ବନ୍ଦ ହେବ କୋଭିଡ୍‌ ଡାକ୍ତରଖାନା : ରୋଗୀଙ୍କ ସେବାରେ ଲାଗୁ ଆଇସିୟୁ

ବୁର୍ଲା ମେଡିକାଲରେ ଆଇସିୟୁ ଅଭାବକୁ ଦୂର କରିପାରିବ
ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବୁଦ୍ଧଜୀବୀ ମହଲରେ ଦାବି

ସମ୍ବଲପୁର : ସମ୍ବଲପୁର କୋଭିଡ ଡାକ୍ତରଖାନା ବନ୍ଦ ହେବ। କିନ୍ତୁ ଛାଡ଼ି ଦେଇ ଯିବ ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ। ଏହା ସହ ୩୦ ଭେଣ୍ଟିଲେଟର, ୨ ଡାଏଲିସିସ ମେସିନ, ଡିଜିଟାଲ ଏକ୍ସରେ ଭଳି ଜରୁରୀ ଚିକିତ୍ସା ଯନ୍ତ୍ରପାତି। ଏଭଳି ସ୍ଥିତିରେ ସଦର ଡାକ୍ତରଖାନା ପୁନର୍ବାର ଖୋଲିବା ପରେ ଏହି ଆଇସିୟୁ କିଭଳି ରୋଗୀଙ୍କ ସେବାରେ ଲାଗି ପାରିବ, ଏଥିପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି।

ପଶ୍ଚିମ ଓଡ଼ିଶାର ଜୀବନରେଖା କହା ଯାଉଥିବା ବୁର୍ଲା ବଡ଼ ଡାକ୍ତରଖାନାର ଦୁରାବସ୍ଥା ସଂପର୍କରେ ସମସ୍ତେ ଅବଗତ। ସେଠାରେ ଆଇସିୟୁର ଘୋର ଅଭାବ ରହିଛି। ୨୦ ଟି ଆଇସିୟୁ ରହିଥିଲେ ବି ମାତ୍ର ୧୪ଟି କାର୍ଯ୍ୟକ୍ଷମ ରହିଛି। ସମୟରେ ଆଇସିୟୁ ନ ପାଇ କେତେ ରୋଗୀଙ୍କ ଜୀବନ ଗଲାଣି ତା’ର ହିସାବ ନାହିଁ। ଏପରିକି ପୂର୍ବରୁ ସମ୍ବଲପୁର ସଦର ଡାକ୍ତରଖାନାକୁ ଆସୁଥିବା ୨ରୁ ୩ ପ୍ରତିଶତ ରୋଗୀଙ୍କୁ କେବଳ ଆଇସିୟୁ ନଥିବା କାରଣରୁ ଭିମ୍‌ସାରକୁ ସ୍ଥାନାନ୍ତରିତ କରିବାକୁ ପଡ଼ୁଥିଲା। ଏଭଳି ସ୍ଥିତିରେ କୋଭିଡ ଚିକିତ୍ସା ପାଇଁ ହେଉ ପଛେ ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଏବଂ ଭେଣ୍ଟିଲେଟର ପଶ୍ଚିମ ଓଡ଼ିଶା ଓ ସମ୍ବଲପୁର ପାଇଁ ବରଦାନ ଭଳି ହୋଇଥିବା କହନ୍ତି ପୂର୍ବତନ ଜେଡିଏ ସଭାପତି ଡ.ସଂଜୀବ ମିଶ୍ର। ଏହାକୁ କୌଣସି ପ୍ରକାରେ ଛାଡ଼ିବା ଉଚିତ ନୁହେଁ ବୋଲି ମତ ଦେଇଛନ୍ତି ବରିଷ୍ଠ ଡାକ୍ତର ଉତ୍ତମ ପାଣି।

ସେ କହିଛନ୍ତି, ଆଇସିୟୁ ପରିଚାଳନା ପାଇଁ ସ୍ବତନ୍ତ୍ର ଭାବରେ ତାଲିମପ୍ରାପ୍ତ ଡାକ୍ତର, ନିଶ୍ଚେତକ ବିଶେଷଜ୍ଞ ଏବଂ କ୍ରିଟିକାଲ କେୟାର ସ୍ପେସାଲିଷ୍ଟଙ୍କ ଆବଶ୍ୟକତା ରହିଛି। କିଛି ଘରୋଇ ଡାକ୍ତରଖାନା, ଆଇସିୟୁ ପରିଚାଳନା ପାଇଁ କିଛି ଫ୍ରାଞ୍ଚାଇଜଙ୍କୁ ଦାୟିତ୍ବ ଦେଇଛନ୍ତି। ସ୍ଥଳ ବିଶେଷରେ ଏହା କରାଯାଇ ପାରିବ। ଡା. ବିକାଶ ହୋତା କହିଛନ୍ତି, ଆଇସିୟୁ ସମ୍ବଲପୁର ପାଇଁ ଅତି ଆବଶ୍ୟକ। କୋଟିକୋଟି ଟଙ୍କାର ଅର୍ଥ ବିନିମୟରେ କ୍ରୟ କରା ଯାଇଥିବା ମେସିନ ଯେମିତି ଖତ ନଖାଇବ ଏହା ପ୍ରଶାସନର ମୁଖ୍ୟ ଚାଲେଞ୍ଜ ଅଟେ। ଏହାକୁ କୌଣସି ଭାବରେ ବୁର୍ଲା କିମ୍ବା ଅନ୍ୟ କୌଣସି ଡାକ୍ତରଖାନାକୁ ପଠାଇବା ଉଚିତ ନୁହେଁ। କିମ୍ବା କ୍ୟାବିନ ଭଳି ରହିବା ଉଚିତ ନୁହେଁ। ଆଇସିୟୁ ପରିଚାଳନା ପାଇଁ ୨୪ ଘଣ୍ଟିଆ ଡାକ୍ତର, ଫାର୍ମାସିଷ୍ଟ, ଟେକନିସିଆନ ଓ ନର୍ସ ସେବା ଉପଲବ୍‌ଧ ରହିବା ଜରୁରୀ। ସଦର ଡାକ୍ତରଖାନାରେ ଡାକ୍ତର ସଙ୍କଟ ରହିଛି। ଏଠାରେ ନିଶ୍ଚେତକ ଡାକ୍ତର ନଥିବାରୁ ଅସ୍ତ୍ରୋପଚାର ହୋଇ ପାରୁ ନାହିଁ। ତେଣୁ ଆଇସିୟୁ କାର୍ଯ୍ୟକ୍ଷମ କରିବାକୁ ହେଲେ ରୋଟେସନ ଭିତ୍ତିରେ ଜଣେ ଲେଖାଏଁ ଡାକ୍ତରଙ୍କୁ ଆଇସିୟୁ ପରିଚାଳନା ତାଲିମ ପାଇଁ ପଠାଯାଇ ପାରିଲେ ଭଲ ହେବ। ସମ୍ବଲପୁର ସଦର ଡାକ୍ତରଖାନାରେ ଡାକ୍ତର, ନର୍ସଙ୍କ ସମେତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସଙ୍କଟ ଯୋଗୁଁ ରୋଗୀ ସେବା ପ୍ରଭାବିତ ହୁଏ। ଏପରିକି ବର୍ତ୍ତମାନ ମଧ୍ୟ ଏଠାରେ ଚର୍ମ, ଆଖି ଏବଂ ଅସ୍ଥିଶଲ୍ୟ ଭଳି ବିଭାଗରେ ବିଶେଷଜ୍ଞ ନାହାନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରୋଇ ଜିଲ୍ଲାରେ ଏଭଳି ସ୍ଥିତି ବେଶି ଦିନ ରହିବା ଉଚିତ ନୁହେଁ। ବର୍ତ୍ତମାନ ସୁଯୋଗର ସଦୁପଯୋଗ କରାଯାଇ ସ୍ବାସ୍ଥ୍ୟ ସେବାକୁ ଉନ୍ନତ କରାଯିବା ଉଚିତ ବୋଲି ବହୁ ବୁଦ୍ଧଜୀବୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର