ଅଛୁଆଁ ଭୟରେ ଜୀବନ ହାରିଲେ କୋଭିଡ୍‌ ରୋଗୀ

ମୋତେ କେହି ଛୁଇଁବେନି, ଶବ ପୋଡ଼ିବେନି ବୋଲି ଭୟ କରୁଥିଲେ

୧୭ଦିନ ପରେ ଗାଁ ଜଙ୍ଗଲରୁ ମିଳିଲା ଗଳିତ ଶବ
ପଜିଟିଭ୍‌ ଜାଣିବା ପରଠୁ ଘରୁ ନିଖୋଜ ଥିଲେ

କାମାକ୍ଷାନଗର : କରୋନା ମହାମାରୀ ଯେତିକି ଭୟଙ୍କର, ତା’ଠାରୁ ବେଶି ଭୟଙ୍କର ହୋଇଛି ରୋଗୀ ପ୍ରତି ଛୁଆଁଅଛୁଆଁ ଭେଦଭାବ। ଏ ରୋଗ ହେଲେ ଆମକୁ କେହି ଛୁଇଁବେ ନାହିଁ, ମରିଗଲେ ଶବକୁ କେହି ପୋଡ଼ିବାକୁ ନେବେନାହିଁ। ଏହି ଭୟ ବର୍ତ୍ତମାନ ଜନମାନସକୁ ଏମିତି ଘାରିଛି ଯେ, ଭୂତାଣୁ ଜୀବନ ନେବା ପୂର୍ବରୁ କୋଭିଡ୍ ଭୟରେ ମଣିଷ ଆତ୍ମହତ୍ୟା ଭଳି ଚରମ ପନ୍ଥା ଆପଣେଇ ନେଉଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍ଗେଇଲ ଗାଁରେ ଘଟିଥିବା ଏମିତି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚିତ ହୋଇଛି। ଆତ୍ମହତ୍ୟା କରିଥିବା ଏହି ବ୍ୟକ୍ତିଜଣକ ହେଉଛନ୍ତି ରବିନାରାୟଣ ବାରିକ(୬୫)। ମୂଲ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଜୁନ୍‌ ୭ତାରିଖରେ ସେ ଅସୁସ୍ଥତା ଅନୁଭବ କଲେ। ଜ୍ବର ହେବାରୁ ତାଙ୍କ ପୁଅ ତାଙ୍କୁ ମଠକରଗୋଳା ଡାକ୍ତରଖାନାକୁ ଚିକିତ୍ସା କରିବାକୁ ନେଇଥିଲେ।

ରବିନାରାୟଣଙ୍କୁ ଜ୍ବର ହେଉଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ କୋଭିଡର ଆଣ୍ଟିଜେନ୍‌ ଟେଷ୍ଟ କରାଇବାକୁ କହିଥିଲେ। ଦୁର୍ଭାଗ୍ୟକୁ ଆଣ୍ଟିଜେନ୍‌ ଟେଷ୍ଟ ପଜିଟିଭ୍‌ ଆସିଥିଲା। ସେଠାରେ ପରୀକ୍ଷା କରୁଥିବା କର୍ମଚାରୀ ରବିନାରାୟଣଙ୍କୁ ସଚେତନ କରାଇଥିଲେ। ଘରେ କାହାକୁ ଛୁଇଁବ ନାହିଁ, ଏକୁଟିଆ ରହିବ, ଏକୁଟିଆ ଖାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ ବୋଲି ମୃତ ରବିନାରାୟଣଙ୍କ ପୁଅ ସହଦେବ ବାରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ସମୟରେ କୋଭିଡ୍‌ର ଦ୍ବିତୀୟ ଲହର ଢେଙ୍କାନାଳ ଜିଲ୍ଲାରେ ଜୋର୍‌ ଚାଲିଥିଲା। ସବୁଆଡ଼େ ଭୟଙ୍କର ମରଣ ଚିତ୍ର ଛାଇ ଯାଇଥିଲା। ତା ଠାରୁ ବେଶି ବ୍ୟତିବ୍ୟସ୍ତ କରୁଥିଲା ଗାଁରେ କୋଭିଡ୍ ରୋଗୀଟିଏ ଚିହ୍ନଟ ହେଲେ ତା ପ୍ରତି ଲୋକଙ୍କର ଛୁଆଁ, ଅଛୁଆଁ ମନଭାବ। ଡାକ୍ତରଖାନାରୁ ରବିନାରାୟଣ ଏ ପ୍ରକାର ଛୁଆଁ ଓ ଅଛୁଆଁ ବାରଣ ଶୁଣିବା ପରେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ସେହି କଥାଗୁଡ଼ିକ ତାଙ୍କ ମନରେ ଘାରି ହେଉଥିଲା ବୋଲି ରବିନାରାୟଣଙ୍କ ପୁଅ ସହଦେବ ପ୍ରକାଶ କରିଛନ୍ତି।

ଡାକ୍ତରଖାନା ପରାମର୍ଶ ମୁତାବକ, ଦୁଇ ଦିନ କାଳ ନିଜକୁ ରବିନାରାୟଣ ସଂଗରୋଧରେ ରଖିଲେ। ତୃତୀୟ ଦିନ ଅର୍ଥାତ୍‌ ଜୁନ୍‌ ୧୦ତାରିଖ ରାତି ପାହାନ୍ତାରୁ ହଠାତ୍‌ ଘରୁ କୁଆଡ଼େ ନିଖୋଜ ହୋଇଗଲେ। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିବା ସତ୍ତ୍ବେ ତାଙ୍କର କୌଣସି ପତ୍ତା ମିଳିଲା ନାହିଁ। ତେଣୁ, ତାଙ୍କ ପୁଅ ସହଦେବ ଏନେଇ କାମାକ୍ଷାନଗର ଥାନାରେ ଏକ ଲିଖିତ ଅଭିଯୋଗ କରି ଏ ଛୁଆଁ ଅଛୁଆଁ କଥା ଦର୍ଶାଇଥିଲେ। ‌ଖୋଜ ହେବାର ପ୍ରାୟ ୧୬ଦିନ ପରେ ଗାଁଠାରୁ ତିନି କିଲୋମିଟର ଦୂର ଜଙ୍ଗଲରେ ତାଙ୍କର ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା। ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ରବିନାରାୟଣଙ୍କ ଏ ଗଳିତ ଶବ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆଜି କାମାକ୍ଷାନଗର ଥାନା ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରିଛି। ପରିବାର ଲୋକେ ଶବ ଚିହ୍ନଟ କରିବା ପରେ ଶବ ସଂସ୍କାର କରାଯାଇଛି। ମହାମାରୀର ଭୟ କେମିତି ଲୋକଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରୁଛି କାମାକ୍ଷାନଗର ଘଟଣା ତାହାର ଏକ ଚାକ୍ଷୁସ ପ୍ରମାଣ।

ସମ୍ବନ୍ଧିତ ଖବର