍ ଓ ୪ ମହଲା ଆଇସିୟୁ ଓ ବେଡ୍ ରହିଛି। ତେବେ କୋଠାର ଗ୍ରାଉଣ୍ଡ ଓ ୨ୟ ମହଲାରେ ଚକ୍ଷୁ ବିଭାଗ ଚାଲିଛି। ବୁଧବାର ଅନୁଷ୍ଠିତ ଜରୁରୀ କୋଭିଡ୍ କୋର କମିଟି ବୈଠକରେ ଏସ୍ସିବି ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, କୋଭିଡ୍ କୋର କମିଟିର ସମସ୍ତ ସଦସ୍ୟ ତଥା ବିଶେଷଜ୍ଞ, ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସଂପର୍କରେ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
କଟକରୁ ଚିହ୍ନଟ ହେଲେ ୧୭
କଟକ : କଟକରୁ ବୁଧବାର ୧୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ସିଏମ୍ସିରୁ ୧୨ଜଣ ଓ ଗ୍ରାମାଞ୍ଚଳରୁ ୫ଜଣ ଚିହ୍ନଟ ହୋଇଛନ୍ତି। କଟକ ସହରର ନେତାଜୀନଗରରୁ ଗୋଟିଏ ପରିବାରର ୪ଜଣ, ସିଡିଏ ସେକ୍ଟର ୯ରୁ ମଧ୍ୟ ଗୋଟିଏ ପରିବାରରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଚାଉଳିଆଗଞ୍ଜ, ଚଣ୍ଡି ଛକ, ସିଡିଏ ସେକ୍ଟର ୬, କେଣ୍ଟନମେଣ୍ଟ ରୋଡ, ବକ୍ସିବଜାର, ବିଦ୍ୟାଧରପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗ୍ରାମାଞ୍ଚଳର ଚୌଦ୍ବାର, କଣ୍ଟାପଡା, ନିଆଳି, ନିଶ୍ଚିନ୍ତକୋଇଲି ଓ ଟାଙ୍ଗୀରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ନେତାଜୀନଗର ଓ ସିଡିଏରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ରହିଥିବା ସିଏମ୍ସି ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/scb-medical.jpg)